ନାଗପୁର: ସ୍ପିନର ଆଦିତ୍ୟ ସରୱାତଙ୍କ ୧୧ ୱିକେଟ୍ ସଫଳତା ବଳରେ ବିଦର୍ଭ ଲଗାତାର ଦ୍ବିତୀୟ ବର୍ଷ ପାଇଁ ରଣଜୀ ଟ୍ରଫି ବିଜେତା ହୋଇଛି। ଏଥି ସହିତ ଫୈଜ ଫଜଲଙ୍କ ଦଳ ମଧ୍ୟ ଦେଶର ଷଷ୍ଠ ଦଳ ଭାବେ ଟାଇଟଲ୍ ବଜାୟ ରଖିବାର ସଫଳତା ପାଇଛି। ପୂର୍ବରୁ ମୁମ୍ବାଇ, ମହାରାଷ୍ଟ୍ର, କର୍ଣ୍ଣାଟକ, ରାଜସ୍ଥାନ ଏବଂ ଦିଲ୍ଲୀ ରଣଜୀ ଟ୍ରଫିକୁ ଲଗାତାର ଜିତିବାର ଗୌରବ ରଖିଥିଲେ। ଗୁରୁବାର ଫାଇନାଲ୍ରେ ବିଦର୍ଭ ୭୮ ରନ୍ରେ ସୌରାଷ୍ଟ୍ରକୁ ପରାସ୍ତ କରିଥିଲା। ଜୟଦେବ ଉନାଦକତଙ୍କ ସୌରାଷ୍ଟ୍ର ଦଳ ସମ୍ମୁଖରେ ୨୦୬ ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଭ୍ରମଣକାରୀ ଦଳ କିନ୍ତୁ ୧୨୭ ରନ୍ରେ ସମସ୍ତ ୱିକେଟ୍ ହରାଇ ଦେଇଥିଲା। ପ୍ରଥମ ପାଳିରେ ୫ ୱିକେଟ୍ ନେଇଥିବା ଆଦିତ୍ୟ ସରୱାତ୍ ଦ୍ବିତୀୟ ପାଳିରେ ୬ ୱିକେଟ୍ ନେଇଥିଲେ। ଅନ୍ୟତମ ସ୍ପିନର ଅକ୍ଷୟ ୱାଖେରେ ୩ ୱିକେଟ୍ ନେଇଥିଲେ। ପୂର୍ବ ଅପରାହ୍ନରେ ୫ ୱିକେଟ୍ ହରାଇ ସାରିଥିବା ସୌରାଷ୍ଟ୍ର ଗୁରୁବାର ୫୮ ରନ୍ରୁ ପୁନଃ ଖେଳିଥିଲା। ବିଶ୍ବରାଜ ଜାଦେଜା ଶେଷ ପର୍ଯ୍ୟନ୍ତ ଲଢ଼ିଥିଲେ ମଧ୍ୟ ବ୍ୟକ୍ତିଗତ ଅର୍ଧଶତକ (୫୨, ୧୩୭ ବଲ, ୫ ଚୌକା) ହାସଲ ପରେ ଆଉଟ୍ ହୋଇଯିବାରୁ ସୌରାଷ୍ଟ୍ର ପରାଜୟ ନିଶ୍ଚିତ ହୋଇଥିଲା। ଆଦିତ୍ୟ ସରୱାତ (୧୧/୧୫୭) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଦ୍ବିତୀୟ ପାଳିରେ ମଧ୍ୟ ସରୱାତ୍ ମୂଲ୍ୟବାନ ୪୯ ରନ୍ ସଂଗ୍ରହ କରିଥିଲେ। ଚଳିତ ଋତୁରେ ଆଦିତ୍ୟ ୨୯.୫୦ ହାରରେ ୩୫୪ ରନ୍ ସଂଗ୍ରହ କରିଥିବା ବେଳେ ୧୯.୬୭ ହାରରେ ୫୫ ୱିକେଟ୍ ଦଖଲ କରିଥିଲେ। କିନ୍ତୁ ଋତୁସାରା ଦଳଗତ ପ୍ରଦର୍ଶନ କରି ବିଦର୍ଭ ବିଜେତାର ହକ୍ଦାର ହୋଇଥିଲା। ସୌରାଷ୍ଟ୍ର ତୃତୀୟ ଥର ପାଇଁ ରଣଜୀ ଟ୍ରଫିର ଏତେ ପାଖରେ ପହଞ୍ଚି ଦୁଃଖରେ ରହିଗଲା। ୨୦୧୨-୧୩ ଏବଂ ୨୦୧୫-୧୬ରେ ମୁମ୍ବାଇଠାରୁ ଫାଇନାଲରେ ହାରି ସୌରାଷ୍ଟ୍ର ମଧ୍ୟ ଉପବିଜେତା ହୋଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ସଂକ୍ଷିପ୍ତ ସ୍କୋର: ବିଦର୍ଭ: ୩୧୨ (କେର୍ନଶ୍ବର-୭୩*, ଉନାଦକତ-୩/୫୪) ଏବଂ ୨୦୦ (ସରୱାତ୍-୪୯, ଧର୍ମେନ୍ଦ୍ରସିଂହ ଜାଦେଜା-୬/୯୬)। ସୌରାଷ୍ଟ୍ର ୩୦୭ (ସ୍ନେଲ୍ ପଟେଲ୍-୧୦୨, ସରୱାତ୍-୫/୯୮) ଏବଂ ୧୨୭ (ବିଶ୍ବରାଜ ଜାଦେଜା-୫୨, ସରୱାତ୍-୬/୫୯)।