ରଣଜୀ ଫାଇନାଲ୍‌ରେ ବିଦର୍ଭ, ଉମେଶଙ୍କୁ ୧୨ ୱିକେଟ୍‌; ୧୦୬ ଓଭରରେ ମ୍ୟାଚ୍‌ ଶେଷ

କେରଳ ପାଳି ଓ ୧୧ ରନ୍‌ରେ ପରାସ୍ତ

ୱାୟାନାଡ଼୍‌: ଗୁରୁବାରଠାରୁ ଆରମ୍ଭ ହୋଇଥିବା ୨୦୧୮/୧୯ ରଣଜୀ ଋତୁର ସେମିଫାଇନାଲ୍‌ର ଗୋଟିଏ ମ୍ୟାଚ୍‌ ମାତ୍ର ୧୦୬ ଓଭରରେ ଶେଷ ହୋଇଯାଇଛି। କେରଳର ୱାୟାନାଡ଼୍‌ରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲ୍‌ ମ୍ୟାଚ୍‌ରେ ଉମେଶ ଯାଦବଙ୍କ ୧୨ ୱିକେଟ୍‌ ଦଖଲ କରିନେବାରୁ ଦ୍ବିତୀୟ ଦିବସ ମଧ୍ୟାହ୍ନ ବିରତି ପୂର୍ବରୁ ହିଁ ବିଦର୍ଭ ବଡ଼ ବିଜୟ ହାସଲ କରିନେଇଥିଲା। ଗତ ଋତୁର ବିଜେତା ବିଦର୍ଭ ଏକ ପାଳି ଓ ୧୧ ରନ୍‌ରେ ଘରୋଇ ‌କେରଳକୁ ପରାସ୍ତ କରି ଫାଇନାଲ୍‌ରେ ପହଞ୍ଚିଯାଇଛି। ପ୍ରଥମ ପାଳିରେ ୪୮ ରନ୍‌ରେ ୭ ଏବଂ ଦ୍ବିତୀୟ ପାଳିରେ ୩୧ ରନ୍‌ରେ ୫ ୱିକେଟ୍‌ ଦଖଲ କରି ବିଜୟର କର୍ଣ୍ଣଧାର ସାଜିଥିବା ଉମେଶ ଯାଦବ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ମୋଟ ୭୯ ରନ୍‌ରେ ୧୨ ୱିକେଟ୍‌ ଅକ୍ତିଆର ଉମେଶଙ୍କ ‌ଶ୍ରେଷ୍ଠ ବୋଲିଂ ଚିତ୍ର ଥିଲା। ଉମେଶ ମଧ୍ୟ କ୍ରମାଗତ ଦ୍ବିତୀୟ ମ୍ୟାଚ୍‌ ଶ୍ରେଷ୍ଠ ପୁରସ୍କାର ହାତେଇଥିଲେ। ଏହା ପୂର୍ବରୁ ଉତ୍ତରାଖଣ୍ଡ ବିପକ୍ଷ କ୍ବାର୍ଟର ଫାଇନାଲ୍‌ରେ ୯ ୱିକେଟ୍‌ ଦଖଲ କରି ସେ ମ୍ୟାଚ୍‌ ଶ୍ରେଷ୍ଠ ପୁରସ୍କାର ପାଇଥିଲେ। ଉମେଶଙ୍କ ଘାତକ ବୋଲିଂ ବଳରେ ପ୍ରଥମ ଦିନ କେରଳ ପ୍ରଥମ ପାଳିକୁ ୧୦୬ ରନ୍‌ରେ ସଫା କରି‌ଦେଇଥିବା ବିଦର୍ଭ ୧୭୧/୫ରୁ ଶୁକ୍ରବାର ଅସମାପ୍ତ ପ୍ରଥମ ପାଳି ଖେଳିଥିଲା। ହେଲେ ବୋଲରଙ୍କୁ ସୁହାଉଥିବା ଏହି ପିଚ୍‌ରେ ବିଦର୍ଭ ଆଉ ୩୭ ରନ୍‌ ଯୋଡ଼ି ଅବଶିଷ୍ଟ ୫ ୱିକେଟ୍‌ ହରାଇଥିଲା। ସନ୍ଦୀପ୍‌ ୱାରିୟର (୫୭/୫), ବାସିଲ୍‌ ଥାମ୍ପି (୬୪/୩) ଓ ନିଦ୍ଧେଶ (୫୩/୨) ସବୁ ୱିକେଟ୍‌ ବାଣ୍ଟି ନେଇଥିଲା ବେଳେ ବିଦର୍ଭ ପ୍ରଥମ ପାଳି ୨୦୮ (୫୨.୪ ଓଭର)ରେ ଅଟକି ଯାଇଥିଲା। ହେଲେ ବିଦର୍ଭ ୧୦୨ ରନ୍‌ର ଅଗ୍ରଣୀ ପାଇଯାଇଥିଲା। ଦ୍ବିତୀୟ ଦିବସରେ ବିଭର୍ଦ ମାତ୍ର ୭.୪ ଓଭର ଖେଳିଥିଲା ବେଳେ କେରଳ ଦ୍ବିତୀୟ ପାଳିରେ ୨୪.୫ ଓଭର ତିଷ୍ଠି ପାରିଥିଲା। ଉମେଶ ଯାଦବ (୩୧/୫) ଓ ୟାଶ୍‌ ଠାକୁର (୨୮/୪)ଙ୍କ ଘାତକ ବୋଲିଂ କେରଳ ପାଳିକୁ ୯୧ ରନ୍‌ (୨୪.୫ ଓଭର)ରେ ସଫା କରିଦେଇଥିଲା। ଏଥି ସହିତ ବିଦର୍ଭ ଦ୍ବିତୀୟ ଦିବସ ମଧ୍ୟାହ୍ନ ବିରତି ବେଳକୁ ପାଳି ଓ ୧୧ ରନ୍‌ର ବିଜୟ ହାସଲ କରିନେଇଥିଲା।

ସଂକ୍ଷିପ୍ତ ସ୍କୋର: କେରଳ ପ୍ରଥମ ପାଳି ୧୦୬ (ସଚିନ ବେବି ୨୨, ଉମେଶ ଯାଦବ ୭/୪୮, ରଜନୀଶ ଗୁରବାଣୀ ୩/୩୮) ଓ ଦ୍ବିତୀୟ ପାଳି: ୯୧ (ଅରୁଣ କାର୍ତିକ ୩୬, ଯୋଶେଫ୍‌ ୧୭, ବିଷ୍ଣୁ ବିନୋଦ ୧୫, ଉମେଶ ଯାଦବ ୫/୩୧, ଠାକୁର ୪/୨୮)। ବିଦର୍ଭ ପ୍ରଥମ ପାଳି ୨୦୮ (ଫୈଜ ଫଜଲ ୭୫, ୱାସିମ ଜାଫର ୩୪, ତାଇଡେ ୨୩, ସଞ୍ଜୟ ୧୯, ଉମେଶ ଯାଦବ ୧୭*, ସନ୍ଦୀପ ୱାରିୟର ୫/୫୭, ବାସିଲ ଥାମ୍ପି ୩/୬୪, ଏମଡି ନିଦେଶ ୨/୫୩)।

ପାଳି ଅଗ୍ରଣୀ ପାଇଁ କର୍ଣ୍ଣାଟକ-ସୌରାଷ୍ଟ୍ର ସଂଘର୍ଷ
ବେଙ୍ଗାଲୁରୁରେ ଚାଲିଥିବା ଦ୍ବିତୀୟ ସେମିଫାଇନାଲ୍‌ ମ୍ୟାଚ୍‌ରେ ପ୍ରଥମ ପାଳି ଅଗ୍ରଣୀ ପାଇଁ ଏବେ ଘରୋଇ କର୍ଣ୍ଣାଟକ ଓ ସୌରା‌ଷ୍ଟ୍ର ମଧ୍ୟରେ ସଂଘର୍ଷ ଜାରି ରହିଛି। ଟସ୍‌ ଜିତି ବ୍ୟାଟିଂ ନେଇଥିବା କର୍ଣ୍ଣାଟକ ପ୍ରଥମ ପ‌ାଳିରେ ୨୭୫ ରନ୍‌ କରିବା ପରେ ସୌରାଷ୍ଟ୍ର ଦ୍ବିତୀୟ ଦିବସ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ୨୨୭ ରନ୍‌ରେ ୭ ୱିକେଟ୍‌ ହରାଇଛି। ଫଳରେ ହାତରେ ୩ ୱିକେଟ୍‌ ଥାଇ ସୌରାଷ୍ଟ୍ର ୪୮ ରନ୍‌ ପଛରେ ରହିଛି। ପ୍ରଥମ ଦିନ ସ୍କୋର୍‌ ୨୬୪/୯ରୁ ଖେଳିଥିବା କର୍ଣ୍ଣାଟକ ଶୁକ୍ରବାର ଆଉ ୧୦.୩ ଓଭର ଖେଳି ୧୧ ରନ୍‌ ଯୋଡ଼ିଥିଲା ବେଳେ ଶେଷ ୱିକେଟ୍‌ ହରାଇଥିଲା। ଦଳ ୨୭୫ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା ବେଳେ ଜୟଦେବ ଉନାଦ୍‌କଟ୍‌ ୪, କମଳେଶ ମକ୍‌ୱାନା ୩ ଓ ଧର୍ମେନ୍ଦ୍ର ଜାଦେଜା ୨ ୱିକେଟ୍‌ ନେଇଥିଲେ। ତେବେ ରୋନିତ୍‌ ମୋରେଙ୍କ ୫ ୱିକେଟ୍‌ ଅକ୍ତିଆର ଏବେ ସୌରାଷ୍ଟ୍ରକୁ ସଂଘର୍ଷ କରିବାକୁ ବାଧ୍ୟ କରିଛି। ସ୍ନେଲ୍‌ ପଟେଲ (୮୫)ଙ୍କ ଅର୍ଧଶତକ ବ୍ୟତୀତ ଚେତେଶ୍ବର ପୂଜାରା (୪୫), ସେଲ୍‌ଡନ୍‌ ଜାକ୍‌ସନ୍‌ (୪୬) ଓ ବାସବଦା (୨୬*)ଙ୍କ ଧୈର୍ଯ୍ୟପୂର୍ଣ୍ଣ ପାଳି ସତ୍ତ୍ବେ ସୌରାଷ୍ଟ୍ର ୨୨୭ ରନ୍‌ରେ ୭ ୱିକେଟ୍‌ ହରାଇଦେଇଛି।

ସଂକ୍ଷିପ୍ତ ସ୍କୋର୍‌: କର୍ଣ୍ଣାଟକ ପ୍ରଥମ ପାଳି ୨୭୫ (ମନୀଷ ପାଣ୍ଡେ ୬୨, ଶ୍ରେୟସ୍ ଗୋପାଳ ୮୭, ଶ୍ରୀନିବାସ ଶରତ ୮୩*, ଜୟଦେବ ଉନାଦକଟ ୪/୫୬, ମକ୍‌ୱାନା ୩/୭୪, ଜାଦେଜା ୨/୭୯)। ସୌରାଷ୍ଟ୍ର ପ୍ରଥମ ପାଳି ୨୨୭/୭ (୬୬.୩ ଓଭର): ସ୍ନେଲ୍‌ ପଟେଲ ୮୫, ଚେତେଶ୍ବର ପୂଜାରା ୪୫, ସେଲ୍‌ଡନ୍‌ ଜାକ୍‌ସନ୍‌ ୪୬, ବାସବଦା ୨୬*, ରୋନିତ୍‌ ମୋରେ ୫/୫୪।

ସମ୍ବନ୍ଧିତ ଖବର