ନାଗପୁର: ୟଶ୍ ଧୁଲ୍ଙ୍କ ଲଢ଼ୁଆ ୯୨ ରନ୍ ସତ୍ତ୍ବେ ଅବଶିଷ୍ଟ ଭାରତକୁ ୯୩ ରନ୍ରେ ପରାସ୍ତ କରି ବିଦର୍ଭ ଘରୋଇ କ୍ରିକେଟ୍ର ଅନ୍ୟତମ ସମ୍ମାଜନକ କ୍ରିକେଟ୍ ପ୍ରତିଯୋଗିତା ଇରାନୀ ଟ୍ରଫି ଜିତି ନେଇଛି। ୩୬୧ ରନ୍କୁ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଅବଶିଷ୍ଟ ଭାରତ ପ୍ରତିପକ୍ଷ ବିଦର୍ଭ ବୋଲରଙ୍କୁ ମୁକାବିଲା କରି ନପାରି ୨୬୭ ରନ୍ରେ ଅଲଆଉଟ୍ ହୋଇଯାଇଛି। ରବିବାର ପଞ୍ଚମ ତଥା ଶେଷ ଦିବସର ଦ୍ବିତୀୟ ଅଧିବେଶନରେ ବିଦର୍ଭର ବାମହାତୀ ସ୍ପିନର ହର୍ଷ ଦୁବେ (୪/୭୩) ଏବଂ ଦ୍ରୁତ ବୋଲର୍ ୟଶ୍ ଠାକୁର (୨/୪୭) ହିଁ ଅବଶିଷ୍ଟ ଭାରତର ସର୍ବାଧିକ କ୍ଷତି ଘଟାଇଥିଲେ। ଫଳରେ ବିଦର୍ଭ ତୃତୀୟ ଥର ଇରାନୀ ଟ୍ରଫି ଖେଳି ପ୍ରତିଥର ବିଜେତା ହେବାର ଗୌରବ ଅର୍ଜନ କରିଥିଲା।
ଅବଶିଷ୍ଟ ଭାରତ ଶେଷ ଦିନର ପ୍ରଥମ ଅଧିବେଶନରେ ହିଁ ୧୩୩ ରନ୍ରେ ୬ ୱିକେଟ୍ ହରାଇ ପରାଜୟ ଦ୍ବାର ଦେଶରେ ପହଞ୍ଚି ଯାଇଥିଲା। ହେଲେ ୟଶ୍ ଧୁଲ୍ ଓ ମାନବ ସୂତାର ଲଢ଼ିଥିଲେ। ଉଭୟ ସପ୍ତମ ୱିକେଟ୍ରେ ୧୦୪ ରନ୍ର ଭାଗୀଦାରି କରି ବିଦର୍ଭର ବିଜୟକୁ ବିଳମ୍ବିତ କରିଥିଲେ ମଧ୍ୟ ପରାଜୟ ଟାଳି ପାରି ନଥିଲେ। ତେବେ ଲଢ଼ୁଆ ଶତକ ଅର୍ଜନ କରିବାର ୮ ରନ୍ ପୂର୍ବରୁ ଠାକୁରଙ୍କୁ ଥାର୍ଡ ମ୍ୟାନ୍ ଅଞ୍ଚଳକୁ ସ୍ଲାଇସ୍ କରିବାକୁ ଯାଇ ଅଥର୍ବ ତାଇଡେଙ୍କ ହାତରେ ଧରାପଡ଼ି ଯାଇଥିଲେ ଧୁଲ୍। ସୀମାରେଖାର ଅତି ନିକଟରେ ତାଇଡେ ଏହି ପ୍ରତୀକ୍ଷିତ କ୍ୟାଚ୍କୁ ନେବା ପରେ ଠାକୁର ଓ ଧୁଲ୍ ପରସ୍ପରକୁ କଟାକ୍ଷ କରି ଏକପ୍ରକାର ହାତାହାତି ହେବାର ନିକଟତର ହୋଇଯାଇଥିଲେ। ଅମ୍ପାୟାରଙ୍କ ହସ୍ତକ୍ଷେପ ପରେ ସ୍ଥିତି ସାମାନ୍ୟ ହୋଇଥିଲା। ତେବେ ସେହିଠାରେ ଅବଶିଷ୍ଟ ଭାରତର ସବୁ ଆଶା ମଉଳି ଯାଇଥିଲା। ମାନବ ୫୬ ରନ୍ କରି ଅପରାଜିତ ରହିଥିଲେ ମଧ୍ୟ ଅନ୍ୟପଟୁ ୧୦ଟି ଯାକ ୱିକେଟ୍ ଝଡ଼ି ପଡ଼ିଥିଲା।
ଅବଶିଷ୍ଟ ଭାରତ ଶନିବାର ଚତୁର୍ଥ ଦିବସରେ ୨ ୱିକେଟ୍ ହରାଇ ୩୦ ରନ୍ କରିଥିଲେ ମଧ୍ୟ ଉଭୟ ଦଳ ପାଇଁ ସୁଯୋଗ ରହିଥିଲା। ଦୁଇ ଅପରାଜିତ ବ୍ୟାଟର୍ ଈଶାନ କିଶନ ଏବଂ ଅଧିନାୟକ ରଜତ ପଟିଦାରଙ୍କ ସହ ଅବଶିଷ୍ଟ ଭାରତ ଆଉ ଦୁଇଟି ୱିକେଟ୍ ସଅଳ ହରାଇବା ପରେ ବିଦର୍ଭ ପଲା ଭାରୀ ହୋଇଯାଇଥିଲା। ଶେଷରେ ଏହି ଦଳ ସହଜ ବିଜୟ ହାସଲ କରିଥିଲା। ପ୍ରଥମ ପାଳିରେ ୧୪୩ ରନ୍ର ଦ୍ରୁତ ପାଳି ଖେଳିଥିବା ଅଥର୍ବ ତାଇଡେ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଏହା ପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବିଦର୍ଭ ପ୍ରଥମ ପାଳିରେ ୩୪୨ ଏବଂ ଦ୍ବିତୀୟରେ ୨୩୨ ରନ୍ କରିଥିଲା। ଏହାର ଜବାବରେ ଅବଶିଷ୍ଟ ଭାରତ ପ୍ରଥମ ପାଳିରେ ୨୧୪ ରନ୍ କରିବା ପରେ ଦ୍ବିତୀୟରେ ୨୬୭ ରନ୍ରେ ଅଲ୍ଆଉଟ୍ ହୋଇ ପରାଜିତ ହୋଇଥିଲା।