ନାଗପୁର: ବିଦର୍ଭ ତୃତୀୟ ଥର ପାଇଁ ରଣଜୀ ଟ୍ରଫି ବିଜୟକୁ ଏକ ପ୍ରକାର ନିଶ୍ଚିତ କରିଛି। ପ୍ରଥମ ପାଳିରେ ଅଗ୍ରଣୀ‌ ନେବା ସହ ମୋଟ ଉପରେ ୨୮୬ ରନ୍‌ରେ ଅଗ୍ରଣୀ ରହିଛି ଅକ୍ଷୟ ୱାଡକରଙ୍କ ଦଳ। ନାଗପୁରର ଭିସିଏ ଷ୍ଟାଡିୟମ୍‌ରେ ଚାଲିଥିବା କେରଳ ବିପକ୍ଷ ଫାଇନାଲ୍‌ର ଚତୁର୍ଥ ଦିନ ସୁଦ୍ଧା ବିଦର୍ଭ ଦ୍ବିତୀୟ ପାଳିରେ ୪ ୱିକେଟ୍ ହରାଇ ୨୪୯ ରନ୍ ସଂଗ୍ରହ କରି ନେଇଛି।  ହାତରେ ଆଉ ୬ ୱିକେଟ୍ ଥାଇ ବିଦର୍ଭ ୨୮୬ ରନ୍ ଆଗୁଆ ଥିବାରୁ ଅନ୍ୟୂନ ପ୍ରଥମ ପାଳି ଅଗ୍ରଣୀ ଭିତ୍ତିରେ ଦଳ ବିଜେତା ହେବା ନିଶ୍ଚିତ ରହିଛି। ପୂର୍ବରୁ ବିଦର୍ଭ ୨୦୧୭-୧୮ ଏବଂ ୨୦୧୮-୧୯ରେ କ୍ରମାଗତ ଦୁଇଟି ଋତୁରେ ବିଜେତା ହୋଇଥିଲା। ୬ ଋତୁ ପରେ ପୁଣି ଘରୋଇ କ୍ରିକେଟ୍‌ର ଏହି ମହାମୁକୁଟ ଜିତିବାକୁ ଯାଉଛି।

Advertisment

ଦାନିଶ ମାଲେୱାର (୧୫୩)ଙ୍କ ଶତକ ବଳରେ ବିଦର୍ଭ ପ୍ରଥମ ପାଳିରେ ୩୭୯ ରନ୍ କରିଥିଲା। ଶୁକ୍ରବାର ତୃତୀୟ ଦିନରେ କିନ୍ତୁ ସଚିନ ବେବି (୯୮) ଶତକରୁ ବଞ୍ଚିତ ହେବା ଭଳି କେରଳ ୩୪୨ ରନ୍‌ରେ ଅଟକିଯାଇଥିଲା। ଶନିବାର ଚତୁର୍ଥ ଦିନରେ ସେଭଳି କିଛି ବଡ଼ ଓଲଟ ପାଲଟ ହୋଇନାହିଁ। ଦାନିଶ ମାଲେୱାର (୭୩, ୧୬୨ ବଲ୍‌, ୫ ଚୌକା)ଙ୍କ ଅର୍ଦ୍ଧଶତକ ଏବଂ କରୁଣ ନାୟାର (୧୩୨*, ୨୮୦ ବଲ୍‌, ୧୦ ଚୌକା, ୨ ଛକା)ଙ୍କ ଶତକ ବଳରେ ୪ ୱିକେଟ୍‌ ହରାଇ ୨୪୯ ରନ୍ କରିଛି। ଜଳଜ ସାକ୍ସେନା, ନିଦ୍ଧେଶ, ସରୱାତେ ଓ ଚନ୍ଦ୍ରନ ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଛନ୍ତି। ଜାତୀୟ ଦଳରୁ ଉପେକ୍ଷିତ କରୁଣ ନାୟାର ପ୍ରଥମ‌ ଶ୍ରେଣୀ କ୍ରିକେଟ୍‌ରେ ୨୩ତମ ଏବଂ ଚଳିତ ଋତୁରେ ଚତୁର୍ଥ ଶତକ ହାସଲ କରିବା ସହ ଆଉ ଏକ ସଫଳ ଋତୁ ଶେଷ କରିବାକୁ ଯାଉଛନ୍ତି। କିଛି ବର୍ଷ ତଳେ କେରଳ ପାଇଁ ଡାକରା ପାଇଥିବା ଏହି ଖେଳାଳି ଏବେ ସେହି ରାଜ୍ୟ ବିପକ୍ଷରେ ଶତକ ହାସଲ କରିଛନ୍ତି। ପୂର୍ବରୁ କର୍ଣ୍ଣାଟକ ପାଇଁ ଦୁଇ ଥର ରଣଜୀ ଟ୍ରଫି ଜିତିଥିବା କରୁଣ ନାୟାର (୨୦୧୩-୧୪ ଓ ୨୦୧୪-୧୫) ମଧ୍ୟ ବ୍ୟକ୍ତିଗତ ଭାବେ ତୃତୀୟ ଥର ଟ୍ରଫି ତୋଳିବାର ସୁଯୋଗ ପାଇବେ।