ଭୁବନେଶ୍ବର: ଅହମଦାବାଦର ନରଣାପୁରଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନରେ ଓଡ଼ିଆ ଝିଅଙ୍କ ଚମକ ଜାରି ରହିଛି। ମୀନା ସାନ୍ତା (ଏ) ମହିଳା ୫୮ କିଲୋଗ୍ରାମରେ ସ୍ବର୍ଣ୍ଣ ଏବଂ ସ୍ନେହା ‌ସୋରେନ ୫୩ କିଲୋଗ୍ରାମରେ ରୌପ୍ୟ ପଦକ ଜିତିବାର ଦିନକ ପରେ ବିଦୁସ୍ମିତା ଭୋଇ କନିଷ୍ଠ ବର୍ଗର ୬୩ କିଲୋଗ୍ରାମରେ ନୂଆ ରେକର୍ଡ ସହ ସ୍ବର୍ଣ୍ଣ ପଦକ ଜିତି ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ବିଦୁସ୍ମିତା ସ୍ନାଚ୍‌ରେ ୮୯ ଏବଂ କ୍ଲିନ୍ ଆଣ୍ଡ ଜର୍କରେ ୧୧୫ କିଲୋଗ୍ରାମ ଭାର ଉଠାଇଥିଲେ। କ୍ଲିନ୍ ଆଣ୍ଡ ଜର୍କରେ ତାଙ୍କ ସଫଳତା ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ଚାମ୍ପିଅନସିପ୍ ଇତିହାସର ନୂଆ ରେକର୍ଡ ଥିଲା। ସେହିଭଳି ମୋଟ ଉପରେ ୨୦୪ କିଲୋଗ୍ରାମ ଭାରୋତ୍ତୋଳନ କରି ବିଦୁସ୍ମିତା ଓଡ଼ିଶା ପାଇଁ ତୃତୀୟ ସ୍ବର୍ଣ୍ଣ ଜିତିଥିଲେ। କିଂବଦନ୍ତି କ୍ରିକେଟର୍ ଟେନଭିକ୍ ସ୍ପୋର୍ଟସ ପ୍ରା. ଲିମିଟେଡ୍ ଦ୍ବାରା ପରିଚାଳିତ ଢେଙ୍କାନାଳ ଭାରୋତ୍ତୋଳନ ଉପକେନ୍ଦ୍ରର ପ୍ରଶିକ୍ଷାର୍ଥୀ ବିଦୁସ୍ମିତା, ପ୍ରତିଷ୍ଠିତ ପ୍ରଶିକ୍ଷକ ଗୋପାଳକୃଷ୍ଣ ଦାସଙ୍କଠାରୁ ପ୍ରଶିକ୍ଷଣ ନେଇ ଏହି ଐତିହାସିକ ସଫଳତା ଲାଭ କରିଛନ୍ତି। ଏହା ପୂର୍ବରୁ ସେ ଚଳିତ ବର୍ଷର ଅସ୍ମିତା ଖେଲୋ ଇଣ୍ଡିଆ ଭାରୋତ୍ତୋଳନ ପ୍ରତିଯୋଗିତାର ୫୯ କିଲୋଗ୍ରାମରେ ସ୍ବର୍ଣ୍ଣ ପଦକ ଜିତି ନିଜ ଅନନ୍ୟ ପ୍ରତିଭାର ପରିଚୟ ଦେଇ ସାରିଥିଲେ। 

Advertisment

ଅନ୍ୟତମ ଓଡ଼ିଆ ତାରକା ଟିକି ମୋହିନୀ ମଲ୍ଲିକ ଯୁବ ବର୍ଗର ୬୩ କିଲୋଗ୍ରାମ ବର୍ଗର ସ୍ନାଚ୍‌ରେ ୭୧ ଏବଂ କ୍ଲିନ୍ ଆଣ୍ଡ୍‌ ଜର୍କରେ ୯୧ କିଲୋଗ୍ରାମ ସହ ମୋଟ ଉପରେ ୧୬୨ କିଲୋଗ୍ରାମ ଭାରୋତ୍ତୋଳନ କରି ପଞ୍ଚମ ସ୍ଥାନରେ ରହିଥିଲେ। ସୂଚନାଯୋଗ୍ୟ, ଚଳିତ ପ୍ରତିଯୋଗିତାରେ ସୋମବାର ଓଡ଼ିଶା ପାଇଁ ପ୍ରଥମ ସଫଳତା ଆଣିଥିଲେ ପ୍ରତିଭାବାନ ଯୁବା ଲିଫ୍ଟର ପ୍ରୀତିସ୍ମିତା ଭୋଇ। ପୂର୍ବତନ ଯୁବ ବିଶ୍ବ ବିଜୟିନୀ ପ୍ରୀତିସ୍ମିତା ୪୪ କେଜି ମହିଳା ଯୁବ ବର୍ଗରେ ରେକର୍ଡ ସହ ସ୍ବର୍ଣ୍ଣ ପଦକ କରାୟତ୍ତ କରିଛନ୍ତି। ଏଥିସହ ଏହି ୩ଟି ଯାକ ବର୍ଗରେ ସେ ମଧ୍ୟ ରାଜ୍ୟଗୋଷ୍ଠୀ ରେକର୍ଡର ଅଧିକାରିଣୀ ହୋଇଛନ୍ତି। ବିଦୁସ୍ମିତାଙ୍କୁ ଓଡ଼ିଶା ରାଜ୍ୟ ଭାରୋତ୍ତୋଳନ ସଂଘର ସଭାପତି ଇଂ ଚିତ୍ତରଞ୍ଜନ ସ୍ବାଇଁ ଏବଂ ଅନ୍ତରୀଣ ସମ୍ପାଦକ ତଥା ପ୍ରଶିକ୍ଷକ ଗୋପାଳକୃଷ୍ଣ ଦାସଙ୍କ ସହ ଅନ୍ୟ କର୍ମକର୍ତ୍ତାମାନେ ଅଭିନନ୍ଦନ ଜଣାଇଛନ୍ତି।