ବେଙ୍ଗାଲୁରୁ, ୧୩/୧ : ବେଙ୍ଗାଲୁରୁସ୍ଥିତ ବିସିସିଆଇ ସେଣ୍ଟର ଅଫ୍ ଏକ୍ସଲେନ୍ସ ଗ୍ରାଉଣ୍ଡ୍ଠାରେ ମଙ୍ଗଳବାର ଖେଳାଯାଇଥିବା ବିଜୟ ହଜାରେ ଟ୍ରଫିର କ୍ବାର୍ଟର ଫାଇନାଲ୍ ମ୍ୟାଚ୍ରେ ଦିଲ୍ଲୀକୁ ୭୬ ରନ୍ରେ ପରାସ୍ତ କରିଛି ବିଦର୍ଭ । ଏହି ବିଜୟ ସହ ସେମିଫାଇନାଲରେ ପ୍ରବେଶ କରିଛି ବିଦର୍ଭ଼।
ମଙ୍ଗଳବାର ମ୍ୟାଚ୍ରେ ଦିଲ୍ଲୀ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ବିଦର୍ଭ ନିର୍ଦ୍ଧାରିତ ୫୦ ଓଭରରେ ୯ ଓ୍ବିକେଟ୍ ହରାଇ ୩୦୦ ରନ୍ କରିଥିଲା। ଦଳ ପକ୍ଷରୁ ୟଶ ରାଠୋଡ଼ ୮୬, ଅଥର୍ବ ଟାଇଡେ ୬୨ ଓ ଧ୍ରୁବ ସୋରେ ୪୯ ରନ୍ କରିଥିଲେ । ସେହିପରି ରବିକୁମାର ସମର୍ଥ ୨୩ ରନ୍ କରିଥିବାବେଳେ ୟଶ କଦମ ୧୯ ରନ୍ କରିଥିଲେ। ଦିଲ୍ଲୀ ପକ୍ଷରୁ ନୀତିଶ ରାଣା, ଇଶାନ୍ତ ଶର୍ମା, ନବଦୀପ ସାଇନି ଓ ପ୍ରିନ୍ସ ଯାଦବ ୨ଟି ଲେଖାଏଁ ଓ୍ବିକେଟ୍ ନେଇଥିଲେ। ୩୦୧ରନ୍ ଲକ୍ଷ୍ୟର ପିଛା କରୁଥିବା ଦିଲ୍ଲୀ ୪୫.୧ ଓଭରରେ ୨୨୪ ରନ୍ କରି ଅଲଆଉଟ ହୋଇଯାଇଥିଲା। ଦଳର ଦୁଇ ଓପନର ପ୍ରିୟାଂଶ ଆର୍ଯ୍ୟା (୨୮ ରନ୍) ଓ ବୈଭବ ଖଣ୍ଡପାଲ୍ (୨୮ ରନ) ଆରମ୍ଭରୁ ୫୮ ରନ୍ର ଭାଗିଦାର କରି ଏକ ଦୃଢ ମୂଳଦୁଆ ପକାଇଥିଲେ । କିନ୍ତୁ ୫୮ ରନ୍ରେ ହିଁ ଦଳ ଲଗାତାର ୨ଟି ଓ୍ବିକେଟ୍ ହରାଇଥିଲା ।
ଏହା ପରେ ଦଳ ନିୟମିତ ବ୍ୟବଧାନରେ ଓ୍ବିକେଟ୍ ହରାଇଚାଲିଥିଲା । କିନ୍ତୁ ମଧ୍ୟକ୍ରମରେ ଅନୁଜ ରାଓ୍ବତ, ହର୍ଷ ତ୍ୟାଗୀ ଓ ହ୍ରିତିକ୍ ସୋକିନଙ୍କ ମଧ୍ୟରେ ଏକ ଭଲ ଭାଗୀଦାର ଦେଖିବାକୁ ମିଳିଥିଲା । ଅନୁଜ ୬୬ନ, ହର୍ଷ ୨୭ନ ଓ ହ୍ରିତିକ ୨୧ ରନ କରିଥିଲେ । କିନ୍ତୁ ଏସବୁ ପାଳି ଦିଲ୍ଲୀକୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇପାରିନଥିଲା। ଦଳ ୪୫.୧ ଓଭରରେ ୨୨୪ରେ ଅଲଆଉଟ୍ ହୋଇଯାଇଥିଲା । ବିଦର୍ଭ ପକ୍ଷରୁ ନଚିକେତ ଭୁଟେ ୪ଟି ଓ୍ବିକେଟ୍ ନେଇଥିବାବେଳେ ହର୍ଷ ଦୁବେ ୩ଟି ଓ ପ୍ରଫୁଲ ହିଞ୍ଜେ ୨ଟି ଓ୍ବିକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର : ବିଦର୍ଭ ୫୦ ଓଭରରେ-୩୦୦/୯ (ୟଶ୍ ରୋଠୋଡ଼ ୮୬, ଅଥର୍ବ ଟାଇଡେ ୬୨, ଧ୍ରୁବ ସୋରେ ୪୯, ଈଶାନ୍ତ ଶର୍ମା ୨/୪୭, ନୀତୀଶ ରାଣା ୨/୧୯)। ଦିଲ୍ଲୀ ୪୫.୧ ଓଭରରେ-୨୨୪/୯ (ଅନୁଜ ରାୱତ ୬୬, ପ୍ରିୟାଂଶ ଆର୍ଯ୍ୟ ୨୮, ବୈଭବ କନ୍ଦପାଲ ୨୮, ନଚିକେତ ଭୁଟେ ୪/୫୧, ହର୍ଷ ଦୁବେ ୩/୩୬)।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2026/01/13/new-project-24-2026-01-13-21-59-01.jpg)