ଭୁବନେଶ୍ବର: ବିଜୟ ହଜାରେ ଟ୍ରଫି ଏକଦିବସୀୟ ଘରୋଇ କ୍ରିକେଟ୍ ପ୍ରତିଯୋଗିତାରେ ଓଡ଼ିଶା କ୍ରମାଗତ ପରାଜୟ ବରଣ କରିଛି। ନିଜ ପ୍ରଥମ ମ୍ୟାଚ୍ରେ ଗୋଆଠାରୁ ହାରିଯାଇଥିବା ସନ୍ଦୀପ ପଟ୍ଟନାୟକଙ୍କ ଦଳ ସୋମବାର ଆସାମ ନିକଟରୁ ୫ ୱିକେଟ୍ରେ ହାରିଯାଇଛି। ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା କାର୍ତ୍ତିକ ବିଶ୍ବାଳଙ୍କ ଅପରାଜିତ ଅର୍ଦ୍ଧଶତକ (୭୨ ବଲ୍ରୁ ୭୬* ରନ୍) ଓ ଆଶୀର୍ବାଦ ସ୍ବାଇଁ (୪୫ ବଲ୍ରୁ ୫୮ ରନ୍) ଦ୍ରୁତ ପାଳି ସତ୍ତ୍ବେ ୫୦ ଓଭରରେ ୫ ୱିକେଟ୍ ହରାଇ ୨୬୭ ରନ୍ କରିଥିଲା। ଉଭୟ ପଞ୍ଚମ ୱିକେଟ୍ ପାଇଁ ୧୨୩ ରନ୍ (୧୪.୩ ଓଭର) ଯୋଡ଼ିଥିଲେ। ତାଙ୍କ ପୂର୍ବରୁ ସ୍ବସ୍ତିକ ସାମଲ (୪୦), ସନ୍ଦୀପ ପଟ୍ଟନାୟକ (୩୪) ଓ ଗୋବିନ୍ଦ ପୋଦ୍ଦାର (୩୩) ଭଲ ଖେଳିଥିଲେ ମଧ୍ୟ ବଡ଼ ପାଳିରେ ରୂପାନ୍ତର କରିପାରି ନଥିଲେ।
ଆସାମ ପକ୍ଷରୁ ମୃଣ୍ମୟ ଦତ୍ତ ୨ ୱିକେଟ୍ ଏବଂ ଅକାଶ ସେନଗୁପ୍ତା ଓ ପରଭେଜ୍ ମୁସାରଫ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ଜବାବରେ ଋଷଭ ଦାସ (୧୧୯ ବଲ୍ରୁ ୭୩ ରନ୍), ଶିବଶଙ୍କର ରାୟ (୫୬ ବଲ୍ରୁ ୬୬ ରନ୍), ସୁମିତ ଗଡ଼ିଗାଓଁକର (୫୧ ବଲ୍ରୁ ୪୭ ରନ୍)ଙ୍କ ପାଳି ଆସାମ ବିଜୟରେ କର୍ଣ୍ଣଧାର ସାଜିଥିଲା। ଶେଷ ଓଭର୍ରୁ ୯ ରନ୍ ଆବଶ୍ୟକ ଥିବା ବେଳେ ଦେବବ୍ରତ ପ୍ରଧାନଙ୍କ ଶେଷ ବଲ୍କୁ ଚୌକା ମାରି ସାହିଲ୍ େଜୖନ୍ ଆସାମକୁ ଜିତିାଇଥିଲେ। ଓଡ଼ିଶା ପକ୍ଷରୁ ରାଜେଶ ମହାନ୍ତି (୯-୦-୪୩-୨) ସଫଳ ବୋଲର ଥିବାବେଳେ ସ୍ବସ୍ତିକ ସାମଲ, ଯାମଳା ମହାପାତ୍ର, ଅଭିଷେକ ରାଉତ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।
ମୁମ୍ବାଇର ୩୮୩କୁ ପଛରେ ପକାଇଲା କର୍ଣ୍ଣାଟକ
ବିଜୟ ହଜାରେ ଟ୍ରଫିର ଅନ୍ୟ ଏକ ମ୍ୟାଚ୍ରେ ମୁମ୍ବାଇ ୩୮୩ ରନ୍ କରିଥିଲେ ମଧ୍ୟ କର୍ଣ୍ଣାଟକ ନିକଟରୁ ୭ ୱିକେଟ୍ ବ୍ୟବଧାନରେ ହାରିଯାଇଛି। ବିଜୟ ହଜାରେ ଟ୍ରଫି ଇତିହାସରେ ଏହା ଦ୍ବିତୀୟ ସର୍ବୋଚ୍ଚ ପଶ୍ଚାତ୍ଧାବନ ବିଜୟ। ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଶ୍ରେୟସ ଆୟର (୫୫ ବଲ୍ରୁ ୧୧୪* ରନ୍), ହାର୍ଦିକ ତାମୋର୍ (୮୪) ଓ ଆୟୁଷ ମହାତ୍ରେ (୭୮), ଶିବମ ଦୁବେ (୬୩*)ଙ୍କ ବଳରେ ମୁମ୍ବାଇ ବିଶାଳ ସ୍କୋର୍ କରିଥିଲା। ଆୟର ଓ ଦୁବେ ଶେଷ ୬୫ ବଲ୍ରୁ ୧୪୮ ରନ୍ ଯୋଡ଼ିଥିଲେ। ଜବାବରେ ନିଜର ତୃତୀୟ ଲିଷ୍ଟ୍-ଏ ମ୍ୟାଚ୍ ଖେଳୁଥିବା କେ ଶ୍ରୀଜିତ୍ (୧୦୧ ବଲ୍ରୁ ୧୫୦*) ଦଳକୁ ୩.୪ ଓଭର ପୂର୍ବରୁ ବିଜୟୀ କରାଇଥିଲେ। କେଭି ଅନୀଶ (୬୫*), ପ୍ରବୀଣ ଦୁବେ (୬୫), ମୟଙ୍କ ଅଗ୍ରୱାଲ (୪୭) ଭଲ ସହଯୋଗ କରିଥିଲେ।