କଟକ: ମୁମ୍ବାଇର ଶରଦ ପାୱାର କ୍ରିକେଟ ଏକାଡେମିଠାରେ ଖେଳାଯାଇଥିବା ବିଜୟ ହଜାରେ ଟ୍ରଫିରେ ଜମ୍ମୁ କାଶ୍ମୀର ୩ ୱିକେଟରେ ଓଡ଼ିଶାକୁ ହରାଇଛି। ଫଳରେ ଓଡ଼ିଶା ୫ମ୍ୟାଚ୍ରୁ ଲଗାତାର ଭାବେ ତୃତୀୟ ମ୍ୟାଚ୍ରେ ହାରିଥିଲା ବେଳେ ପ୍ରତିଯୋଗିତାରେ ଏହା ହେଉଛି ଚତୁର୍ଥ ପରାଜୟ। ଏହି ମ୍ୟାଚ୍ରେ ଜମ୍ମୁ ଟସ୍ ଜିତି ପ୍ରଥମେ କ୍ଷେତ୍ରରକ୍ଷଣ କରିଥିଲା। ଅଭିଷେକ ରାଉତଙ୍କ ୭୫ ଓ ରାକେଶ ପଟ୍ଟନାୟକଙ୍କ ୫୩ ରନ୍ ସହାୟତାରେ ଓଡ଼ିଶା ୬ ୱିକେଟ୍ ହରାଇ ୨୬୮ ରନ୍ କରିଥିଲା।
ଅନ୍ୟମାନଙ୍କ ମଧ୍ୟରେ କାର୍ତ୍ତିକ ବିଶ୍ବାଳ ୪୭, ରାଜେଶ ଧୂପର ୩୨ ରନ୍ ଦଳୀୟ ସ୍କୋରରେ ଯୋଡ଼ିଥିଲେ। ପ୍ରତିପକ୍ଷର ଯୁଦ୍ଧବୀର ସିଂହ ୩, ମୁଜତାବା ୟୁସୁଫ ୨ ୱିକେଟ୍ ଅକ୍ତିଆର କରିଥିଲେ। ଜବାବରେ ଜମ୍ମୁ କାଶ୍ମୀର ୭ ବଲ୍ ଓ ୩ ୱିକେଟ୍ ବାକି ଥାଇ ମ୍ୟାଚ୍କୁ ଜିତିନେଇଥିଲା। ବିଜୟୀ ଦଳର ଶୁଭମ୍ ଖଜୁରିଆ ୭୮ ଓ ଶୁଭମ ସିଂହ ପୁନ୍ଦର ୫୭ ରନ୍ କରିଥିଲେ। ଓଡ଼ିଶା ପାଇଁ ତାରିଣୀ ସ’ ୩ ଓ ଅଭିଷେକ ୨ ୱିକେଟ୍ ହାସଲ କରିଥିଲେ। ପୂର୍ବରୁ କେବଳ ନାଗାଲାଣ୍ଡ ବିପକ୍ଷରେ ଓଡ଼ିଶା ମ୍ୟାଚ୍ ଜିତିଥିଲା ବେଳେ ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ, ବରୋଦାଠୁ ପରାଜିତ ହୋଇଥିଲା। ଓଡ଼ିଶା ତାହାର ଶେଷ ଲିଗ୍ ମ୍ୟାଚ୍ ସୋମବାର ପଞ୍ଜାବ ବିପକ୍ଷରେ ଖେଳିବ।