ଭୁବନେଶ୍ବର/କଟକ: ଚଳିତ ବିଜୟ ହଜାରେ ଟ୍ରଫିରେ ଓଡ଼ିଶାର ଖରାପ ପ୍ରଦର୍ଶନ ଜାରି ରହିଛି। ଶୁକ୍ରବାର ନିଜର ଷଷ୍ଠ ମ୍ୟାଚ୍ରେ ସନ୍ଦୀପ ପଟ୍ଟନାୟକଙ୍କ ନେତୃତ୍ବାଧୀନ ଓଡ଼ିଶା ଚତୁର୍ଥ ପରାଜୟ ବରଣ କରିଛି। ଜୟପୁରରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ହରିୟାଣା ୪ ୱିକେଟ୍ରେ ଓଡ଼ିଶାକୁ ହରାଇଛି। ଏବେ ନକ୍ଆଉଟ୍ ଆଶାକୁ ବି ହାତଛଡ଼ା କରିଛି। ଓଡ଼ିଶା ରବିବାର ଶେଷ ଲିଗ୍ ମ୍ୟାଚ୍ରେ ଗୁଜରାଟକୁ ଭେଟିବ।
ଶୁକ୍ରବାର ଟସ୍ ହାରି ଓଡ଼ିଶା ପ୍ରଥମେ ବ୍ୟାଟିଂ କରିଥିଲା। ସ୍ବସ୍ତିକ ସାମଲ ଓ ରାଜେଶ ଧୂପର ପ୍ରଥମ ୱିକେଟ୍ରେ ଶତକୀୟ ଭାଗୀଦାରି ଗଢ଼ି ଭଲ ଆରମ୍ଭ ଦେଇଥିଲେ। ୨୫.୫ ଓଭରରେ ଦଳୀୟ ସ୍କୋର୍ ୧୧୫ ରନ୍ ଥିଲା ବେଳେ ଅର୍ଦ୍ଧଶତକ ଅର୍ଜନ କରିଥିବା ରାଜେଶ (୬୯) ପ୍ୟାଭିଲିୟନ୍ ଫେରିଥିଲେ। ଏହା ପର ଓଭରରେ ସ୍ବସ୍ତିକ (୪୨) ରନ୍ଆଉଟ୍ ଏବଂ ଅଭିଷେକ ରାଉତ (୪) ଆଉଟ୍ ହେବାରୁ ଦଳ ୧୨୫/୩ରେ ସଂଘର୍ଷ କରିଥିଲା। ତେବେ ଅଧିନାୟକ ସନ୍ଦୀପ ପଟ୍ଟନାୟକ ଚତୁର୍ଥ ୱିକେଟ୍ରେ କାର୍ତ୍ତିକ ବିଶ୍ବାଳ (୨୧)ଙ୍କ ସହ ୫୬ ରନ୍ର ଭାଗୀଦାରି ଗଢ଼ି ସ୍ଥିତି ସମ୍ଭାଳି ନେଇଥିଲେ। ପ୍ରୟାସ ସିଂହ (୫୦, ୨୭ ବଲ୍, ୪ ଚୌକା, ୪ ଛକା) ବିସ୍ଫୋରକ ଖେଳିବା ସହ ସନ୍ଦୀପଙ୍କ ସହ ପଞ୍ଚମ ୱିକେଟ୍ରେ ୬୬ ରନ୍ ଯୋଡ଼ିଥିଲେ। ସନ୍ଦୀପ (୬୯*, ୬୫ ବଲ୍, ୧ ଚୌକା, ୫ ଛକା) ଶେଷ ପର୍ଯ୍ୟନ୍ତ ଲଢ଼ିବାରୁ ସ୍କୋର୍ ୨୬୮/୫ରେ ପହଥିଲା।
ଜବାବରେ ହରିୟାଣା ୧୯ ରନ୍ରେ ପ୍ରଥମ ୱିକେଟ୍ ହରାଇଥିଲା। ତେବେ ହିମାଂଶୁ ରାଣା (୬୭) ଓ ଅଙ୍କିତ କୁମାର (୬୨) ଦ୍ବିତୀୟ ୱିକେଟ୍ରେ ୧୧୪ ରନ୍ ଯୋଡ଼ି ସ୍ଥିତି ସମ୍ଭାଳି ନେଇଥିଲେ। ପାର୍ଥ ଭାଟ୍ସ (୪୭) ଓ ରାହୁଲ ତିୱାତିଆ (୫୯*, ୩୭ ବଲ୍, ୫ ଚୌକା, ୩ ଛକା) ବିସ୍ଫୋରକ ଖେଳି ୩ ଓଭର ପୂର୍ବରୁ ଦଳକୁ ଜିତାଇଥିଲେ। ସୁମିତ ଶର୍ମା ୨ ଏବଂ ତାପସ ଦାସ, ଯାମଳା ମହାପାତ୍ର, ଅଭିଷେକ ରାଉତ ଓ କାର୍ତ୍ତିକ ବିଶ୍ବାଳ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ପାର୍ଥ ଭାଟ୍ସ (୧୦-୦-୨୯-୦, ୪୭ ରନ୍) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।