ସଂଜୁଙ୍କ ଦ୍ବିଶତକ: ବିଜୟ ହଜାରେ ଟ୍ରଫିରେ କୀର୍ତ୍ତିମାନ

ଆଲୁର: ବିଜୟ ହଜାରେ ଟ୍ରଫି ଏକଦିବସୀୟ ଘରୋଇ କ୍ରିକେଟ୍‌ରେ ଯୁବ ୱିକେଟରକ୍ଷକ ବ୍ୟାଟ୍‌ସମ୍ୟାନ୍‌ ସଞ୍ଜୁ ସାମସନ୍‌ ଦ୍ବିଶତକ ହାସଲ କରି ନୂଆ ଇତିହାସ ସୃଷ୍ଟି କରିଛନ୍ତି। ଭାରତୀୟଙ୍କ ମଧ୍ୟରେ ଅଷ୍ଟମ ଉଦାହରଣ ଭାବେ ଲିଷ୍ଟ୍‌ ‘ଏ’ (ଦିନିକିଆ ଅନ୍ତର୍ଜାତୀୟ ଏବଂ ଘରୋଇ ଦିନିକିଆ)ରେ ଦ୍ବିଶତକ ନଜରକୁ ଆସିଥିଲେ ମଧ୍ୟ ସାମସନ୍‌ ବିଜୟ ହଜାରେ ଟ୍ରଫିରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର ୨୧୨ ରନ୍ କରିଛନ୍ତି। ଆଲୁରଠାରେ ଗୋଆ ବିପକ୍ଷ ମ୍ୟାଚ୍‌ରେ ଏହି କେରଳ ତାରକା ନିଜର ପ୍ରଥମ ପ୍ରଥମ ଲିଷ୍ଟ୍‌ ‘ଏ’ ଶତକକୁ ଦ୍ବିଶତକରେ ପରିଣତ କରିଛନ୍ତି। ପୂର୍ବରୁ ସେ ଟ୍ବେଣ୍ଟି-୨୦ରେ ଦୁଇଟି ଏବଂ ପ୍ରଥମ ଶ୍ରେଣୀରେ ୯ ଶତକ ହାସଲ କରିଥିଲେ। ପୂର୍ବରୁ ୭ଟି ଦ୍ବିଶତକୀୟ ପାଳି ଭାରତୀୟ ଦିନିକିଆ କ୍ରିକେଟ୍‌ରେ ସମ୍ପୃକ୍ତ ରହିଥିଲେ ମଧ୍ୟ ୫ଟି ଦିନିକିଆ ଅନ୍ତର୍ଜାତୀୟରେ ରହିଥିଲା। ରୋହିତ ଶର୍ମା ଏକା ୩ ଥର, ସଚିନ ତେନ୍ଦୁଲକର ଏବଂ ବୀରେନ୍ଦ୍ର ସେହବାଗ ଥରେ ଲେଖାଏଁ କରିଥିଲେ। ଏହା ବ୍ୟତୀତ ଶିଖର ଧାୱନ ୨୦୧୩ ମସିହାରେ ପ୍ରିଟୋରିଆଠାରେ ଦକ୍ଷିଣ ଆଫ୍ରିକା ‘ଏ’ ବିପକ୍ଷରେ ଭାରତ ‘ଏ’ ପାଇଁ ୨୪୮ ରନ୍‌ର ପାଳି ଖେଳିଥିଲେ। ସେହିଭଳି ଗତ ଋତୁରେ ବିଜୟ ହଜାରେ ଟ୍ରଫିରେ ସିକିମ୍ ବିପକ୍ଷରେ ଉତ୍ତରାଖଣ୍ଡ ପକ୍ଷରୁ କର୍ନ ବୀର କୌଶଲ (୨୦୨) ଦ୍ବିଶତକ ହାସଲ କରିବାର ପ୍ରଥମ ଗୌରବ ଆଣିଥିଲେ। ଏହି ବ୍ୟକ୍ତିଗତ ସର୍ବାଧିକ ସ୍କୋର୍‌କୁ ସାମସନ୍‌ ପଛରେ ପକାଇ ଦେଇଛନ୍ତି।

ସାମସନ୍ ମଧ୍ୟ ଶନିବାର ଲିଷ୍ଟ୍ ‘ଏ’ କ୍ରିକେଟ୍‌ରେ ସର୍ବୋଚ୍ଚ ତୃତୀୟ ୱିକେଟ୍ ଭାଗୀଦାରିରେ ସାମିଲ ରହିଥିଲେ। ଅଧିନାୟକ ସଚିନ ବେବି (୧୨୭, ୧୨୫ ବଲ)ଙ୍କ ସହିତ ସାମସନ୍‌ ୩୩୮ ରନ୍ ଯୋଡ଼ିଥିଲେ। ଲିଷ୍ଟ ‘ଏ’ କ୍ରିକେଟ୍‌ରେ ଭାରତୀୟଙ୍କ ପାଇଁ ମଧ୍ୟ ଏହା ଏକ କୀର୍ତ୍ତିମାନ। ପୂର୍ବରୁ ଏହି କୀର୍ତ୍ତିମାନ ସଚିନ ତେନ୍ଦୁଲକର ଏବଂ ରାହୁଲ ଦ୍ରାବିଡ଼ (୩୩୧)ଙ୍କ ନାମରେ ଥିଲା। କେରଳ ନିର୍ଧାରିତ ୫୦ ଓଭରରେ ୩ ୱିକେଟ୍ ବିନିମୟରେ ୩୭୭ ରନ୍ କରିଥିଲା। ଶନିବାର ସାମସନ୍‌ ୩୦ ବଲରୁ ୫୨ ରନ୍ କରିବା ପରେ ରନ୍‌ ଗତି ବଢ଼ାଇଥିଲେ। ପରବର୍ତୀ ୩୬ ବଲରୁ ସେ ଦ୍ବିତୀୟ ୫୦ ରନ୍ ସହିତ ଶତକ ପୂର୍ଣ୍ଣ କରିଥିଲେ। ତୃତୀୟ ୫୦ ରନ୍ ପାଇଁ ୩୩ ବଲ୍ ‌ଖେଳିଥିଲେ। ଏକ ଛକା ମାରି ୧୯୯ ରନ୍‌ରେ ପହଞ୍ଚିଥିବା ସାମସନ୍‌ ନିଜର ଶେଷ ୫୦ ରନ୍‌ ପାଇଁ ମାତ୍ର ୨୬ ବଲ୍ ଖେଳିଥିଲେ।

ସମ୍ବନ୍ଧିତ ଖବର