ସୂର୍ଯ୍ୟଙ୍କ ଶତକ ବେକାର; ଆସାମଠୁ ହାରିଲା ଓଡ଼ିଶା

ବିଜୟ ମର୍ଚ୍ଚାଣ୍ଟ ଟ୍ରଫି

କଟକ: ଆସାମର ନୁରୁଲ ଷ୍ଟାଡିୟମରେ ରୋମାଞ୍ଚକ ମୋଡ଼ରେ ପହଞ୍ଚିଥିବା ଓଡ଼ିଶା-ଆସାମ ବିଜୟ ମର୍ଚ୍ଚାଣ୍ଟ ଟ୍ରଫିରେ ଭ୍ରମଣକାରୀ ଦଳ ପରାସ୍ତ ହୋଇଛି। ପ୍ରଥମ ପାଳିର ଅଗ୍ରଣୀ ସାଙ୍ଗକୁ ଦ୍ୱିତୀୟ ପାଳିରେ ଅଧିନାୟକ ସୂର୍ଯ୍ୟ ମହାପାତ୍ରଙ୍କ ଶତକ ବେକାର ଯାଇଛି। ଫଳରେ ଓଡ଼ିଶା ୧୫ ରନ୍‌ରେ ମ୍ୟାଚ୍‌ ହାରିଯାଇଥିଲା।
ଆସାମ ଦ୍ୱିତୀୟ ପାଳିରେ ୨୫୨ ରନ୍‌ କରିବା ପରେ ଓଡ଼ିଶା ସମ୍ମୁଖରେ ୨୦୮ ରନ୍‌ର ବିଜୟ ଲକ୍ଷ୍ୟ ଛାଡ଼ିଥିଲା। ଜବାବରେ ଓଡ଼ିଶା ୧୯୩ ରନ୍‌ରେ ସମସ୍ତ ଓ୍ଵିକେଟ୍‌ ହରାଇ ପରାଜୟକୁ ଆଦରି ନେଇଥିଲା। ଆରମ୍ଭରୁ ଓ୍ଵିକେଟ୍‌ ପତନ ଧାରା ଜାରି ରହିଥିଲା ବେଳେ ମଧ୍ୟକ୍ରମରେ ଏକା ଅଧିନାୟକ ସୂର୍ଯ୍ୟ ମହାପାତ୍ର ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରି ବିଜୟ ଆଶା ଦେଇଥିଲେ। ହେଲେ ଦଳୀୟ ସ୍କୋର୍‌ ୧୮୮ ବେଳେ ସପ୍ତମ ଓ୍ଵିକେଟ ଭାବେ ସୂର୍ଯ୍ୟ (୧୦୪ ରନ୍‌, ୧୭୭ ବଲ୍‌) ଆଉଟ ହୋଇଯାଇଥିଲେ। ସିଦ୍ଧାର୍ଥ ନାୟକ ଦ୍ୱିିତୀୟ ସର୍ବାଧିକ ଭାବେ ୩୦ ରନ୍‌ କରିଥିଲେ ମଧ୍ୟ ଓଡ଼ିଶା ୫ ରନ୍‌ ମଧ୍ୟରେ ପରବର୍ତୀ ୩ ଓ୍ଵିକେଟ୍‌ ହରାଇଥିଲା। ଆସାମର ଦେନିଶ ଦାସ ୬ ଓ୍ଵିକେଟ ଅକ୍ତିଆର କରିଥିଲେ। ଆସାମ ପ୍ରଥମ ପାଳିରେ ୭୪ ରନ୍‌ କରିଥିଲା ବେଳେ ଓଡ଼ିଶା ୧୧୯ ରନ୍‌ କରି ୪୫ ରନ୍‌ର ଅଗ୍ରଣୀ ପାଇଥିଲା।

ସମ୍ବନ୍ଧିତ ଖବର