ବିଜୟ-ପୂଜାରାଙ୍କ ଆଉ ଏକ ଦ୍ୱିଶତକ

ନାଗପୁର: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ୍‍ ଏବେ ଭାରତ ନିୟନ୍ତ୍ରଣରେ ରହିଛି। ପ୍ରଥମ ଦିନ ଭ୍ରମଣକାରୀ ଦଳ ୨୦୫ ରନ୍‌ କରିଥିଲା। ଜବାବରେ ଭାରତ ଦ୍ୱିତୀୟ ଦିନ ସୁଦ୍ଧା ୨ ଓ୍ଵିକେଟ୍‌ରେ ୩୧୨ ରନ୍‌ ସଂଗ୍ରହ କରି ନେଇଛି। କୋହଲିଙ୍କ ଦଳ ହାତରେ ୮ ଓ୍ଵିକେଟ୍‌ ଥାଇ ପ୍ରଥମ ପାଳିରେ ୧୦୭ ରନ୍‌ରେ ଆଗୁଆ ହୋଇସାରିଛି। ଦ୍ୱିତୀୟ ଓ୍ଵିକେଟ୍‌ ପାଇଁ ମୁରଲୀ ବିଜୟ ଏବଂ ଚେତେଶ୍ୱର ପୂଜାରାଙ୍କ ଦ୍ୱିଶତକ ଭାଗୀଦାରି (୨୦୯) ଭାରତର ପ୍ରାଧାନ୍ୟକୁ ପ୍ରତିଫଳିତ କରିଛି। ଏଥି ସହିତ ଏହି ଟେଷ୍ଟ୍‍ ଆଗୁଆ ଶେଷ ହେବାର ପ୍ରାକ୍‌ ଆଭାସ ମଧ୍ୟ ଦେଇଛି। ଶନିବାର ଦ୍ୱିତୀୟ ଦିବସରେ ସିଂହଳୀ ବୋଲର ମାତ୍ର ଗୋଟିଏ ଓ୍ଵିକେଟ୍‌ ଦଖଲ କରିବାରେ ସମର୍ଥ ହୋଇଥିଲେ।

ଶନିବାର ସକାଳେ ଭାରତ ୧୧/୧ରୁ ଖେଳ ଆରମ୍ଭ କରିଥିଲା। ପୂର୍ବ ସଂଧ୍ୟାରେ ଏକାଠି ହୋଇଥିବା ପୁରୁଣା ଯୋଡ଼ି ମୁରଲୀ ବିଜୟ ଏବଂ ଚେତେଶ୍ୱର ପୂଜାରା ପ୍ରଥମ ଦୁଇ ଅଧିବେଶନ ଅର୍ଥାତ୍‌ ଚା’ପାନ ବିରତି ପୂର୍ବରୁ ଅଲଗା ହୋଇନଥିଲେ। ମୁରଲୀ ବିଜୟ ବ୍ୟକ୍ତିଗତ ଭାବେ ୧୯ ରନ୍‌ରେ ଥିବାବେଳେ ହେରାଥ୍‌ଙ୍କ ବୋଲିଂରେ ସର୍ଟ ଲେଗ୍‌ରେ ଥିବା ସମରବିକ୍ରମା ଏକ କଷ୍ଟସାଧ୍ୟ କ୍ୟାଚ୍‌ ଛାଡ଼ିଦେବା ଏବଂ ରନ୍‌ ଆଉଟ୍‌ ସୁଯୋଗ ବି ହରାଇବା ଥିଲା ପାଳିରେ ଏକମାତ୍ର ବ୍ୟତିକ୍ରମ। ଏହାକୁ ଛାଡ଼ିଦେଲେ ବିଜୟ ଏବଂ ପୂଜାରା ତ୍ରୁଟିଶୂନ୍ୟ ଶତକ ହାସଲ କରିଥିଲେ। ମଧ୍ୟାହ୍ନ ଭୋଜନ ବିରତି ପରେ ବିଜୟ ୧୮୭ ବଲ୍‌ରୁ ୯ ଚୌକା ଓ ୧ ଛକା ସହିତ ତାଙ୍କ ଦଶମ ଟେଷ୍ଟ୍‍ ଶତକ ପୂରଣ କରିଥିଲେ। ଏଥି ସହିତ ପ୍ରତ୍ୟାବର୍ତନ ପାଳିକୁ ସ୍ମରଣୀୟ କରିବା ସହ ଦକ୍ଷିଣ ଆଫ୍ରିକା ଗସ୍ତ ଲାଗି ନିଜ ଦାବି ଉପସ୍ଥାପନ କରିଥିଲେ। ଆହତ କାରଣରୁ ଦଳରୁ ୮ ମାସ ଦୂରେଇ ରହିଥିଲେ ମଧ୍ୟ ତାଙ୍କ ଅନୁପସ୍ଥିତିରେ ଲୋକେଶ ରାହୁଲ ୧୦ ପାଳିରୁ ୮ ଅର୍ଧଶତକ ମାରି ସ୍ଥାନ ପକ୍କା କରି ନେଇଥିଲେ। ଏବେ ଧାଓ୍ଵନଙ୍କ ଅନୁପସ୍ଥିତିର ଫାଇଦା ଉଠାଇଛନ୍ତି ବିଜୟ।

ବିଜୟ ଶତକ ହାସଲ ବେଳକୁ ପୂଜାରା ୬୦ ରନ୍‌ରେ ଥିଲେ। ଚା’ପାନ ବିରତି ପରେ ପୂଜାରା ନିଜର ୧୪ତମ ଟେଷ୍ଟ ଶତକ ହାସଲ କରି ନେଇଥିଲେ। ପୂଜାରା କିନ୍ତୁ ତାଙ୍କ ଶତକ ହାସଲ କରିଥିଲେ ୨୬୬ ବଲ୍‌ରୁ ଏବଂ ୧୧ ଚୌକାର ସହାୟତା ନେଇଥିଲେ। ପାଳିର ୭୬ତମ ଓଭରରେ ବିଜୟ (୧୨୮, ୨୧୧ ବଲ୍‌, ୧୧ ଚୌକା, ୧ ଛକା) ହେରାଥ୍‌ଙ୍କୁ ଦ୍ୱିବିଧାରେ ସୁଇପ୍‌ ଖେଳିବାକୁ ଯାଇ ସର୍ଟ ଫାଇନ୍‌ ଲେଗ୍‌ରେ ଦିଲରୁଓ୍ଵାନ ପେରେରାଙ୍କୁ ସହଜ କ୍ୟାଚ୍‌ ଦେଇ ଫେରିଥିଲେ। ଅଧିନାୟକ ବିରାଟ କୋହଲିଙ୍କ ଆଗମନ କିନ୍ତୁ ଭାରତର ରନ୍‌ ହାରକୁ ବଢ଼ାଇ ଦେଇଥିଲା। କୋହଲି ମାତ୍ର ୬୬ ବଲ୍‌ରୁ ନିଜର ୫୦ ରନ୍‌ ପୂର୍ଣ୍ଣ କରିଥିଲେ। ମ୍ୟାଚ୍‌ ଶେଷ ବେଳକୁ ଭାରତୀୟ ବ୍ୟାଟିଂର ପ୍ରାଚୀର ଚେତେଶ୍ୱର ପୂଜାରା (୧୨୧*, ୨୮୪ ବଲ୍‌, ୧୩ ଚୌକା) ଏବଂ ବିରାଟ କୋହଲି (୫୪*, ୭୦ ବଲ୍‌, ୬ ଚୌକା) ବ୍ୟାଟିଂ କରୁଥିଲେ। ବିଜୟଙ୍କ ସହିତ ୨୦୯ ରନ୍‌ ଭାଗୀଦାରି କରିବା ପରେ କୋହଲିଙ୍କୁ ସାଥୀ କରି ପୂଜାରା ଅବିଭାଜିତ ୯୨ ରନ୍‌ ଯୋଡ଼ି ସାରିଛନ୍ତି।

ପରିପକ୍ୱ ଭାଗୀଦାରି

୨୦୧୬-୧୭ ଋତୁ ଆରମ୍ଭରୁ ମୁରଲୀ ବିଜୟ ଏବଂ ଚେତେଶ୍ୱର ପୂଜାରାଙ୍କ ଭାଗୀଦାରି କ୍ରମେ ପରିପକ୍ୱ ହୋଇଚାଲିଛି। ୧୧ ପାଳିରୁ ୧୧୬୩ ରନ୍‌ କରିଛନ୍ତି। ଏହି ଭାଗୀଦାରିର କ୍ରମ ଦେଖନ୍ତୁ ୧୧୨, ୧୩୩, ୨୭, ୨୩, ୨୦୯, ୪୭, ୧୬, ୧୦୭, ୧୭୮, ୧୦୨, ୨୦୯। ମୋଟ ଉପରେ କିନ୍ତୁ ଘରାଇ ମାଟିରେ ୨୨ ପାଳିରୁ ୯ ଶତକୀୟ ଭାଗୀଦାରି କରିଥିବା ବେଳେ ବିଦେଶରେ ୧୬ରୁ ଗୋଟିଏରେ ସଫଳ ହୋଇଛନ୍ତି। ଶନିବାର ସେମାନେ ଲଗାତାର ଚତୁର୍ଥ ଶତକୀୟ ଭାଗୀଦାରି କରିଥିଲେ। ଏହା ମଧ୍ୟ ବିଗତ ୭ ପାଳିରେ ପଞ୍ଚମ ଶତକୀୟ ଭାଗୀଦାରି। ଟେଷ୍ଟ୍‍ କ୍ରିକେଟ୍‌ ଇତିହାସରେ ଏମାନଙ୍କଠାରୁ ମାତ୍ର ୪ ଯୋଡ଼ିି ଲଗାତାର ଶତକୀୟ ସଫଳତା ପାଇଛନ୍ତି। ସେମାନେ ହେଲେ-ସାମ୍‌ ଲକ୍ସଟନ-ନିଲ୍‌ ହାର୍ଭେ, ସଞ୍ଜୟ ମଞ୍ଜରେକର୍‌-ମହମ୍ମଦ ଆଝାରୁଦ୍ଦିନ୍‌, ମାର୍କ ବୁଚର୍‌-ମାର୍କସ ଟ୍ରେସ୍କୋଥିକ୍‌ ଏବଂ ୟୁନିସ୍‌ ଖାନ-ମହମ୍ମଦ ୟୁସୁଫ୍‌। ସେହିଭଳି ଶନିବାର ବିଜୟ-ପୂଜାରାଙ୍କ ୨୦୯ ରନ୍‌ ଥିଲା ସେମାନଙ୍କ ତୃତୀୟ ଦ୍ୱିଶତକ ଭାଗୀଦାରି। ଅନ୍ୟ ୩ ଭାରତୀୟ ଯୋଡ଼ି ହେଲେ ଦ୍ରାବିଡ଼-ସେବହାଗ୍‌, ଦ୍ରାବିଡ଼-ତେନ୍ଦୁଲକର, ଗାଙ୍ଗୁଲି-ତେନ୍ଦୁଲକର।

ବର୍ଷର ତୃତୀୟ ୧୦୦୦ ରନ୍‌

ଚଳିତ ବର୍ଷ ୩ ଜଣ ଟେଷ୍ଟ୍‍ ବ୍ୟାଟସମ୍ୟାନ୍‌ ୧୦୦୦ ରନ୍‌ ପୂରଣ କରିଛନ୍ତି। ନାଗପୁରରେ ଶୁକ୍ରବାର ପ୍ରଥମ ଦିନ ଦିମୁଥ କରୁଣାରତ୍ନେ ଦ୍ୱିତୀୟ ଖେଳାଳି ଭାବେ ୧୦୦୦ ରନ୍‌ ପୂରଣ କରିଥିଲା ବେଳେ ଶନିବାର ଚେତେଶ୍ୱର ପୂଜାରା ଏହି ଧାରାରେ ତୃତୀୟ ହୋଇଛନ୍ତି। ଚଳିତ ବର୍ଷ ପୂର୍ବରୁ ଦକ୍ଷିଣ ଆଫ୍ରିକାର ଡିନ୍‌ ଏଲଗାର୍‌ ପ୍ରଥମେ ଏହା କରିଥିଲେ। କିନ୍ତୁ ହାରାହାରିରେ ପୂଜାରା (୭୪.୭୧) ଉଭୟ ଏଲଗାର୍‌ (୫୪.୮୫) ଓ କରୁଣାରତ୍ନେ (୪୩.୪୭)ଙ୍କଠାରୁ ଢେର ଆଗରେ ରହିଛନ୍ତି। ୨୦୧୬ ସେପ୍ଟେମ୍ବରଠାରୁ ପୂଜାରା ୭ ଶତକ ମାରି ସାରିଛନ୍ତି। ଯାହାକି ତାଙ୍କୁ ଶୀର୍ଷରେ ରଖିଛି। ଏହି ସମୟ ମଧ୍ୟରେ ଡିନ୍‌ ଏଲଗାର, ଷ୍ଟିଭେନ୍‌ ସ୍ମିଥ୍‌ ଏବଂ ବିରାଟ କୋହଲି (ପ୍ରତ୍ୟେକ ୬ ଶତକ)ଙ୍କୁ ସେ ପଛରେ ପକାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର