ଲୋସାନଙ୍କ ସହ ‌୧୯ରେ ଲଢ଼ିବେ ବିଜେନ୍ଦର

ନୂଆଦିଲ୍ଲୀ : କରୋନା ମହାମାରୀ ଯୋଗୁଁ ଗୋଟିଏ ବର୍ଷରୁ ଊର୍ଧ୍ବ ବ୍ୟବଧାନ ପରେ ଭାରତୀୟ ପେସାଦାର ମୁଷ୍ଟିଯୋଦ୍ଧ‌ା ବିଜେନ୍ଦର ସିଂହ ଚଳିତ ମାସ ୧୯ ତାରିଖରେ ବାଉଟ୍‌କୁ ଫେରିବେ। ସୁପର ମିଡିଲ୍‌-ୱେଟ୍‌ (୭୬ କେଜି)‌ ପ୍ରୋ ବାଉଟ୍‌ରେ ତାଙ୍କ ସମ୍ମୁଖରେ ଅଛନ୍ତି ରୁଷିଆର ଆର୍ତିଶ ଲୋସାନ। ଏହି ପ୍ରତିଯୋଗିତା ଗୋଆ ପାଣାଜୀସ୍ଥିତ ଏକ ନଦୀରେ ରହିଥିବା ଜାହାଜର ଛାତ ଉପରେ ଅନୁଷ୍ଠିତ ହେବ। ‘‘ଏହା ମୋ ପାଇଁ ସହଜ ବର୍ଷ ନୁହେଁ। ଏତେ ଦିନର ବ୍ୟବଧାନରେ ବାଉଟ୍‌କୁ ଫେରିବାକୁ ଯାଉଛି। ମୋ ଦେହ କେତେ‌ଦୂର ଏହାକୁ ଗ୍ରହଣ କରୁଛି ତାହା ମୁଖ୍ୟ କଥା। ଗତ ଦୁଇ ମାସ ମୋ ପାଇଁ ଭଲ ରହିଛି। ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା କାଂସ୍ୟ ବିଜେତା ଜୟ ଭଗବାନ ସହଯୋଗରେ ମୁଁ ଏବେ ଗୁରୁଗ୍ରାମରେ ଅଭ୍ୟାସ ଚଲାଇଛି। ମୋର ବ୍ରିଟିସ ପ୍ରଶିକ୍ଷକ ଲି’ ‌ବିୟର୍ଡଙ୍କଠୁ ଅନ୍‌ଲାଇନ୍‌ରେ ସାହାଯ୍ୟ ନେଉଛି’’ ବୋଲି ଶୁକ୍ରବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେନ୍ଦର କହିଛିନ୍ତି।

ବେଜିଂ (୨୦୦୮) ଅଲିମ୍ପିକ୍ସ କାଂସ୍ୟ ବିଜେତା ବିଜେନ୍ଦର ତାଙ୍କ ପେସାଦାର ମୁଷ୍ଟିଯୁଦ୍ଧ ଜୀବନରେ ଅପରାଜେୟ ରହିଛନ୍ତି। ୮ ନକ୍‌ଆଉଟ୍‌ ସହ କୀର୍ତ୍ତିମାନଭରା ୧୨ ଲଢ଼େଇ ଜିତିଛନ୍ତି। ୨୦୧୯ରେ ଶେଷ ଥର ଲାଗି ଦୁବାଇରେ ଆୟୋଜିତ ପ୍ରୋ ବାଉଟ୍‌ରେ ସେ ପୂର୍ବତନ ରାଜ୍ୟଗୋଷ୍ଠୀ କ୍ରୀଡ଼ା ବିଜେତା ଘାନାର ଚାର୍ଲସ ଅଦାମୁଙ୍କୁ ମାତ୍‌ ଦେଇଥିଲେ। ଅନ୍ୟପକ୍ଷରେ ତାଙ୍କ ପ୍ରତିଦ୍ବନ୍ଦ୍ବୀ ୨୬ ବର୍ଷୀୟ ଲୋସାନ ୬ ପ୍ରୋ ବାଉଟ୍‌‌ରୁ ୪ ଜିତିଛନ୍ତି। ‌ଲୋସାନ ଶେଷ ଥର ୨୦୨୦ ଡିସେମ୍ବରରେ ଖେଳିଥିଲେ। ଏଥିରେ ସେ ତାଙ୍କ ପ୍ରତିଦ୍ବନ୍ଦ୍ବୀ ୟୁସୁପ ମାଗୋମେଦବେକଭଙ୍କୁ ଟେକ୍ନିକାଲ ନକ୍‌ଆଉଟ୍‌ରେ ହରାଇଥିଲେ।

ସମ୍ବନ୍ଧିତ ଖବର