କଟକ: ଅଧିନାୟକ ଗୋବିନ୍ଦ ପୋଦ୍ଦାରଙ୍କ ଅର୍ଧଶତକ ସାଙ୍ଗକୁ ଅଭିଷେକ ରାଉତଙ୍କ ଅଲ୍ରାଉଣ୍ଡ ପ୍ରଦର୍ଶନ ବଳରେ ଓଡ଼ିଶା ବିଜୟ ହଜାରେ ଟ୍ରଫିରେ ବିଜୟରୁ ଅଭିଯାନ ଆରମ୍ଭ କରିଛି। ବୁଧବାର ଖେଳିଥିବା ନିଜର ପ୍ରଥମ ମ୍ୟାଚ୍ରେ ଓଡ଼ିଶା ରେଳବାଇକୁ ୨ ଓ୍ଵିକେଟ୍ରେ ପରାସ୍ତ କରିଦେଇଛି।
ଗୋବିନ୍ଦ ପୋଦ୍ଦାର ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଓଡ଼ିଶା ପାଇଁ ସୌରଭ ରାଓ୍ଵତ ଏହି ମ୍ୟାଚ୍ରେ ଟେ୍ଵଣ୍ଟି-୨୦ ପଦାର୍ପଣ କରିଥିଲେ। ରେଳବାଇ ୪୭.୪ ଓଭରରେ ସମସ୍ତ ଓ୍ଵିକେଟ୍ ହରାଇ ୨୧୨ ରନ୍ କରିଥିଲା। ଧିମା ବ୍ୟାଟିଂ ଆରମ୍ଭ କରିଥିବା ରେଳବାଇକୁ ପ୍ରଥମ ଝଟ୍କା ଦେଇଥିଲେ ସୂର୍ଯ୍ୟକାନ୍ତ ପ୍ରଧାନ। ସେ ମୃଣାଳ ଦେବଧରଙ୍କୁ ୪ ରନ୍ରେ ଆଉଟ୍ କରିବାର ୩ ଓଭର ବ୍ୟବଧାନରେ ସୌରଭ ଓ୍ଵାକସକର (୨୮) ଙ୍କୁ ବିପ୍ଳବ ସାମନ୍ତରାୟ ପାଭିଲିଅନ୍ ଫେରାଇଥିଲେ। ଅର୍ଧଶତକ ଆଡକୁ ଅଗ୍ରସର ହେଉଥିବା ଅରିନ୍ଦମ୍ ଘୋଷ (୪୮)ଙ୍କୁ ଅରବିନ୍ଦ ସିଂହ ରନ୍ ଆଉଟ କରିବା ପରେ ରେଳବାଇ ବ୍ୟାଟିଂକ୍ରମ ଭୁଶୁଡ଼ିବାରେ ଲାଗିଥିଲା। ତଥାପି ନିମ୍ନକ୍ରମରେ ଅଙ୍କିତ ଯାଦବ (୩୨*) ଓ ଅନୁରିତ୍ ସିଂହ (୪୧) ଦ୍ରୁତ ବ୍ୟାଟିଂ କରି ଦଳୀୟ ସ୍କୋର୍ ୨୦୦ ପାର୍ କରାଇଥିଲେ। ଅଭିଷେକ ରାଉତ ସର୍ବାଧିକ ୩ ଓ୍ଵିକେଟ୍ ନେଇଥିଲା ବେଳେ ସୂର୍ଯ୍ୟକାନ୍ତ ପ୍ରଧାନ ୨, ଦୀପକ ବେହେରା, ବିପ୍ଳବ ସାମନ୍ତରାୟ ଓ ପ୍ରୟାସ ସିଂହ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ଫଳରେ ରେଳବାଇ ୪୭.୪ ଓଭରରେ ସମସ୍ତ ଓ୍ଵିକେଟ୍ ହରାଇ ୨୧୨ ରନ୍ କରିଥିଲା। ଜବାବରେ ୨୧୩ ରନ୍ର ଲକ୍ଷ୍ୟକୁ ଓଡ଼ିଶା ୩ ଓଭର ପୂର୍ବରୁ ୮ ଓ୍ଵିକେଟ୍ କ୍ଷତିରେ ଅତିକ୍ରମ କରିଯାଇଥିଲା। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଅନୁରାଗ ଷଡଙ୍ଗୀ ୧୯, ରଂଜିତ ସିଂହ ୨୧ ରନ୍ରେ ଆଉଟ ହୋଇଥିଲା ବେଳେ ମଧ୍ୟକ୍ରମରେ ଗୋବିନ୍ଦ ପୋଦ୍ଦାର ଓ ବିପ୍ଳବ ସାମନ୍ତରାୟ ତୃତୀୟ ଓ୍ଵିକେଟ୍ରେ ଶତକୀୟ ଭାଗୀଦାରି କରିଥିଲେ। ପଞ୍ଚମ ଅର୍ଧଶତକ ଅର୍ଜନ କରିବା ପରେ ଗୋବିନ୍ଦ ବ୍ୟକ୍ତିଗତ ୬୪ ରନ୍ (୫୯ ବଲ୍, ୭ ଚୌକା, ୨ ଛକା) କରି ଆଉଟ ହୋଇଯାଇଥିଲେ। ଦୁଇ ଓଭର ପରେ ରକ୍ଷଣାତ୍ମକ ଖେଳୁଥିବା ବିପ୍ଳବ ମଧ୍ୟ ୩୮ ରନ୍ରେ ଆଉଟ୍ ହୋଇଯାଇଥିଲେ। ଏହାପରେ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ଝଡ଼ିବାରୁ ଓଡ଼ିଶା ସ୍ଥିତି ମଧ୍ୟ ସଂଙ୍କଟ ଆଡକୁ ଗତି କରିଥିଲା। ତେବେ ଅଭିଷେକ ରାଉତ ଓ ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ଅବିଭାଜିତ ନବମ ଓ୍ଵିକେଟ୍ ଭାଗୀଦାରି ଓଡ଼ିଶାକୁ ଜିତାଇବାରେ ସଫଳ ହୋଇଥିଲା। ଦୁହେଁ ନବମ ଓ୍ଵିକେଟ୍ରେ ୨୬ ରନ୍ ଯୋଡ଼ିଥିଲେ। ଶେଷ ପର୍ଯ୍ୟନ୍ତ ଖେଳିଥିବା ଅଭିଷେକ ୨୭ ଓ ସୂର୍ଯ୍ୟକାନ୍ତ ୧୧ ରନ୍ କରିଥିଲେ। ରେଳବାଇର ମଞ୍ଜିତ ସିଂହ ଚୌଧୁରୀ ୫ ଓ୍ଵିକେଟ୍ ଅକ୍ତିଆର କରିଥିଲେ ମଧ୍ୟ ଓଡ଼ିଶାକୁ ବିଜୟରୁ ରୋକିପାରିନଥିଲେ। ଏହି ବିଜୟରୁ ଓଡ଼ିଶା ୪ ପଏଣ୍ଟ୍ ଅକ୍ତିଆର କରିଛି।
ଗୋବିନ୍ଦଙ୍କ ଅର୍ଧଶତକ: ଓଡ଼ିଶାର ବିଜୟ ଅଭିଯାନ
ବିଜୟ ହଜାରେ ଟ୍ରଫି
/sambad/media/post_attachments/wp-content/uploads/2018/02/Govind-Poddar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)