ନାଦିଆଦ (ଗୁଜରାଟ): ବିଜୟ ହଜାରେ ଟ୍ରଫି ଏକଦିବସୀୟ କ୍ରିକେଟ୍ ପ୍ରତିଯୋଗିତାରେ ଏଥର ନୂଆ ନୂଆ କୀର୍ତିମାନ ହେବାରେ ଲାଗିଛି। ୧୫ ଦିନ ତଳେ ରୋଳବାଇ ବିପକ୍ଷରେ ବେଙ୍ଗାଲୁରୁଠାରେ ମୁମ୍ବାଇ ୪୦୦ ରନ୍ ସ୍କୋର କରିଥିଲା। ଶନିବାର ନବାଗତ ଦଳ ଉତ୍ତରାଖଣ୍ଡର କର୍ଣ୍ଣ ବୀର କୌଶଲ କିନ୍ତୁ ବ୍ୟକ୍ତିଗତ ସର୍ବାଧିକ ସ୍କୋରକୁ ନିଜ ନାମରେ କରି ନେଇଛନ୍ତି। ସିକିମ ବିପକ୍ଷ ଏହି ମୁକାବିଲାରେ କର୍ଣ୍ଣ ବୀର କୌଶଲ ବୀରଙ୍କ ଭଳି ଖେଳି ବିଜୟ ହଜାରେ ଟ୍ରଫି ଇତିହାସରେ ପ୍ରଥମ ଦ୍ବିଶତକର ଅଧିକାରୀ ହୋଇଛନ୍ତି। ୧୩୫ ବଲ୍ ଖେଳି କର୍ଣ୍ଣ ବୀର ୧୮ ଚୌକା ଓ ୯ ଛକା ସହାୟତାରେ ୨୦୨ ରନ୍ କରିଥିଲେ। ତାଙ୍କ ପ୍ରାରମ୍ଭିକ ସାଥୀ ଭିନିତ୍ ସାକ୍ସେନୋ ମଧ୍ୟ ଶତକ (୧୦୦, ୧୩୩ ବଲ୍, ୪ ଚୌକା) ମାରିଥିଲେ। ଉଭୟ ପ୍ରଥମ ୱିକେଟ୍ ପାଇଁ ୨୯୬ ରନ୍ ଉଠାଇଥିଲେ। ଏହା ମଧ୍ୟ ଲିଷ୍ଟ୍ ‘ଏ’ରେ ଏକ ନୂଆ କୀର୍ତିମାନ କରିଛି। ପୂର୍ବରୁ ଦିଲ୍ଲୀ ଯୋଡ଼ି ଶିଖର ଧାୱନ ଏବଂ ଆକାଶ ଚୋପ୍ରା ୨୦୦୭-୦୮ରେ ପଞ୍ଜାବ ବିପକ୍ଷରେ ୨୭୭ ରନ୍ କରିଥିଲେ। ଶନିବାର ଉତ୍ତରାଖଣ୍ଡ ନିର୍ଧାରିତ ୫୦ ଓଭରରେ ୩୬୬ ରନ୍ କରିଥିଲା। ଜବାବରେ ସିକିମ ମାତ୍ର ୧୬୭ ରନ୍ କରିବାରୁ ଉତ୍ତରାଖଣ୍ଡ ଏହି ମ୍ୟାଚ୍କୁ ୧୯୯ ରନ୍ରେ ଜିିତି ନେଇଥିଲା। ପୂର୍ବରୁ ବିଜୟ ହଜାରେ ଟ୍ରଫିରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍ ଅଜିଙ୍କ୍ୟ ରାହାଣେଙ୍କ ନାମରେ ଥିଲା। ମୁମ୍ବାଇ ତାରକା ରାହାଣେ ୨୦୦୭-୦୮ରେ ପୁନେରେ ମହାରାଷ୍ଟ୍ର ବିପକ୍ଷରେ ୧୮୭ ରନ୍ କରିଥିଲେ। ଯାହାକି ୧୧ ଋତୁ ପରେ ପଛରେ ପଡ଼ିଯାଇଛି। ‘ମୁଁ ଦ୍ବିଶତକ ହାସଲ କରିିବି ବୋଲି ଭାବି ନ ଥିଲି। ଖେଳୁ ଖେଳୁ ଖେଳି ଦେଲି। ମାତ୍ର ୩୦ ରନ୍ ଦୂରରେ ଥିବାବେଳେ ଏହି କଥା ଚିନ୍ତା କରିଥିଲି। ଏଥି ପାଇଁ ଚେଷ୍ଟା କରିବି ବୋଲି ସ୍ଥିର କରିଥିଲି। ଏହା ପୂର୍ଣ୍ଣ କରିବା ପରେ ଭଲ ଲାଗିଥିଲା। ସେତେବେଳେ ମଧ୍ୟ ଜାଣି ନ ଥିଲି ଏହା ଏକ କୀର୍ତିମାନ ପ୍ରତିଷ୍ଠା କରିଛି। ଡ୍ରେସିଂ ରୁମ୍କୁ ଫେରିବା ପରେ ହିଁ ଜାଣିଲି ଦ୍ବିଶତକ ହାସଲରେ ମୁଁ ପ୍ରଥମ ଖେଳାଳି’ େବାଲି କର୍ଣ୍ଣ ବୀର କହିଥିଲେ। ଉତ୍ତରପ୍ରଦେଶ ପାଇଁ ପ୍ରତିନିଧିତ୍ବ କରିବାର ଚେଷ୍ଟାରେ ବିଫଳ ହୋଇଥିବା କର୍ଣ୍ଣ ବୀର ଲୋଧା ପ୍ରଭାବର ସୁଫଳ ପାଇଛନ୍ତି। ଉତ୍ତରାଖଣ୍ଡ ସହିତ ୯ ଟି ନୂଆ ରାଜ୍ୟକୁ ଖେଳିବାକୁ ଅନୁମତି ମିଳିବା ପରେ ସେ ଜାତୀୟ ସ୍ତରରେ ଖେଳିବାର ସୁଯୋଗ ପାଇଛନ୍ତି।
ବିଜୟ ହଜାରେ ଟ୍ରଫିରେ ପ୍ରଥମ ଦ୍ବିଶତକ, କର୍ଣ୍ଣ ବୀର ୨୦୨
/sambad/media/post_attachments/wp-content/uploads/2018/10/3-Karn-Veer-Kaushal-became-the-first-double-centurion-in-the-Vijay-Hazare-Trophy-Uttarakhand-v-Sikkim-Plate-Group-Vijay-Hazare-Trophy-2018-19-October-6-2018.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)