ବିଜୟ ହଜାରେ ଟ୍ରଫି: ଓଡ଼ିଶା ଦଳରେ ୪ ନୂଆ ମୁହଁ

କଟକ: ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବାକୁ ଥିବା ବିଜୟ ହଜାରେ ଟ୍ରଫି ପାଇଁ ଓଡ଼ିଶା ଦଳ ଘୋଷିତ ହୋଇଛି। ପ୍ରଥମ ତିନି ମ୍ୟାଚ୍‌ ପାଇଁ ଏହି ଦଳ ଘୋଷଣା ହୋଇଥିବା ସୂଚନା ଦିଆଯାଇଛି। ଗୋବିନ୍ଦ ପୋଦ୍ଦାରଙ୍କ ନେତୃତ୍ୱରେ ଘୋଷିତ ୧୫ ଜଣିଆ ଦଳରେ ନୂଆ ମୁହଁ ଭାବେ ୪ ଜଣ ଖେଳାଳି ସାମିଲ ହୋଇଛନ୍ତି। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ରଘୁନାଥ ମଲ୍ଲ, ଦ୍ରୁତ ବୋଲର ତଥା ଭାରତୀୟ କନିଷ୍ଠ ଦଳର ସଦସ୍ୟ ରାଜେଶ ମହାନ୍ତି, ପ୍ରୀତ୍‌ ସିଂହ ଚୌହାନ୍‌ ଏବଂ ବାମହାତୀ ସ୍ପିନର ପପୁ ରଏ ପ୍ରଥମ ଥର ପାଇଁ ବରିଷ୍ଠ ଦଳରେ ସ୍ଥାନ ପାଇଛନ୍ତି। ଓ୍ଵିକେଟ ରକ୍ଷକ ଭାବେ ସୁଜିତ ଲେଙ୍କାକୁ ଦଳରେ ନିଆଯାଇଛି। ଓଡ଼ିଶା ୨୦ ତାରିଖରେ ପ୍ରଥମ ମ୍ୟାଚ୍‌ରେ ଆନ୍ଧ୍ରକୁ ଭେଟିବା ପରେ ୨୧ରେ କେରଳ ଓ ୨୩ରେ ଉତ୍ତରପ୍ରଦେଶ ସହିତ ଖେଳିବ। ଏହାପରେ ୨୬ରେ ଦିଲ୍ଲୀ, ୨୮ରେ ମଧ୍ୟପ୍ରଦେଶ, ଅକ୍ଟୋବର ୨ରେ ଛତିଶଗଡ଼, ୪ରେ ସୌରାଷ୍ଟ୍ର, ୬ ତାରିଖରେ ହାଇଦ୍ରାବାଦ ବିପକ୍ଷରେ ଓଡ଼ିଶା ଲିଗ୍‌ ମ୍ୟାଚ୍‌ ଖେଳିବ। ଦିଲ୍ଲୀର ପାଲାମ୍‌ ଷ୍ଟାଡିୟମରେ ସମସ୍ତ ମ୍ୟାଚ୍‌ ଖେଳାଯିବ। ଓଡ଼ିଶା ଦଳ ୧୮ ତାରିଖରେ ଦିଲ୍ଲୀ ଗସ୍ତ କରିବ ବୋଲି ସୂଚନା ଦିଆଯାଇଛି।

ଓଡ଼ିଶା ଦଳ: ଅନୁରାଗ ଷଡ଼ଙ୍ଗୀ, ରାଜେଶ ଧୂପର, ରଘୁନାଥ ମଲ୍ଲ, ଗୋବିନ୍ଦ ପୋଦ୍ଦାର (ଅଧିନାୟକ), ବିପ୍ଳବ ସାମନ୍ତରାୟ, ଶୁଭ୍ରାଂଶୁ ସେନାପତି, ଶାନ୍ତନୁ ମିଶ୍ର, ସୁଜିତ ଲେଙ୍କା, ଦୀପକ ବେହେରା, ସୂର୍ଯ୍ୟକାନ୍ତ ପ୍ରଧାନ, ରାଜେଶ ମହାନ୍ତି, ପ୍ରୀତ୍‌ ସିଂହ ଚୌହାନ, ଦେବବ୍ରତ ପ୍ରଧାନ, ଅଭିଷେକ ରାଉତ, ପପୁ ରଏ। ପ୍ରଶିକ୍ଷକ: ରଶ୍ମିରଂଜନ ପରିଡ଼ା।

ସମ୍ବନ୍ଧିତ ଖବର