କାନ୍ଦି ପକାଇଥିଲେ ବିକାଶ, ପରିବାରକୁ କହିଲେ ‘ଦୁଃଖିତ’

ନୂଆଦିଲ୍ଲୀ: ‘ବିଜୟ ମୋ ପାଇଁ ସବୁକିଛି ନୁହେଁ,‌ ମୋ ପାଇଁ କେବଳ ବିଜୟ ହିଁ ଆବଶ୍ୟକ’ ବୋଲି ଟୋକିଓ ଯିବା ପୂର୍ବରୁ କହିଥିଲେ ମୁଷ୍ଟିଯୋଦ୍ଧା ବିକାଶ କୃଷ୍ଣନ୍। ପୁରୁଷ ୬୯ କିଲୋଗ୍ରାମ ବର୍ଗର ପ୍ରଥମ ରାଉଣ୍ଡରୁ କିନ୍ତୁ ବିଦାୟ ନେବାପରେ ଏହି ଭାରତୀୟ ତାରକାଙ୍କ ଅଲିମ୍ପିକ୍ସ ପଦକ ସ୍ବପ୍ନ ଧୂଳିସାତ୍ ହୋଇଯାଇଛି। ସ୍ଥାନୀୟ ଖେଳାଳି ସିୱନରେଟ୍ସ କ୍ୟୁନ୍ସି ମେନସାହା ଓକାଜାୱା ୫-୦ରେ ବିକାଶଙ୍କୁ ପରାସ୍ତ କରିଥିଲେ। ତୃତୀୟ ଥର ପାଇଁ ଅଲିମ୍ପିକ୍ସରେ ଭାଗ ନେଇଥିଲେ ମଧ୍ୟ ବିକାଶଙ୍କ ପଦକ ସ୍ବପ୍ନ ଅଧୁରା ରହିଯାଇଛି। ୨୦୧୨ ଲଣ୍ଡନ୍ ଅଲିମ୍ପିକ୍ସରେ ପ୍ରଥମ ରାଉଣ୍ଡରେ ହାରିବା ପରେ ବିକାଶ କିନ୍ତୁ ୨୦୧୬ ରିଓ ଅଲିମ୍ପିକ୍ସରେ ଦୁଇଟି ଚମତ୍କାର ବିଜୟ ସହ କ୍ବାର୍ଟରଫାଇନାଲ୍ ଯାଇଥିଲେ। ଆମେରିକାର ଚାର୍ଲ୍ସ କର୍ଣ୍ଣେଲ୍ ଓ ତୁର୍କିର ଓଣ୍ଡର୍‌ ସିପଲଙ୍କୁ ହରାଇବା ପରେ କ୍ବାର୍ଟର ଫାଇନାଲରେ ଉଜବେକିସ୍ତାନର ବେକ୍ତେମିର ମେଲିକୁଜିଭଙ୍କଠାରୁ ହାରିଯାଇଥିଲେ।

ଟୋକିଓ ପରାଜୟ କିନ୍ତୁ ବିକାଶଙ୍କୁ ଅଧିକ ଦୁଃଖ ଦେଇଛି। ‘ମୁଁ ବାସ୍ତବରେ ଅତ୍ୟନ୍ତ ନିରାଶ, ଆହତ ହୋଇଥିଲେ ମଧ୍ୟ ମୁଁ ଦେଶ ପାଇଁ ବିଜୟୀ ହେବାକୁ ଚାହୁଁଥିଲି। ବର୍ଷ ବର୍ଷ ଧରି ଯେଉଁ ପରିଶ୍ରମ ଓ ଅଭ୍ୟାସ କରିଥିଲି ଏହାର ଉପଯୋଗ କରିବାକୁ ଚେଷ୍ଟା କରିଥିଲି। କିନ୍ତୁ ପ୍ରଭୂଙ୍କ ଇଚ୍ଛା ଅନ୍ୟ କିଛି ଥିଲା’ ବୋଲି ବିକାଶ କହିଛନ୍ତି। ଏବେ ୨୦୨୪ ଅଲିମ୍ପିକ୍ସରେ ଖେଳିବାକୁ ବିକାଶ ମଧ୍ୟ ଆଶା ରଖିଛନ୍ତି। ଟୋକିଓ ପରାଜୟ ପରେ ମୁଁ କାନ୍ଦି ପକାଇଥିଲି, ପରିବାର ସଦସ୍ୟ ଓ ବଂଧୁଙ୍କୁ କଲ୍‌ କରି ଦୁଃଖ ପ୍ରକାଶ କରିଥିଲି। ଆସନ୍ତା ଥର ଭଲ କରିବାର କଥା ଦେଇଛି।’ ବୋଲି ବିକାଶ ପ୍ରକାଶ କରିଥିଲେ। ବିକାଶଙ୍କ ତାଲିମ ଦାୟିତ୍ବରେ ଥିବା ନୀରଜ କହିଛନ୍ତି ‘ଆହତ ‌ହେବା ହିଁ ମୁଖ୍ୟ ଭୂମିକା ତୁଲାଇଲା। ଜୁଲାଇ ୧୭ ତାରିଖ ବେଳକୁ ସେ ଠିକ୍‌ ହୋଇଯାଇଥିବା କହିଥିଲେ ମଧ୍ୟ ଏହା ବାସ୍ତବରେ ପ୍ରତିବଂଧକ ସାଜିଲା। ୩ ବର୍ଷ ପରେ ସେ ନିଶ୍ଚିତ ପ୍ରତ୍ୟାବର୍ତନ କରିବେ’। ସୂଚନାଯୋଗ୍ୟ, ବିକାଶଙ୍କ ନାମରେ ମଧ୍ୟ ବିଶ୍ବ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତା (କାଂସ୍ୟ, ୨୦୧୧ ବକୁ) ପଦକ ରହିଛି। ଏସୀୟ କ୍ରୀଡ଼ା, ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଯୁବ ବିଶ୍ବ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ମଧ୍ୟ ସେ ସ୍ବର୍ଣ୍ଣ ପଦକ ଜିତିଥିଲେ।

ସମ୍ବନ୍ଧିତ ଖବର