ଭୁବନେଶ୍ବର : ପୂର୍ବତନ ରଣଜୀ ଖେଳାଳି ତଥା ଓଡ଼ିଶାର ବରିଷ୍ଠ ଚୟନକର୍ତ୍ତା ବିକାଶ ପତି ବିସିସିଆଇର ମ୍ୟାଚ୍ ରେଫରି ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ଗତ ସେପ୍ଟେମ୍ବର ୫ ଓ ୬ ତାରିଖରେ ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ ଏକାଡେମୀରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏହି ସଫଳତା ବଳରେ ବିକାଶ ଓଡ଼ିଶାର ପଞ୍ଚମ ଯୋଗ୍ୟତାପ୍ରାପ୍ତ ମ୍ୟାଚ୍ ରେଫରି ମାନ୍ୟତା ପାଇଛନ୍ତି। ପୂର୍ବରୁ ସଂଜୟ ରାଉଳ, ସ୍ବର୍ଗତଃ ପ୍ରଶାନ୍ତ ମହାପାତ୍ର, ପି. ଜୟଚନ୍ଦ୍ର, ଶିବସୁନ୍ଦର ଦାସ ରେଫରି ମାନ୍ୟତା ପାଇସାରିଛନ୍ତି।
ପ୍ରଶାନ୍ତଙ୍କର କୋଭିଡ୍ରେ ମୃତ୍ୟୁ ହୋଇଯାଇଥିଲା ବେଳେ ଶିବସୁନ୍ଦର କୌଣସି ମ୍ୟାଚ୍ ପରିଚାଳନା କରିନାହାନ୍ତି। ଏମାନଙ୍କ ବ୍ୟତୀତ ସଂଜୟ ଓ ଜୟଚନ୍ଦ୍ର ନିୟମିତ ଭାବେ ବିସିସିଆଇର ବିଭିନ୍ନ ଘରୋଇ ପ୍ରତିଯୋଗିତାରେ ରେଫରି ଦାୟିତ୍ବ ନିର୍ବାହ କରିଆସୁଛନ୍ତି। ବିକାଶଙ୍କ ଏହି ସଫଳତା ପାଇଁ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ସଂଜୟ ବେହେରାଙ୍କ ସହ ଅନ୍ୟ କର୍ମକର୍ତ୍ତାମାନେ ଶୁଭେଚ୍ଛା ଜଣାଇଛନ୍ତି।