ନୂଆଦିଲ୍ଲୀ: ଉଚ୍ଚତମ ନ୍ୟାୟାଳୟର ପୂର୍ବତନ ବିଚାରପତି ଭିନୀତ ଶରଣ ବିସିସିଆଇ (ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ)ର ଏଥିକ୍ସ ଅଧିକାରୀ ଓ ଅମ୍ବୁଡ୍ସମ୍ୟାନ୍‌ ନିଯୁକ୍ତ ହୋଇଛନ୍ତି। ଏକ ବର୍ଷ ଧରି ଏହି ଦୁଇ ପଦ ଖାଲି ପଡ଼ିଥିଲା। ଅବସରପ୍ରାପ୍ତ ବିଚାରପତି ଡିକେ ଜୈନଙ୍କ କାର୍ଯ୍ୟକାଳ ଗତବର୍ଷ ଜୁନ୍‌ରୁ ଶେଷ ହୋଇଯାଇଥିଲା। ୬୫ ବର୍ଷୀୟ ଶରଣ ପୂର୍ବରୁ କର୍ଣ୍ଣାଟକ ଓ ଆଲ୍ଲାହାବାଦ ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ନିଜକୁ ଜଣେ କ୍ରିକେଟ୍‌ପ୍ରେମୀ ଭାବେ ଅଭିହିତ କରିବା ସହ ଶରଣ କହିଛନ୍ତି ‘ଗତମାସଠାରୁ ନିଯୁକ୍ତି ପାଇଥିଲେ ମଧ୍ୟ ଅଦ୍ୟାବଧି କୌଣସି ଆଦେଶ ଦେଇନାହିଁ’।

Advertisment

ଅନ୍ୟପକ୍ଷରେ ଆଇପିଏଲ୍‌ ପ୍ରସାରଣ ଅଧିକାର ନିଲାମରେ ଧନବର୍ଷା ହେବା ପରେ ବିସିସିଆଇ ଆପେକ୍ସ କାଉନସିଲ୍ ଏବେ ଘରୋଇ କ୍ରିକେଟ୍‌ର ପ୍ରସାରଣ ଅଧିକାର ଉପରେ ନଜର ପକାଇଛି। ଗୁରୁବାର ହେବାକୁ ଥିବା ବୈଠକରେ ୨୦୨୩ ପରଠାରୁ ଘରୋଇ କ୍ରିକେଟ୍ ପ୍ରସାରଣ ଅଧିକାର ସମ୍ପର୍କରେ ଆଲୋଚନା ହେବ। ୨ ବର୍ଷ ପରେ ଏଥର ରଣଜୀ ଟ୍ରଫି ସହ ପୂର୍ଣ୍ଣକାଳୀନ ଘରୋଇ କ୍ରିକେଟ୍ ଋତୁ ଆୟୋଜିତ ହେବାକୁ ଯାଉଛି। ଗୁରୁବାର ବୈଠକରେ ଆଲୋଚନା ପାଇଁ ଯେଉଁ ୧୨ ସୂତ୍ରୀ ପ୍ରସ୍ତାବ ରହିଛି ସେଥିରେ ୨୦୨୨-୨୩ ଘରୋଇ କ୍ରିକେଟ୍ ଋତୁ, ଅମ୍ପାୟାରଙ୍କ ଗ୍ରେଡେସନ୍‌ ଏବଂ ଭାରତରେ ଖେଳାଯିବାକୁ ଥିବା କ୍ରିକେଟ୍‌ର ପ୍ରସାରଣ ଅଧିକାର ମୁଖ୍ୟ ପ୍ରସଙ୍ଗ ଅଛି। ଷ୍ଟାର୍‌ ଇଣ୍ଡିଆ ୫ ଋତୁ (୨୦୧୮-୨୩) ପାଇଁ ୬୧୩୮ କୋଟି ଟଙ୍କାରେ ପ୍ରସାରଣ ଅଧିକାର ପାଇଥିଲା। କିନ୍ତୁ ନୂଆ ଆଇପିଏଲ୍‌ ପ୍ରସାରଣ ଅଧିକାର ବିପୁଳ ରାଶି ୪୮,୩୯୦ କୋଟିରେ ଯିବା ପରେ ଏଥର ସମ୍ପୂର୍ଣ୍ଣ ଘରୋଇ କ୍ରିକେଟ୍ ପାଇଁ ଅନୁରୂପ ଆଶା କରାଯାଉଛି।