ବିଶୃଙ୍ଖଳିତ ଆଚରଣ ପାଇଁ କୁସ୍ତିବିତ୍‌ ଭିନେଶ ନିଲମ୍ବିତ, ସୋନମଙ୍କୁ ଚେତାବନୀ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ବିଶୃଙ୍ଖଳିତ ଆଚରଣ ଦେଖାଇଥିବା ଅଭିଯୋଗରେ ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ମଙ୍ଗଳବାର ଭିନେଶ ଫୋଗଟଙ୍କୁ ଅସ୍ଥାୟୀ ଭାବେ ନିଲମ୍ବିତ କରିଛି। ସେହିପରି ଖରାପ ଆଚରଣ ପାଇଁ ଯୁବ ମହିଳା କୁସ୍ତିବିତ୍‌ ସୋନମ ମଲିକଙ୍କୁ ନୋଟିସ ଜରିଆରେ ଡବ୍ଲ୍ୟୁଏଫ୍‌ଆଇ ଚେତାବନୀ ଦେଇଛି। କ୍ବାର୍ଟର ଫାଇନାଲ୍‌ରେ ହାରି ବିଦାୟ ନେଇଥିବା ଭିନେଶଙ୍କ ନାମରେ ୩ଟି ବିଶୃଙ୍ଖଳିତ କାର୍ଯ୍ୟର ଅଭିଯୋଗ ରହିଛି। ବରିଷ୍ଠ ଖେଳାଳିଙ୍କଠୁ ଏଭଳି ଆଚରଣ ଗ୍ରହଣୀୟ ନୁହେଁ ବୋଲି ଡବ୍ଲୁଏଫ୍‌ଆଇ କହିଛି। ତାଙ୍କୁ ନିଲମ୍ବିତ କରାଯିବା ସହିତ ନୋଟିସର ଉତ୍ତର ରଖିବା ପାଇଁ ଅଗଷ୍ଟ ୧୬ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଛି।

ହଙ୍ଗେରିରୁ ଅଭ୍ୟାସ ସାରି ପ୍ରଶିକ୍ଷକ ୱଲୋର ଅକୋସ୍‌ଙ୍କ ସହ ଟୋକିଓ ପହଞ୍ଚିବା ପରେ ଭିନେଶ କ୍ରୀଡ଼ାଗ୍ରାମରେ ରହିବା ଏବଂ ଅନ୍ୟ ଭାରତୀୟ ସଦସ୍ୟଙ୍କଠାରୁ ପ୍ରଶିକ୍ଷଣ ନେବାକୁ ମନା କରିଦେଇଥିଲେ। ତାଙ୍କୁ ଭାରତୀୟ ଦଳୀୟ ସାଥୀ ସୋନମ, ଅଂଶୁ ମଲ୍ଲିକ ଓ ସୀମା ବିଶ୍ବାସଙ୍କ କୋଠରୀକୁ ଲାଗି ଭିନ୍ନ କୋଠରୀ ବ୍ୟବସ୍ଥା କରାଯାଇଥିଲା। ହେଲେ ସେମାନେ ଭାରତରୁ ଟୋକିଓ ଆସିବା ବେଳେ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଯୁକ୍ତି କରିଥିଲେ ଭିନେଶ। ପୁଣି ସେ ଭାରତର ଅଫିସିଆଲ ପ୍ରାୟୋଜକ ଶିବ ନରେଶ ଲୋଗୋ ଥିବା ପୋଷାକ ପିନ୍ଧିନଥିଲେ। ଏପରିକି ବାଉଟ୍‌ରେ ନାଇକ୍‌ର ଲୋଗୋ ଥିବା ପୋଷାକ ପିନ୍ଧିଥିଲେ। ‘‘ଏଭଳି ବିଶୃଙ୍ଖଳିତ ଆଚରଣ ପାଇଁ ଅମେ ତାଙ୍କୁ ଅସ୍ଥାୟୀ ଭାବେ ନିଲମ୍ବିତ କରିଛୁ। ସେ ଆମ ନୋଟିସର ଜବାବ ‌ନ ଦେବା ପର୍ଯ୍ୟନ୍ତ କୌଣସି ଜାତୀୟ କିମ୍ବା ଘରୋଇ ପ୍ରତିଯୋଗିତାରେ ଭାଗ ନେଇପାରିବେ ନାହିଁ। ଜବାବ ଦେବା ପରେ ଡବ୍ଲ୍ୟୁଏଫ୍‌ଆଇ ଶେଷ ନିଷ୍ପତ୍ତି ନେବ’’ ବୋଲି ଡବ୍ଲ୍ୟୁଏଫ୍‌ଆଇ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପକ୍ଷରେ ଅଲିମ୍ପିକ୍ସ ପଦାର୍ପଣ କରିଥିବା ସୋନମଙ୍କ ବ୍ୟବହାର ବିଚିତ୍ର ଥିଲା। ସେ ନିଜକୁ ବଡ଼ ତାରକା ବୋଲି ଭାବୁଥିଲେ ଏବଂ ଯାହା ବି କିଛି କରିପାରିବେ ବୋଲି ଚାହୁଥିଲେ। ପୁଣି ଟୋକିଓ ଯାତ୍ରା ପୂର୍ବରୁ ସେ କିମ୍ବା ତାଙ୍କ ପରିବାର ସଦସ୍ୟ ଡବ୍ଲ୍ୟୁଏଫ୍‌ଆଇ ଅଫିସରୁ ପାସ୍‌ପୋର୍ଟ ସଂଗ୍ରହ କରିବାକୁ ଯାଇନଥିଲେ। ତାଙ୍କ ପକ୍ଷରୁ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ର ଜଣେ ଅଧିକାରୀ ଏହି କାର୍ଯ୍ୟ କରିଥିଲେ। ୧୯ ବର୍ଷୀୟ ଏହି କିଶୋରୀ ‌କୁସ୍ତିବିତ୍‌ଙ୍କ ଏଭଳି ଆଚରଣ ଗ୍ରହଣଯୋଗ୍ୟ ନୁହେଁ ବୋଲି ଜଣେ ଅଧିକାରୀ ପ୍ରକାଶ କରିଛନ୍ତି। ଏଥିପାଇଁ ତାଙ୍କୁ ନୋଟିସ ଜାରି କରାଯାଇଛି। ସୋନମ ବିନା ପଦକରେ ସ୍ବଦେଶ ଫେରିଥିଲେ।

ସମ୍ବନ୍ଧିତ ଖବର