ପୋଲାଣ୍ଡ୍‌ ଓପନ୍‌ ଫାଇନାଲ୍‌ରେ ଭିନେଶ

ୱାର୍ସ : ଟୋକିଓ ଅଲିମ୍ପିକ୍ସ ଯିବା ପୂର୍ବରୁ ଭାରତୀୟ ତାରକା ମହିଳା କୁସ୍ତିବିତ୍‌ ଭିନେଶ ଫୋଗଟ ନିଜର ଚମକ‌ ଦେଖାଇଛନ୍ତି। ଶୁକ୍ରବାର ପୋଲାଣ୍ଡ ଓପନ୍‌ କୁସ୍ତି ପ୍ରତିଯୋଗିତାର ୫୩ କେଜି ବର୍ଗରେ ଲାଗ ଲାଗ ଦୁଇଟି ଚମତ୍କାର ବିଜୟ ସହ ଫାଇନାଲ୍‌ ସ୍ଥାନ ପକ୍କା କରିଛନ୍ତି। ନିଜର ଓପନିଂ ବାଉଟ୍‌ରେ ଭିନେଶ ୬-୨ରେ ୨୦୧୯ ବିଶ୍ବ କାଂସ୍ୟ ବିଜୟିନୀ ରୁଷିଆର କାତେରିନା ପୋଲେଶଚୁକଙ୍କୁ ମାତ୍‌ ଦେଇଥିଲେ। ଏହା ପରେ ୨୬ ବର୍ଷୀୟା ଭିନେଶ ସେମିଫାଇନାଲ୍‌ରେ ମାତ୍ର ୭୫ ସେକେଣ୍ଡରେ ୬-୦ରେ ଆମେରିକୀୟ ପ୍ରତିଦ୍ବନ୍ଦ୍ବୀ ଆମି ଆନ ଫିୟର୍ନସାଇଡ୍‌ଙ୍କୁ ଧରାଶାୟୀ କରିଥିଲେ। ଏଥିସହ ଚଳିତ ବର୍ଷର ନିଜର ତୃତୀୟ ପ୍ରତିଯୋଗିତାରୁ ତୃତୀୟ ସ୍ବର୍ଣ୍ଣ ପଦକ ଜିତିବାର ସମ୍ଭାବନା ସୃଷ୍ଟି କରିଛନ୍ତି। ଏହା ପୂର୍ବରୁ ସେ ମାତିଓ ପେଲିକୋନ୍‌ (ମାର୍ଚ) ଏବଂ ଏସୀୟ ଚାମ୍ପିଅନ୍‌ସିପ୍‌ (ଏପ୍ରିଲ)ରେ ସ୍ବର୍ଣ୍ଣ ଜିତିଥିଲେ। ଏହି ପ୍ରତିଯୋଗିତାରେ ଏପର୍ଯ୍ୟନ୍ତ ଭାରତକୁ ଗୋଟିଏ ରୌପ୍ୟ ପଦକ ମିଳିଛି। ଟୋକିଓ ଟିକେଟ ପାଇସାରିଥିବା ରବି ଦାହିୟା (୬୧ କେଜି) ଏହି ପଦକ ଜିତିଥିଲେ।

ଓହରିଲେ ଅଂଶୁ
ଅଲିମ୍ପିକ୍ ଯୋଗ୍ୟ ଭାରତୀୟ କୁସ୍ତିବିତ୍‌ ଅଂଶୁ ମଲିକ (୫୭ କେଜି) ପୋଲାଣ୍ଡ ଓପନ୍‌ରୁ ଓହରି ଯାଇଛନ୍ତି। ଶୁକ୍ରବାର ସକାଳେ ମ୍ୟାଚ୍‌ ପାଇଁ ଏହି ଏସୀୟ ବିଜୟିନୀ ରିପୋର୍ଟ କରିଥିଲେ। ହେଲେ ଜ୍ବର ଆସିବାରୁ ତାଙ୍କୁ ଓହରିଯିବା ଲାଗି ପରାମର୍ଶ ଦିଆଯାଇଥିଲା। ଫଳରେ ଓହରି ଯିବାକୁ ବାଧ୍ୟ ହୋଇଥିଲେ। କରୋନା ରି‌ପୋର୍ଟ ଆସିବା ପର୍ଯ୍ୟନ୍ତ ସେ ସତର୍କତା ମୂଳକ ସଂଗରୋଧରେ ରହିଛନ୍ତି। ‘‘ଏହି ପ୍ରତିଯୋଗିତା ହାତଛଡ଼ା କରିବାକୁ ଅଂଶୁ ଚାହୁଁନଥିଲେ। କିନ୍ତୁ ସତର୍କତା ଦୃଷ୍ଟିରୁ ସେ ସଂଗରୋଧରେ ରହିଛନ୍ତି। ତାଙ୍କ ନମୂନା ପରୀକ୍ଷା ପାଇଁ ଯାଇଛି। ରିପୋର୍ଟ ଆସିଲା ପରେ ସେ କରୋନା ସଂକ୍ରମିତ ଅଛନ୍ତି କି ନାହିଁ ଜଣାପଡ଼ିବ। ଗତମାସରେ ଅଂଶୁଙ୍କ ପିତାମାତା ‌କରୋନାରେ ଆକ୍ରାନ୍ତ ହୋଇଥିଲେ।

ସମ୍ବନ୍ଧିତ ଖବର