ବିଶୃଙ୍ଖଳିତ ଆଚରଣ ପାଇଁ ମହିଳା କୁସ୍ତିଯୋଦ୍ଧା ବିନେଶ ଫୋଗାଟ ନିଲମ୍ବିତ

ନୂଆଦିଲ୍ଲୀ : ମହିଳା କୁସ୍ତିଯୋଦ୍ଧା ବିନେଶ ଫୋଗାଟଙ୍କୁ ଭାରତୀୟ ରେସଲିଂ ମହାସଂଘ ପକ୍ଷରୁ ଅସ୍ଥାୟୀ ଭାବେ ନିଲମ୍ବିତ କରାଯାଇଛି । ଅଲିମ୍ପିକ୍ସ କ୍ରୀଡ଼ା ଗ୍ରାମରେ ବିଶୃଙ୍ଖଳିତ ଆଚରଣ ପାଇଁ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ମିଳିଥିବା ସୂଚନା ଅନୁସାରେ ସେ କ୍ରୀଡ଼ାଗ୍ରାମରେ ଅନ୍ୟ ଆଥଲେଟମାନଙ୍କ ସହ ତାଲିମ ନେବାକୁ ମନା କରିଦେଇଥିଲେ । ଏହା ସହିତ ସେ ଭାରତୀୟ ଦଳର ଅଫିସିଆଲ କିଟ୍ ପ୍ରାୟୋଜକଙ୍କ ଲୋଗୋ ବ୍ୟବହାର କରିବାକୁ  ମଧ୍ୟ ମନା କରିଦେଇଥିଲେ ।

ନିଜର ଏହି ବିଶୃଙ୍ଖଳିତ ଆଚରଣ ପାଇଁ ତାଙ୍କୁ ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଆସନ୍ତା ୧୬ ତାରିଖ ସୁଦ୍ଧା ନୋଟିସର ଜବାବ ଦେବାକୁ କୁହାଯାଇଛି । ମହାସଂଘ ଯଦି ତାଙ୍କ ଉତ୍ତରରେ ସନ୍ତୁଷ୍ଟ ନହୁଏ ତେବେ ତାଙ୍କୁ ଦୀର୍ଘଦିନ ଧରି ବାସନ୍ଦ କରାଯାଇପାରେ । ଅଲିମ୍ପିକ୍ସରେ କ୍ବାର୍ଟର ଫାଇନାଲରେ ହାରିଯାଇଥିଲେ ବିନେଶ । ଅନ୍ୟପକ୍ଷରେ ମହାସଂଘ ପକ୍ଷରୁ ଆଉ ଜଣେ ମହିଳା କୁସ୍ତିଯୋଦ୍ଧା ସୋନମ ମଲ୍ଲିକଙ୍କୁ ମଧ୍ୟ ନୋଟିସ ଜାରି କରାଯାଇଛି ।

ସମ୍ବନ୍ଧିତ ଖବର