ପ୍ୟାରିସ୍‌: ସେମିଫାଇନାଲ୍ ବିଜୟ ପରେ ଭିନେଶ ସୁନା ଜିତୁଥିବାର ସୁନେଲି ସ୍ବପ୍ନ ନେଇ ସାରା ଭାରତ ଶୋଇଲା। ସକାଳୁ ଉଠିଲା ବେଳକୁ କିନ୍ତୁ ସବୁକିଛି ଯେମିତି ଓଲଟପାଲଟ ହୋଇଯାଇଥିଲା। ମାତ୍ର ୧୦୦ ଗ୍ରାମ୍ ପାଇଁ କୁସ୍ତି ତାରକା ଭିନେଶ ଫୋଗଟ ପ୍ୟାରିସ୍ ଅଲିମ୍ପିକ୍ସରେ ଅଯୋଗ୍ୟ ଘୋଷିତ ହୋଇଯାଇଥିଲେ। କିଛି ବୁଝିବା ପୂର୍ବରୁ ହାତମୁଠାରେ ଥିବା ଅଲିମ୍ପିକ୍ସ ପଦକ ଅଚାନକ ଖସିଯାଇଥିଲା। ସାରା ଦେଶରେ ଏଥିନେଇ ଏବେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ଅପ୍ରତ୍ୟାଶିତ ଖବରକୁ କେହି ବିଶ୍ବାସ କରି ପାରୁନାହାନ୍ତି।

Advertisment

ଓଭରୱେଟ୍ ପାଇଁ ଅଯୋଗ୍ୟ ଘୋଷିତ ହେବା ପରେ ଭିନେଶଙ୍କ ବର୍ଷବର୍ଷର କଠିନ ତପସ୍ୟା ବୃଥାଯାଇଛି। ୧୪୦ କୋଟି ଭାରତୀୟଙ୍କ ହୃଦୟ ମଧ୍ୟ ଭାଙ୍ଗି ଚୂର୍‌ମାର୍ ହୋଇଯାଇଛି। ସବୁ ଆନନ୍ଦ, ଉଲ୍ଲାସ, ଖୁସି ମଧ୍ୟରେ କୁସ୍ତିରୁ ପ୍ରଥମ ସ୍ବର୍ଣ୍ଣ ମିଳିବାର ପ୍ରତୀକ୍ଷିତ ସ୍ବପ୍ନ ପାଣି ଫୋଟକା ଭଳି ଉଭେଇଯାଇଛି। ସାରା ଦେଶ ଏବେ ଦୁଃଖରେ ଭାଙ୍ଗି ପଡ଼ିଛି। କାହିଁକି, କେମିତି ଓ କ’ଣ ପାଇଁ ଐତିହାସିକ ଅଲିମ୍ପିକ୍ସ ସ୍ବର୍ଣ୍ଣ ଜିତିବାର ପ୍ରବଳ ଦାବିଦାର ଥିବା ଭିନେଶ ଅଯୋଗ୍ୟ ଘୋଷିତ ହେଲେ, ତାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ପୁରଠୁ ପଲ୍ଲୀ ପର୍ଯ୍ୟନ୍ତ ସବୁଆଡ଼ୁ ଦାବି ହେଉଛି।

ହାତରୁ ଖସିଲା ଐତିହାସିକ ଅଲିମ୍ପିକ୍ସ ପଦକ
ସାରା ଭାରତ ସ୍ତବ୍ଧ, ତଦନ୍ତ ଲାଗି ସାମୂହିକ ଦାବି
ବିଶ୍ବ ସଂଘରେ ଭାରତୀୟ କୁସ୍ତି ମହାସଂଘର ଅପିଲ

ଭିନେଶଙ୍କ ସହ କିନ୍ତୁ ସାରା ଦେଶ ଛିଡ଼ା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିନେଶଙ୍କୁ ଚାମ୍ପିଅନ୍ ଅଫ୍ ଚାମ୍ପିଅନ୍ସ ବୋଲି ବର୍ଣ୍ଣନା କରିଥିଲା ବେଳେ ଭାରତୀୟ ଅଲିମ୍ପିକ୍ସ ସଂଘ (ଆଇଓଏ) ସଭାପତି ପିଟି ଉଷାଙ୍କ ସହ କଥା ହୋଇ ଘଟଣାର ବିସ୍ତୃତ ବିବରଣୀ ମାଗିଛନ୍ତି। ସେହିଭଳି କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବୀୟ ଏହି ସ୍ପର୍ଶକାତର ମାମଲାକୁ ନେଇ ସଂସଦରେ ବୟାନ ଦେଇଛନ୍ତି। ରାଜନୈତିକ ମହଲଠାରୁ ଆରମ୍ଭ କରି ସାଧାରଣ ଜନତା ପର୍ଯ୍ୟନ୍ତ ଘଟଣାର ଅନୁଷ୍ଠାନିକ ତଦନ୍ତ ଦାବି କରି ଭିନେଶଙ୍କ ସହ ଥିବା ଦଳୀୟ ଅଧିକାରୀ ଓ ଆଇଓଏ କର୍ମକର୍ତ୍ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଭିନେଶଙ୍କ ପରିବାର ତାଙ୍କ ବିରୋଧରେ ବଡ଼ ଧରଣର ଷଡ଼ଯନ୍ତ୍ର ହୋଇଥିବା ଅଭିଯୋଗ ଆଣିଛନ୍ତି। ଭାରତୀୟ କୁସ୍ତି ମହାସଂଘ ଏଥିନେଇ ବିଶ୍ବ କୁସ୍ତି ମହାସଂଘର ଏହି ନିଷ୍ପତ୍ତି ବିରୋଧରେ ଆନୁଷ୍ଠାନିକ ଅପିଲ କରିଛି। ଆଇଓଏ ମଧ୍ୟ ଅନ୍ତର୍ଜାତୀୟ ଅଲିମ୍ପିକ୍ସ ପରିଷଦର ଦ୍ବାରସ୍ଥ ହୋଇଛି। ଏହି ଖବରକୁ ସହି ନପାରି ଭିନେଶ ଅଚେତ ହୋଇଯିବା ପରେ ତାଙ୍କୁ ପ୍ୟାରିସ୍‌ର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସଂପ୍ରତି ସେ ସୁସ୍ଥ ଥିବା ଜଣାପଡ଼ିଛି। ମଙ୍ଗଳବାର ଲଗାତାର ତିନିଟି ଲଢ଼େଇ ଲଢ଼ିଥିଲେ ଭିନେଶ। ସେତେବେଳେ ସବୁକିଛି ଠିକ୍ ଠାକ୍ ଥିଲା। ସେମିଫାଇନାଲ୍ ପରେ କିନ୍ତୁ ସବୁକିଛି ବିଗିଡ଼ି ଯାଇଥିଲା। ରାତି ସାରା ଓଜନ କମାଇବାକୁ ଭିନେଶ ସତଚେଷ୍ଟା କରିଥି‌ଲେ ମଧ୍ୟ ଏହା ନିର୍ଦ୍ଧାରିତ ଓଜନଠାରୁ ସାମାନ୍ୟ ଅଧିକ ଥିଲା।

ସୂଚନା ଅନୁସାରେ ୫୦ କେଜି ଓଜନ ବର୍ଗରେ ଭିନେଶ ପ୍ରତିଦ୍ବନ୍ଦ୍ବିତା କରୁଥିଲେ ମଧ୍ୟ ଫାଇନାଲ୍‌ ପୂର୍ବରୁ ଓଜନ ମପାଯିବା ବେଳେ ତାଙ୍କ ୫୦.୧ କିଲୋଗ୍ରାମ ରହିଥିଲା। ଫଳରେ ଆୟୋଜକଙ୍କ ଦ୍ବାରା ଭିନେଶ ଅଯୋଗ୍ୟ ହେବା ସହ ରୢାଙ୍କିଂରେ ମଧ୍ୟ ତାଙ୍କୁ ସବୁଠୁ ତଳକୁ ଖସାଇ ଦିଆଯାଇଥିଲା। ଭିନେଶଙ୍କଠାରୁ ସେମିଫାଇନାଲ୍‌ରେ ପରାଜିତ ହୋଇଥିବା କ୍ୟୁବାର କୁସ୍ତିବିତ୍‌ ୟୁଜନେଲିସ୍‌ ଗଜମ୍ୟାନ୍‌ ଫାଇନାଲ୍‌କୁ ଯୋଗ୍ୟତା ପାଇଯାଇଛନ୍ତି। ଏଥିଲାଗି କ୍ୟୁବାରେ ଖୁସିର ଲହରି ଖେଳି ଯାଇଥିବା ବେଳେ ସାରା ଭାରତବର୍ଷ, ପ୍ୟାରିସ୍‌ରୁ ଆସିଥିବା ଏହି ଅପ୍ରତ୍ୟାଶିତ ଖବର ଲାଗି ସ୍ତବ୍ଧ ହୋଇଯାଇଛି। ଖାଦ୍ୟ ସାରଣୀ ହିଁ ତାଙ୍କ ପାଇଁ କାଳ ହୋଇଥିବା ଭାରତୀୟ ଦଳର ମୁଖ୍ୟ ଚିକିତ୍ସା ଅଧିକାରୀ ସଙ୍କେତ ଦେଇଛନ୍ତି।