ଚଣ୍ଡିଗଡ: ପ୍ୟାରିସ୍ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷିତ ହୋଇ ପଦକ ଜିତିବାରୁ ବଞ୍ଚିତ ହେବାର ଦୁଃଖ ଓ ଯନ୍ତ୍ରଣାରେ କୁସ୍ତିରୁ ସବୁଦିନ ପାଇଁ ସନ୍ନ୍ୟାସ ଘୋଷଣା କରିଥିଲେ ଭିନେଶ ଫୋଗଟ। ଭାରତ ଫେରିବା ପରେ ପାଇଥିବା ଭଲପାଇବା ଓ ସମ୍ମାନ ପାଇଁ କିନ୍ତୁ ସେ ନିଜ ନିଷ୍ପତ୍ତି ବଦଳାଇବାକୁ ଚିନ୍ତା କରୁଛନ୍ତି। ଏହାର ସଙ୍କେତ ବି ଦେଇଛନ୍ତି। ସେହିଭଳି ପ୍ୟାରିସ୍ରେ ହୁଏତ ତାଙ୍କ ହୃଦୟ ଭାଙ୍ଗିଥାଏ, ହେଲେ ମନୋବଳ ଅକ୍ଷୁଣ୍ଣ ରହିଛି ବୋଲି ଏକ ସାକ୍ଷାତକାର ଅବସରରେ କହିଛନ୍ତି ସେ।
‘‘ମୁଁ କହିବାକୁ ଚାହେ ଯେ ଅଲିମ୍ପିକ୍ସ ପଦକ ହାତଛଡ଼ା କରିବା ମୋ ଜୀବନର ସବୁଠୁ ବଡ଼ ଦୁଃଖଦ ଅଧ୍ୟାୟ। ହେଲେ ସ୍ବଦେଶ ଫେରିବା ପରେ ସାଥୀ ଖେଳାଳି, ବନ୍ଧୁବର୍ଗ ଓ ପରିବାର ସଦସ୍ୟଙ୍କଠାରୁ ପାଇଥିବା ଭଲପାଇବା ଏହି ଦୁଃଖକୁ କିଛିଟା ଦୂର କରିବା ଲାଗି ମୋତେ ସାହସ ଯୋଗାଇବ ବୋଲି ଭାବୁଛି। ହୁଏତ ମୁଁ କୁସ୍ତିକୁ ପୁନଃ ପ୍ରତ୍ୟାବର୍ତ୍ତନ କରିପାରେ’’ ବୋଲି ଏହି ଅବସରରେ ଭିନେଶ ମତ ରଖିଥିଲେ। ଏହା ପୂର୍ବରୁ ଭିନେଶଙ୍କ ବଡ଼ବାପା ତଥା ପ୍ରତିଷ୍ଠିତ କୁସ୍ତି ପ୍ରଶିକ୍ଷକ ମହାବୀର ଫୋଗଟ, ଅଲିମ୍ପିଆନ୍ ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକ ପ୍ରମୁଖ ଅବସର ନିଷ୍ପତ୍ତି ବଦଳାଇବାକୁ ଭିନେଶଙ୍କୁ ଆହ୍ବାନ କରି ସାରିଛନ୍ତି। ଭିନେଶ ଆହୁରି କହିଥିଲେ ଯେ ‘‘ମୁଁ ମୋ ହୃଦୟର ଗଭୀରତମ କୋଣରୁ ଚାହେଁ ଯେ ମୋ ଗାଁର ଜଣେ ଝିଅ ମୋ ସଫଳତା ଧାରାକୁ ଆଗେଇ ନେଇ ମୋ ରେକର୍ଡ ଭାଙ୍ଗୁଛି। ମୁଁ ଯଦି ମୋ ଗାଁରେ କୁସ୍ତି ପାଇଁ କିଛି କରିପାରିଲି, ତାହେଲେ ଏହାଠାରୁ ଆଉ ଖୁସିର କଥା ମୋ ପାଇଁ କିଛି ହୋଇନପାରେ’’।