ନୂଆଦିଲ୍ଲୀ: ଭାରତର ପୂର୍ବତନ କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ପ୍ୟାରିସ ଅଲିମ୍ପିକ୍ସ-୨୦୨୪ରେ ୫୦ କେଜି ବର୍ଗରେ ଭାଗ ନେଇ ଫାଇନାଲରେ ପହଞ୍ଚି ଯାଇଥିଲେ। କିନ୍ତୁ ଫାଇନାଲ ଦିନ ତାଙ୍କ ଓଜନ ମାତ୍ର ୧୦୦ ଗ୍ରାମ ଅଧିକ ହୋଇଯିବାରୁ ସେ ଅଯୋଗ୍ୟ ଘୋଷିତ ହୋଇଯାଇଥିଲେ । ସେ ପ୍ୟାରିସରୁ ଫେରିବା ପରଠାରୁ ଚର୍ଚ୍ଚାରେ ଅଛନ୍ତି। ପ୍ରତିଦିନ ତାଙ୍କୁ ନେଇ ବିଭିନ୍ନ ପ୍ରକାର ଖବର ସାମ୍ନାକୁ ଆସୁଛି।
ନିକଟରେ ଭିନେଶ ଏକ ପ୍ରସଙ୍ଗ ଉପରେ ଆଲୋଚନା କରି କହିଥିଲେ, ‘ ପ୍ୟାରିସ ଅଲିମ୍ପିକ୍ସ ପରେ ପ୍ରଧାନମନ୍ତ୍ରୀ ମୋତେ ଫୋନ୍ କରିଥିଲେ କିନ୍ତୁ ତାଙ୍କ ସହ କଥା ହେବାକୁ ମନା କରି ଦେଇଥିଲି। କାରଣ ଯେଉଁ ଅଧିକାରୀମାନେ ମୋଦୀଙ୍କ କଲ ସମ୍ପର୍କରେ ସୂଚନା ଦେଇଥିଲେ ସେମାନେ କହିଥିଲେ ମୁଁ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲାବେଳେ ମୋ ଦଳରେ ସାମିଲ ଥିବା କେହିବି ସଦସ୍ୟ ସେଠାରେ ରହିବେ ନାହିଁ। ଏଥିସହିତ ଅଧିକାରୀଙ୍କ ପକ୍ଷରୁ ଦୁଇଜଣ ସଦସ୍ୟ ଘଟଣାସ୍ଥଳରେ ରହିବେ। ଯେଉଁମାନେ ମୋର ଓ ମୋଦୀଙ୍କ କଥାକୁ ସୋସିଆଲ ମିଡିଆ ପାଇଁ ରେକର୍ଡ କରିବେ।
ଏହା ଶୁଣିବା ପରେ ମୁଁ ତୁରନ୍ତ ମୋଦୀଙ୍କ ସହ କଥା ହେବାକୁ ମନା କରି ଦେଇଥିଲି। କାରଣ ସେ ସମୟରେ ମୁଁ ଭାଙ୍ଗି ପଡ଼ିଥିଲି। ଅନେକ ଚେଷ୍ଟା ପରେ ପ୍ୟାରିସ ଅଲିମ୍ପିକ୍ସରେ ଖେଳି ପାରିଲି ନାହିଁ। ହଁ ଖେଳିକି ହାରିଥିଲେ ଅନ୍ୟ କଥା ପ୍ରତିଯୋଗିତାରେ ଭାଗ ନେବା ପୂର୍ବରୁ ହିଁ ଅଯୋଗ୍ୟ ଘୋଷଣା ହେବା ଯାହା ଉପରେ ବିତିଛି ସିଏ ହିଁ ଜାଣିଛି। ତେଣୁ ମୁଁ ଚାହୁଁ ନଥିଲି ସେ ସମୟରେ ମୋର ଭାବନାକୁ ନେଇ ସୋସିଆଲ ମିଡିଆରେ ଲୋକେ ମଜାକ ଉଡ଼ାନ୍ତୁ।
ଯଦି ସାଧାରଣ ଭାବେ ପ୍ରଧାନମନ୍ତ୍ରୀ ମୋ ସହିତ ଫୋନ୍ରେ କଥା ହୋଇଥା’ନ୍ତେ, ତା’ହେଲେ ମୁଁ ନିଶ୍ଚିତ ଭାବେ ହୋଇଥାଆନ୍ତି। ଏଥିରେ ମୋର କୌଣସି ଆପତ୍ତି ନଥିଲା। ତେବେ ମୋଦୀ ବିନା ରେକର୍ଡରେ କାହିଁକି ମୋ ସେ କଥା ହେଲେ ନାହିଁ ତାହାକୁ ନେଇ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।
ଏବେ ମୁଁ ସେସବୁ କଥାକୁ ଭୁଲି ରାଜନୀତିରେ ପାଦ ଦେଇଛି। କଂଗ୍ରେସରେ ସାମିଲ ହେବା ପରେ କଂଗ୍ରେସରୁ ଟିକେଟ ପାଇ ହରିୟାଣା ବିଧାନସଭା ପାଇଁ ନିର୍ବାଚନ ଲଢ଼ିବାରେ ଏବେ ମୁଁ ବ୍ୟସ୍ତ ଅଛି।’