ଆର୍ଥିକ ସଙ୍କଟରେ ପୂର୍ବତନ କ୍ରିକେଟର ବିନୋଦ କାମ୍ବଲି; ଅର୍ଥ ପାଇଁ ୫୦ ବର୍ଷ ବୟସରେ ଖୋଜୁଛନ୍ତି କାମ

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ତାରକା ଖେଳାଳି ବିନୋଦ କାମ୍ବଲି ବର୍ତ୍ତମାନ ଘୋର ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଛନ୍ତି । ଅବସ୍ଥା ଏପରି ହୋଇଛି ଯେ ବର୍ତ୍ତମାନ ସେ ଅର୍ଥ ଉପାର୍ଜନ ପାଇଁ ୫୦ ବର୍ଷ ବୟସରେ କାମ ଖୋଜିବା ସହ ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍ ନିକଟରେ ମଧ୍ୟ ଯାଇ ପହଞ୍ଚିଛନ୍ତି । ବିନୋଦ କାମ୍ବଲି କହିଛନ୍ତି ଯେ, ତାଙ୍କ ବନ୍ଧୁ ମାଷ୍ଟର ବ୍ଳାଷ୍ଟର ସଚିନ ତେନ୍ଦୁଲକର ଏହି ବିଷୟରେ ସବୁକିଛି ଜାଣିଛନ୍ତି ।

ପୂର୍ବତନ କ୍ରିକେଟର ବିନୋଦ କାମ୍ବଲି କହିଛନ୍ତି ଯେ, ବର୍ତ୍ତମାନ ସେ କେବଳ ବିସିସିଆଇ ଦ୍ୱାରା ପ୍ରାପ୍ତ ପେନସନ ଆଧାରରେ ତାଙ୍କ ପରିବାରକୁ ସହାୟତା କରୁଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଏହି ବିଷୟରେ ତାଙ୍କ ବନ୍ଧୁ ସଚିନଙ୍କୁ ସବୁ କିଛି ଜଣାଇଛନ୍ତି କିନ୍ତୁ ସେ ସଚିନଙ୍କଠାରୁ କୌଣସି ସାହାଯ୍ୟ ଆଶା ରଖୁନାହାନ୍ତି। କାରଣ ସଚିନ ତାଙ୍କୁ ପୂର୍ବରୁ ବହୁତ ସାହାଯ୍ୟ କରିଛନ୍ତି । ୨୦୧୯ରେ ଶେଷ ଥର ପାଇଁ ଏକ ଦଳକୁ ପ୍ରଶିକ୍ଷଣ ଦେଇଥିଲେ କାମ୍ବଲି । ସେହି ସମୟରେ ସେ ଟି-୨୦ ମୁମ୍ବାଇ ଲିଗରେ ଜଡିତ ଥିଲେ । ଏହାପରେ କରୋନା ସବୁ କିଛି ବଦଳେଇ ଦେଇଥିଲା । ବର୍ତ୍ତମାନ ସେ ବିସିସିଆଇରୁ ୩୦ ହଜାର ଟଙ୍କା ପେନସନ୍ ଉପରେ ନିର୍ଭରଶୀଳ ଅଛନ୍ତି । ଏହାବ୍ୟତୀତ ସେ ତେନ୍ଦୁଲକର ମିଡଲସେକ୍ସ ଗ୍ଲୋବାଲ୍ ଏକାଡେମିରେ ମଧ୍ୟ ଟ୍ରେନିଂ ଦେଉଥିଲେ।

ନିଜ ସମସ୍ୟା ବିଷୟରେ ଜଣାଇଲେ କାମ୍ବଲି :

ବିନୋଦ କାମ୍ବଲି ତାଙ୍କ ଆର୍ଥିକ ଅବସ୍ଥା ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେଇଛନ୍ତି।  ସେ କହିଛନ୍ତି ଦିନଥିଲା ଭୋର ୪ଟାରୁ ଉଠି ଡିୱାଇ ପାଟିଲ ଷ୍ଟାଡିୟମ ପର୍ଯ୍ୟନ୍ତ ଯାଉଥିଲେ । ଏହାପରେ, ସନ୍ଧ୍ୟାରେ ବି.କେ.ସି ଗ୍ରାଉଣ୍ଡରେ କ୍ରିକେଟ୍ ଶିଖୁଥିଲେ, ଯାହା ଅତ୍ୟନ୍ତ କଷ୍ଟକର ଥିଲା । ଏହାରି ମଧ୍ୟରେ କାମ୍ବଲି କହିଛନ୍ତି ଯେ, ସେ ବିସିସିଆଇର ପେନସନ ଉପରେ ନିର୍ଭରଶୀଳ, କାମ ପାଇଁ ମୁମ୍ବାଇ କ୍ରିକେଟ୍ ଆସୋସିଏସନକୁ ମଧ୍ୟ ଯାଇଥିଲେ । ସେ ଆଶା କରୁଛନ୍ତି ଯେ ସେ କିଛି କାମ ପାଇପାରିବେ।

ଏହିପରି ରହିଥିଲା କାମ୍ବଲିଙ୍କ କ୍ୟାରିୟର:

ବିନୋଦ କାମ୍ବଲି ଭାରତ ପାଇଁ ସମୁଦାୟ ୧୦୪ଟି ଦିନିକିଆ ମ୍ୟାଚ୍ ଖେଳିଥିବାବେଳେ ୧୭ଟି ଟେଷ୍ଟ ମଧ୍ୟ ଖେଳିଛନ୍ତି । ଆନ୍ତର୍ଜାତୀୟ କ୍ରିକେଟରେ ମୋଟ ୩୫୬୧ ରନ୍ କରିଥିଲେ, ଯେଉଁଥିରେ ଟେଷ୍ଟରେ ଚାରିଟି ଶତକ ଏବଂ ଦିନିକିଆ ମ୍ୟାଚରେ ଦୁଇଟି ଶତକ ରହିଛି । ୧୯୯୧ରେ ଭାରତ ପାଇଁ ଦିନିକିଆ ମ୍ୟାଚ୍ ଡେବ୍ୟୁ କରିଥିବା ବେଳେ ୨୦୦୦ରେ ସେ ଶେଷଥର ପାଇଁ ଦିନିକିଆ ମ୍ୟାଚ୍ ଖେଳିଥିଲେ ।

ସମ୍ବନ୍ଧିତ ଖବର