ଅଲିମ୍ପିକ୍ସର ୩ ମାସ ପୂର୍ବରୁ ଜାପାନରେ ଭୂତାଣୁ ଇମର୍ଜେନ୍ସି

ଟୋକିଓ : ଟୋକିଓ ଅଲିମ୍ପିକ୍ସର ଉଦ୍‌ଘାଟନୀ ଉତ୍ସବ ଆଉ ମାତ୍ର ୩ ମାସ ଥିବାବେଳେ ଶୁକ୍ରବାର ଜାପାନରେ ନୂଆ ଭୂତାଣୁର ଇମର୍ଜେନ୍ସି ଘୋଷଣା ହୋଇଛି। ସଂକ୍ରମଣ ବଢ଼ିଥିବାରୁ ଆୟୋଜକମାନେ ଚିନ୍ତାରେ ରହିଥିଲେ ମଧ୍ୟ ଟୋକିଓ ଅଲିମ୍ପିକ୍ସ ଯଥାରୀତି ଚାଲିବ। ଶୁକ୍ରବାର ଜାପାନ ପ୍ରଧାନମନ୍ତ୍ରୀ ‌ୟୋଶିହିଦେ ସୁଗା ଟୋକିଓ, କ୍ୟୋଟୋ, ଓସାକା ଓ ହ୍ୟୋଗୋ ଆଦିରେ ରାଷ୍ଟ୍ରୀୟ ଇମର୍ଜେନ୍ସି ଘୋଷଣା କରିଥିଲେ। ଭୂତାଣର ସଂକ୍ରମଣ ମାତ୍ରାକୁ ରୋକିବା ଲାଗି ଏଠାରେ ଏପ୍ରିଲ୍‌ ୨୫ରୁ ମେ ୧୧ ତାରିଖ ଯାଏ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତଥାପି ବର୍ତମାନର କଟକଣା ଯଥେଷ୍ଟ ନୁହେଁ ବୋଲି ଦେଶର ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଥିଲେ।

ବାର୍‌ ଓ ରେସ୍ତୋରାଁ, ମଲ୍ ଆଦିକୁ ବନ୍ଦ କରିବା ସହ ମଦ ବିକ୍ରି ଉପରେ କଟକଣା ଲାଗୁ କରିବାକୁ ମଧ୍ୟ ବିଚାର କରାଯାଉଛି। ଜାପାନର ସ୍ବର୍ଣ୍ଣିମ ସପ୍ତାହ ଛୁଟି ଏହି ଇମର୍ଜେନ୍ସି ଦ୍ବାରା ପ୍ରଭାବିତ ହେବ ବୋଲି ମଧ୍ୟ କୁହାଯାଇଛି। ଯାତାୟତ ଉପରେ ଅଙ୍କୁଶ ଲଗାଇବା ଲାଗି ଜାପାନ ସରକାର ଏହି ସମୟରେ କିଛି ଟ୍ରେନ୍‌ ଓ ବସ୍‌ ସେବାକୁ ବନ୍ଦ କରିବେ। କ୍ରୀଡ଼ା ପ୍ରତିଯୋଗିତାଗୁଡିକ ବିନା ଦର୍ଶକରେ ହେଉଛି। ସୂଚନାଯୋଗ୍ୟ, କରୋନା ଭୂତାଣୁକୁ ରୋକିବାରେ ଜାପାନ ଏକ ପ୍ରକାର ସଫଳ ରହିଛି। ଅଦ୍ୟାବଧି ମାତ୍ର ୧୦,୦୦୦ରୁ କମ୍‌ ଲୋକ ମୃତ୍ୟୁ ବରଣ କରିଛନ୍ତି। ଶୁକ୍ରବାର ଟୋକିଓରେ ମାତ୍ର ୭୫୯ ଜଣ ଏବଂ ଓସାକାରେ ୧୧୬୨ ଜଣ ସଂକ୍ରମିତ ହୋଇଥିବା ରିପୋର୍ଟ ଆସିଥିଲା।

ସମ୍ବନ୍ଧିତ ଖବର