‘ପାକିସ୍ତାନ ବିପକ୍ଷ ୧୮୩ କୋହଲିଙ୍କ ଅନ୍ୟତମ ଶ୍ରେଷ୍ଠ ପାଳି’

ମୁମ୍ବାଇ: ଏସିଆ କପ୍‌ର ୨୦୧୨ ସଂସ୍କରଣରେ ପାକିସ୍ତାନ ବିପକ୍ଷରେ ଦମ୍‌ଦାର ଶତକ ଜମାଇଥିଲେ ବିରାଟ କୋହଲି। କୋହଲି ସେହି ମ୍ୟାଚ୍‌ରେ ୧୮୩ ରନ୍‌ କରିଥିଲେ। ଚୌକା ଓ ଛକା ଭରା ‌ସେହି ପାଳି କୋହଲିଙ୍କର ଅନ୍ୟତମ ଶ୍ରେଷ୍ଠ ପାଳି ଥିଲା ବୋଲି ପୂର୍ବତନ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଗୌତମ ଗମ୍ଭୀର କହିଛନ୍ତି। କ୍ରିକେଟ୍‌ର ସମସ୍ତ ତିନି ଫର୍ମାଟ୍‌ ମଧ୍ୟରେ ଭାରତୀୟ ଅଧିନାୟକ କୋହଲି ଅନେକ ଅବିଶ୍ବସନୀୟ ପାଳି ଖେଳିଛନ୍ତି। କିନ୍ତୁ ସବୁ ଦୃଷ୍ଟିକୋଣରୁ କୋହଲିଙ୍କର ସେହି ପାଳି ଅନ୍ୟ ସମସ୍ତ ପାଳି ତୁଳନାରେ ମହାନ୍‌ ଥିଲା ବୋଲି ଗମ୍ଭୀର ବିବେଚନା କରିଛନ୍ତି।

ଢାକାରେ ଖେଳାଯାଇଥିବା ସେହି ମ୍ୟାଚ୍‌ରେ ପାକିସ୍ତାନ ଛାଡ଼ିଥିବା ୩୩୦ ରନ୍‌ର ଧାର୍ଯ୍ୟ ଲକ୍ଷ୍ୟକୁ ପିଛା କରୁଥିଲା ଭାରତ। କୋହଲି ସେହି ମ୍ୟାଚ୍‌ରେ ୧୪୮ ବଲ୍‌ରୁ ସଂଗ୍ରହ କରିଥିଲେ ୧୮୩ ରନ୍‌। ସେଥିରେ କୋହଲି ମାରିଥିଲେ ୨୨ ଚୌକା ଓ ଗୋଟିଏ ଛକା। ତାଙ୍କ ମହାନ୍‌ ପାଳି ବଳରେ ଭାରତ ୬ ୱିକେଟ୍‌ର ବିଜୟ ହାସଲ କରିଥିଲା। ସେହି ମ୍ୟାଚ୍‌ରେ ଗମ୍ଭୀର ଖାତା ଖୋଲିବା ପୂର୍ବରୁ ପାଭିଲିୟନ୍‌ ଫେରିଯାଇଥିଲେ। ଫଳରେ ଭାରତ କୌଣସି ରନ୍‌ ଯୋଡ଼ିବା ପୂର୍ବରୁ ମୋ ରୂପରେ ଗୋଟିଏ ୱିକେଟ୍‌ ହରାଇ ଦେଇଥିଲା। ପ୍ରଥମତଃ ଆମେ ୩୩୦ ରନ୍‌ର ପିଛା କରୁଥିଲୁ। ସେପରିସ୍ଥିତିରେ ଏକା କୋହଲି ୧୮୩ ରନ୍‌ କରିବା ପୁଣି ପାକିସ୍ତାନ ଭଳି ଶକ୍ତିଶାଳୀ ବୋଲିଂ ଆକ୍ରମଣ ବିପକ୍ଷରେ ନିଶ୍ଚିତ ଅବିଶ୍ବସନୀୟ। ପୁଣି ପାକିସ୍ତାନ ଦଳରେ ମହମ୍ମଦ ହାଫିଜ୍‌, ଉମର ଗୁଲ୍‌, ଆଇଜାଜ୍‌ ଚିମା, ସଇଦ୍‌ ଆଜ୍‌ମଲ, ସାହିଦ ଆଫ୍ରିଦି ଏବଂ ୱାହବ୍‌ ରିଆଜ୍‌ଙ୍କ ଭଳି ଅଭିଜ୍ଞ ବୋଲର ରହିଥିଲା ବେଳେ ସେହି ସମୟରେ କୋହଲି ମଧ୍ୟ ସେତେଟା ଅଭିଜ୍ଞ ନଥିଲେ। ହେଲେ କୋହଲି ଜଣେ ଯୋଦ୍ଧା ଭାବେ ଦୃଢ଼ତାର ସହ ପାକ୍‌ ବୋଲରଙ୍କ ସାମ୍‌ନା କରିଥିଲେ। ତେଣୁ ତାଙ୍କର ସେହି ମ୍ୟାଚ୍‌ ବିଜୟୀ ପାଳି ନିଶ୍ଚିତ ଅନ୍ୟତମ ଶ୍ରେଷ୍ଠ ତଥା ମହାନ୍‌ ବୋଲି ଷ୍ଟାର୍‌ ସ୍ପୋର୍ଟସ୍‌ରେ ‘‘ବେଷ୍ଟ ଅଫ୍‌ ଏସିଆ କପ୍‌ ୱାଚ୍‌ ଆଲୋଙ୍ଗ୍‌’’ ସୋ’ରେ କହିଛନ୍ତି ଗମ୍ଭୀର। ନମ୍ରତାର ସହ କହିବାକୁ ଗଲେ ମୋ ମତରେ ତାହା ହିଁ କୋହଲିଙ୍କର ଅନ୍ୟତମ ମହାନ୍‌ ପାଳି ଥିଲା ବୋଲି ଗମ୍ଭୀର କହିଛନ୍ତି।

ସମ୍ବନ୍ଧିତ ଖବର