ଝିଅର ନାଁ ‘ବାମିକା’ ରଖିଲେ ବିରାଟ-ଅନୁଷ୍କା

ବାମିକା କାହିଁକି?

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଚର୍ଚିତ ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା ନିଜ ନବଜନ୍ମିତ କନ୍ୟା ସନ୍ତାନର ନାଁ ବାମିକା ରଖିଛନ୍ତି। ସୋମବାର କୁନି ଝିଅର ଫଟୋ ପ୍ରକାଶ କରି ପ୍ରଶଂସକ ଏବଂ କ୍ରିକେଟ୍‌ପ୍ରେମୀଙ୍କୁ ତା’ର ପ୍ରଥମ ଝଲକ ଦେଖାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଥିବା ବିବୃତ୍ତିରେ ଅନୁଷ୍କା ଲେଖିଛନ୍ତି ଯେ ଆମେ ପରସ୍ପରର ଉପସ୍ଥିତିକୁ ଉପ‌ଭୋଗ କରିବା ସହ ସ୍ନେହ ଏବଂ ‌ପ୍ରେମର ସଂସାରରେ ବଞ୍ଚିଆସିଛୁ। ପରସ୍ପର ପରସ୍ପରକୁ ସମ୍ମାନ ଜଣାଇଛୁ, ଉଭୟ ଉଭୟଙ୍କ ପ୍ରତି ସବୁବେଳେ ଆଭାର ପ୍ରକଟ କରିଛୁ। ‌‌ହେଲେ ଏହି କୋମଳମତି ଶିଶୁ ବାମିକା, ଏହାକୁ ନୂଆ ସ୍ତରରେ ପହଞ୍ଚାଇ ଦେଇଛି। ଗୋଟିଏ ମିନିଟ୍ ଭିତରେ ମୁଁ କେବେ କେବେ ହସ, କାନ୍ଦ, ଚିନ୍ତା, ଭାବପ୍ରବଣତା ଏବଂ ପରମାନନ୍ଦର ଅନୁଭବ କରିଛି। ନିଦ କୁଆଡ଼େ ହଜି ଯାଇଛି, ଦୁର୍ମୁଲ୍ୟ ପାଲଟିଛି। ଆାମ ହୃଦୟ କିନ୍ତୁ ଖୁସି ଓ ଆନନ୍ଦରେ ଭରି ଯାଇଛି। ଆପଣମାନଙ୍କ ଶୁଭେଚ୍ଛା, ଅଭିନନ୍ଦନ, ଶୁଭକାମନା, ଶକ୍ତି ପ୍ରଦାୟୀ ବାର୍ତ୍ତା ଓ ପ୍ରାର୍ଥନା ପାଇଁ ଅଶେଷ ଅଶେଷ ଧନ୍ୟବାଦ। ଅନୁଷ୍କା ଏବଂ କୋହଲି ନିଜ ନିଜ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ପ୍ରକାଶ କରିଥିବା ଫଟୋରେ କୋହଲି ଝିଅ ବାମିକାଙ୍କୁ ଅତି ଆଦର ଏବଂ ସ୍ନେହରେ ଦେଖୁଛନ୍ତି।

ବାମିକା କାହିଁକି?
ବିରୁଷ୍କା ନିଜ ଗେହ୍ଳା ଝିଅର ନାଁ ବାମିକା ରଖିବା ପରେ ଏହାକୁ ନେଇ ଚର୍ଚା ଜୋର ଧରିଛି। ବାମିକା ଶବ୍ଦର ଅର୍ଥ କଣ? ବୋଲି ଅନେକ କ୍ରିକେଟ୍‌ପ୍ରେମୀ ପ୍ରଶ୍ନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ କୌତୁକିଆ ଲେଖା ଏବଂ ମିମ୍ ପ୍ରକାଶ କରି ବାମିକା କାହିଁକି? ବୋଲି ଜାଣିବାକୁ ଚାହିଛନ୍ତି। ତେବେ କ’ଣ ଏହି ବାମିକା ଶବ୍ଦର ଅର୍ଥ। ବୈଦିକ ଜ୍ୟୋତିଷଶାସ୍ତ୍ର ଅନୁସାରେ ବାମିକା ହେଉଛି ମା’ ଦୁର୍ଗାଙ୍କର ଅନ୍ୟଏକ ନାମ। ଏହି ନାଁର ମାନେ ହେଉଛି ଭଗବାନ ଶିବ ଏବଂ ମା’ ପାର୍ବତୀଙ୍କ ମିଶ୍ରିତ ସ୍ବରୂପ। ଏହି ନାଁ ଧାରୀ କନ୍ୟାମାନେ ଉତ୍ସାହ ଏବଂ ମଙ୍ଗଳର ପ୍ରତୀକ। ସେମାନେ ବି ବେଶ୍ ଭାଗ୍ୟଶାଳୀ ହୋଇଥା’ନ୍ତି। ଏଭଳି ବ୍ୟକ୍ତି ମଧ୍ୟ ଅତ୍ୟନ୍ତ ଉଚ୍ଚାଭିଳାଷୀ ହେବା ସହ ବର୍ତ୍ତମାନରେ ବଞ୍ଚିବାକୁ ଭଲ ପା’ନ୍ତି। ବାମିକା ନାମଧାରୀ କନ୍ୟାମାନେ ସ୍ବାଭାବିକ ଭାବେ ସକାରାତ୍ମକ ଚିନ୍ତାଧାରାରେ ବିଶ୍ବାସ ରଖନ୍ତି ବୋଲି ଜ୍ୟୋତିଷ ଶାସ୍ତ୍ରୀମାନେ କୁହନ୍ତି।

ସମ୍ବନ୍ଧିତ ଖବର