ନୂଆ‌ଦିଲ୍ଲୀ: ନାଁ ଟି ତାର ‘ଚିକୁ’। ଚପଳ ଚିକୁ କିନ୍ତୁ ନିଜ ଚମକରେ ଏବେ ସମଗ୍ର କ୍ରିକେଟ୍ ଜଗତକୁ ଆଲୋକିତ କରିଛି। ଲଢ଼ୁଆ ପ୍ରବୃତ୍ତି, ଅନନ୍ୟ ଫିଟ୍‌ନେସ୍ ଓ ରନ୍ ବର୍ଷା କରିବାର ବିରାଟ ରୂପ ଲାଗି କ୍ରିକେଟ୍ ଦୁନିଆର କୋଣ ଅନୁକୋଣରେ ଲୋକପ୍ରିୟତାର ଶିଖର ଛୁଇଁଛି। ଆକ୍ରମଣାତ୍ମକ ବ୍ୟବହାର ପାଇଁ କେବେ କେବେ ସମାଲୋଚିତ ହୋଇଛନ୍ତି। ହେଲେ ସମର୍ଥକ ହୁଅନ୍ତୁ କି ନିନ୍ଦୁକ ସାଂପ୍ରତିକ କ୍ରିକେଟ୍‌ରେ କୋହଲିଙ୍କୁ ଅଣଦେଖା କରିବା ଯେମିତି ପୂରା ଅସମ୍ଭବ ହୋଇଯାଇଛି। ଆଧୁନିକ କ୍ରିକେଟ୍‌ର ଅର୍ଜୁନ, ଭାରତୀୟ କ୍ରିକେଟ୍‌ର ଅନ୍ୟତମ ସଫଳ ବିନ୍ଧାଣୀ, ଚର୍ଚିତ ଅଧିନାୟକ ତଥା ଯୁବ ପିଢ଼ିଙ୍କ ପ୍ରେରଣାର ଅସରନ୍ତି ଉତ୍ସ ବିରାଟ କୋହଲିଙ୍କୁ ଗୁରୁବାର ୩୨ ବର୍ଷ ପୂରିଛି। ମାତ୍ର ୧୯ ବର୍ଷ ବୟସରେ ଅନ୍ତର୍ଜାତୀୟ ପଦାର୍ପଣ କରି ନିଜ ଅସାଧାରଣ କ୍ରିକେଟ୍ କୌଶଳ ତଥା ସ୍ଥିର ପ୍ରଦର୍ଶନ ପାଇଁ କୋଟି କୋଟି କ୍ରିକେଟ୍ ପ୍ରେମୀଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଥିବା କୋହଲିଙ୍କ ପାଖକୁ ଏହି ଅବସରରେ ଶୁଭେଚ୍ଛାର ସୁଅ ଛୁଟିଛି।

Advertisment

ଆଇପିଏଲ୍ ଖେଳିବା ଲାଗି ସଂପ୍ରତି ୟୁଏଇରେ ଥିବା କୋହଲି କିନ୍ତୁ ସାଥୀ କ୍ରିକେଟର୍‌ ଏବଂ ପତ୍ନୀ ଅନୁଷ୍କା ଶର୍ମାଙ୍କ ଉପସ୍ଥିତିରେ ସୁରକ୍ଷିତ ଜୈବ ବଳୟ ଭିତରେ କେକ୍ କାଟି ନିଜ ଜନ୍ମଦିବସ ପାଳନ କରିଛନ୍ତି। କେ‌କ୍ କାଟିଲା ବେଳେ ୬ ମାସର ଗର୍ଭବତୀ ଥିବା ଅନୁଷ୍କାଙ୍କ ମଥାରେ କୋହଲି ଚୁମା ଦେଉଥିବା ଆର୍‌ସିବି ପ୍ରକାଶ କରିଥିବା ଭିଡିଓରେ ଦେଖିବାକୁ ମିଳୁଛି। ଜାନୁଆରିରେ ପିତା ହେବାକୁ ଯାଉଥିବା ଏହି ଯୁବ କିଂବଦନ୍ତିଙ୍କୁ ଆଇସିସି, ବିସିସିଆଇଠାରୁ ଆରମ୍ଭ କରି ବିଗତଦିନ ଓ ବର୍ତ୍ତମାନର କ୍ରିକେଟରମାନେ ଟ୍ବିଟର ଓ ଇନଷ୍ଟାଗ୍ରାମରେ ଆବେଗପୂର୍ଣ୍ଣ ବାର୍ତ୍ତା ପ୍ରକାଶ କରି ଜନ୍ମ ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। କୋହଲିଙ୍କ ଶତକ ସଂଖ୍ୟା (୭୦), ଆଇସିସି ପ୍ରତିଯୋଗିତାର ବ୍ୟାଟିଂ ହାର (୫୬.୧୫)କୁ ପ୍ରକାଶ କରି ଆଇସିସି ନିଆରା ଢଙ୍ଗରେ ତାଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛି। ଅନ୍ୟପକ୍ଷରେ ବିସିସିଆଇ ଲେଖିଛି ୨୦୧୧ ବିଶ୍ବକପ୍ ବିଜୟୀ, ୨୧୯୦୧ ରନ୍, ୭୦ ଶତକ, ଭାରତ ପାଇଁ ସର୍ବାଧିକ ଶତକ ଲେଖିଛି। ହାତରେ ଧରିଥିବା ବ୍ୟାଟ୍‌ରେ ସମସ୍ତଙ୍କୁ ଅଭିଭୂତ କରୁଥିବା ବିରାଟ କୋହଲିଙ୍କୁ ଜନ୍ମଦିନର ଶୁଭେଚ୍ଛା ବୋଲି ଆରସିବି ଟ୍ବିଟ୍ କରିଛି। କେବଳ କ୍ରିକେଟ୍ ଜଗତ ନୁହେଁ, ସମଗ୍ର କ୍ରୀଡ଼ା ଜଗତ ମଧ୍ୟ ଜନ୍ମଦିନରେ କୋହଲିଙ୍କ ଶୁଭ କାମନା କରିଥିଲା।

ସଚିନଙ୍କଠୁ ଆଉ କେତେ ଦୂର
ବିରାଟ କୋହଲି ଯେତେ ପରିପକ୍ବ ହୋଇ ଚାଲିଛନ୍ତି, ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ସହ ତାଙ୍କ ତୁଳନାର ମାତ୍ରା ସେତେ ବଢ଼ି ବଢ଼ି ଚାଲିଛି। ୨୪ ବର୍ଷର ଉଜ୍ଜ୍ବଳମୟ ଓ ପ୍ରଭାବଶାଳୀ କ୍ରିକେଟ୍ କ୍ୟାରିୟର ଭିତରେ ସଚିନ କୀର୍ତ୍ତିମାନର ପାହାଡ଼ ଛିଡ଼ା କରିଛନ୍ତି। କୋହଲି ମଧ୍ୟ କିଛି କମ୍‌ରେ ନାହାନ୍ତି। ସଚିନ ଅବଶ୍ୟ ମାତ୍ର ୧୬ ବର୍ଷ ବୟସରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। କୋହଲି କିନ୍ତୁ ୧୯ ବର୍ଷ ବୟସରେ ଶ୍ରୀଲଙ୍କାର ଦମ୍ବୁଲାଠାରୁ ୨୦୦୮ ମସିହାରେ ନିଜ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ସେବେଠାରୁ କିନ୍ତୁ ସଫଳତାର ନୂଆ ନୂଆ ସ୍ତର ଛୁଇଁ କୋହଲି ଆଧୁନିକ କ୍ରିକେଟ୍‌ର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନର ଉପାଧି ଲାଭ କରିଛନ୍ତି। ସଚିନଙ୍କ ୨୦୦ ଟେଷ୍ଟ୍ ଖେଳିବା କୀର୍ତ୍ତିମାନ ଛୁଇଁବା କୋହଲିଙ୍କ ପାଇଁ ଏକପ୍ରକାର ଅସମ୍ଭବ ମନେ ହୁଏ। ତେବେ ସଚିନଙ୍କ ସର୍ବାଧିକ ଦିନିକିଆ ଶତକ (୪୯) କୀର୍ତ୍ତିମାନକୁ କୋହଲି (୪୩) ନିକଟ ଭବିଷ୍ୟତରେ ଭାଙ୍ଗିବାର ଯଥେଷ୍ଟ ସମ୍ଭାବନା ଅଧିକ ରହିଛି। ୧୯୮୮ ମସିହା ନଭେମ୍ବର ୫ ତାରିଖରେ ଜନ୍ମଗ୍ରହଣ କରିଥିବା କୋହଲି ତାଙ୍କ ୩୨ତମ ଜନ୍ମଦିବସରେ ସଚିନଙ୍କଠାରୁ ଆଉ କେତେ ଦୂରରେ ରହିଛନ୍ତି, ସେ କଥା ଜାଣିବାକୁ ପ୍ରଶଂସକ ନିଶ୍ଚିତ ଭାବେ ଆଗ୍ରହୀ ଥିବେ।

ବିରାଟଙ୍କ ସଫଳତାରେ ପତ୍ନୀ ତଥା ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ପ୍ରଚ୍ଛନ୍ନ ହାତ ରହିଛି। ୨୦୧୩ ମସିହାରେ ଏକ ସାମ୍ପୁ ବିଜ୍ଞାପନର ସୁଟିଂ ସେଟ୍‌ରେ ପ୍ରଥମ ଥର ପାଇଁ ଦେଖା ହୋଇଥିଲେ କୋହଲି ଓ ଅନୁଷ୍କା। ବିରୁଷ୍କା ଭାବେ ପରିଚିତ ଏହି ଚିର୍ଚିତ କ୍ରୀଡ଼ା-ଅଭିନୟ ଯୋଡ଼ି ପ୍ରଥମ କିଛି ବର୍ଷ ନିଜ ସଂପର୍କକୁ ଲୁଚାଇ ରଖିଥି‌ଲେ। ତେବେ କୋହଲିଙ୍କ ମ୍ୟାଚ୍ ଦେଖିବାକୁ ଅନୁଷ୍କା ଏବଂ ଅନୁଷ୍କାଙ୍କ ସୁଟିଂ ଦେଖିବାକୁ କୋହଲି ହଠାତ୍ ସୁଟିଂ ସେଟ୍‌ରେ ପହଞ୍ଚି ଯାଉଥିଲେ। ଫଳରେ ଉଭୟଙ୍କ ଭିତରେ କିଛି ନା କିଛି ଚାଲିଥିବାର ଚର୍ଚା ଜୋର ଧରିଥିଲା। ଶେଷରେ ଉଭୟ ପ୍ରେମରେ ପଡ଼ିଥିବା ସ୍ବୀକାର କରିଥିଲେ। ଏବଂ ଚାରି ବର୍ଷର ପ୍ରେମ ସଂପର୍କ ପରେ ହଠାତ୍ ଇଟାଲିର ଟସ୍କାନୀଠାରେ ୨୦୧୭ରେ ବିବାହ ବନ୍ଧନରେ ଆବଦ୍ଧ ହେବା ପ୍ରଶଂସକଙ୍କୁ ଚକିତ କଲା ଭଳି ଖବର ଥିଲା। ତେବେ ଅନୁଷ୍କାଙ୍କୁ ସେ କେବେବି ବିବାହ ପାଇଁ ଆନୁଷ୍ଠାନିକ ପ୍ରସ୍ତାବ ଦେଇ ନଥିବା ଭାରତୀୟ ଫୁଟବଲ୍ ଦଳର ଅଧିନାୟକ ସୁନିଲ ଛେତ୍ରୀଙ୍କ ସହ ଏକ ଅନଲାଇନ୍ ଆଲୋଚନା ବେଳେ କୋହଲି କହିଥିଲେ। ଏହାର ଆବଶ୍ୟକତା ନଥିଲା ବୋଲି ମଧ୍ୟ ସେ ମତ ରଖିଥିଲେ। ଗଣମାଧ୍ୟମ ଚର୍ଚାରୁ ଦୂରେଇ ରହିବା ଲାଗି ସୁଦୂର ଇଟାଲିରେ ବିବାହ ଉତ୍ସବ ଆୟୋଜନ କରିଥିଲେ ବୋଲି ମଧ୍ୟ କୋହଲି ଏହି ଅବସରରେ ଖୋଲି କହିଥିଲେ। ଅବଶ୍ୟ ଭାରତ ଫେରି ବିରୁଷ୍କା ବିବାହ ଭୋଜି ଦେଇଥିଲେ। ଚଳିତ ବର୍ଷ ଅଗଷ୍ଟ ମାସରେ ଅନୁଷ୍କା ଗର୍ଭବତୀ ଥିବା କୋହଲି ଘୋଷଣା କରିଥିଲେ। ଆସନ୍ତାବର୍ଷ ଜାନୁଆରିରେ ପିତାମାତା ହେବେ ବୋଲି ମଧ୍ୟ ଟ୍ବିଟ୍ କରି ସୂଚନା ଦେଇଥିଲେ।