ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ରେ ବିରାଟଙ୍କୁ ବିଶ୍ରାମ ମିଳିପାରେ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଆଗାମୀ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ଶୃଙ୍ଖଳାରେ ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ବିଶ୍ରାମ ମିଳିପାରେ। ଇଂଲଣ୍ଡ ଗସ୍ତକୁ ନଜରରେ ରଖି ସଂପ୍ରତି ଫର୍ମକୁ ଫେରିବା ଲାଗି ସଂଘର୍ଷ କରୁଥିବା କୋହଲିଙ୍କୁ ବିଶ୍ରାମ ଦେବାକୁ ଜାତୀୟ ଚୟନକର୍ତ୍ତା ସମିତି ଚିନ୍ତା କରୁଛନ୍ତି। ଗତ ୨ ମାସ ହେଲା ଜୈବବଳୟରେ ଥିବା ଭାରତର ଏକ ନମ୍ବର ବ୍ୟାଟର କୋହଲିଙ୍କୁ କିଛି ଦିନ ବିଶ୍ରାମ ଦେବାକୁ ଚେତନ ଶର୍ମାଙ୍କ ନେତୃତ୍ବାଧୀନ ଏହି ସମିତି ସମ୍ମତି ଦେବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ କୋହଲିଙ୍କ ଖରାପ ଫର୍ମ ଜାରି ରହିଛି ଏବଂ ୩ ବର୍ଷ ହେଲା ‌ଶତକଟିଏ ଅର୍ଜନ କରିପାରିନାହାନ୍ତି। ଚଳିତ ଆଇପିଏଲ୍‌ରେ ମଧ୍ୟ ତାଙ୍କ ପ୍ରଦର୍ଶନ ଭଲ ନାହିଁ। ସେ ୧୨ ଆଇପିଏଲ୍‌ ମ୍ୟାଚ୍‌‌ ଖେଳି ୧୯.୬୩ ହାର, ୧୧୧.୩୪ ଷ୍ଟ୍ରାଇକ୍‌ରେଟ୍‌ ଓ ଗୋଟିଏ ଅର୍ଦ୍ଧଶତକ ସହ ମାତ୍ର ୨୧୬ ରନ୍‌ କରିଛନ୍ତି। ଏଥିରେ ୩ଟି ଗୋଲ୍‌ଡେନ୍‌ ଡକ୍‌ ରହିଛି। ଦକ୍ଷିଣ ଆଫ୍ରିକା ଜୁନ୍‌ ୯ରୁ ୧୯ ପର୍ଯ୍ୟନ୍ତ ଦିଲ୍ଲୀ, କଟକ, ବିଶାଖାପାଟଣା, ରାଜକୋଟ ଓ ବେଙ୍ଗାଲୁରୁରେ ଘରୋଇ ଦଳ ବିପକ୍ଷରେ ୫ଟି ଟି-୨୦ ଖେଳିବ। ଏହାପରେ ଭାରତ ଜୁନ୍‌-ଜୁଲାଇରେ ୟୁକେ ଗସ୍ତ କରିବ। ସେଠାରେ ଆୟର୍ଲାଣ୍ଡ ବିପକ୍ଷରେ ଗୋଟିଏ ଟି-୨୦ ଖେଳିବା ପରେ ଇଂଲଣ୍ଡ ବିପକ୍ଷରେ ୨୦୨୧‌ ଟେଷ୍ଟ୍‌ ଶୃଙ୍ଖଳାରୁ ବାକି ଥିବା ଗୋଟିଏ ଟେଷ୍ଟ୍‌ ଖେଳିବ। ଏହାପରେ ଇଂଲଣ୍ଡ ବିପକ୍ଷରେ ୬ ଧଳାବଲ୍‌ ମ୍ୟାଚ୍‌ ଖେଳିବ ଭାରତ।

ସମ୍ବନ୍ଧିତ ଖବର