ଆର୍‌ସିବିର ନୂଆ ଲୋଗୋକୁ କୋହଲିଙ୍କ ନାପସନ୍ଦ

ହାମିଲଟନ୍‌: ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣ ପାଇଁ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ (ଆରସିବି) ଏହାର ନୂଆ ଲୋଗୋ ଉନ୍ମୋଚନ କରିଛି। ନୂଆ ଲୋଗୋରେ ସିଂହକୁ ପ୍ରତୀକ ରଖାଯାଇଛି, ଯାହାକି ସାହସ ଓ ନିର୍ଭୟ ଆଚରଣର ପ୍ରତିନିଧିତ୍ବ କରିଛି। ‘ଆପଣ ଯାହାକୁ ଅପେକ୍ଷା କରିଥିଲେ, ଏହା ସେଇଟି। ନୂଆ ଦଶନ୍ଧି, ନୂଆ ଆର୍‌ସିବି, ନୂଆ ଲୋଗୋ’ ସାହସର ସହ ଖେଳ ବୋଲି ଆର୍‌ସିବି ନିଜ ଟ୍ବିଟ୍‌ରେ ଉଲ୍ଲେଖ କରିଛି। ହେଲେ ଆର୍‌ସିବିର ଅଧିନାୟକ ବିରାଟ କୋହଲି ଏହାକୁ ନାପସନ୍ଦ କରିଛନ୍ତି। ଏଭଳି ନୂଆ ଲୋଗୋର ମାନେ କ’ଣ ବୋଲି ମଧ୍ୟ ସେ ପଚାରିଛନ୍ତି।

ପୂର୍ବଦିନ ଆର୍‌ସିବି ଏହାର ସାମାଜିକ ଗଣମାଧ୍ୟମ ଆକାଉଣ୍ଟ୍‌ରୁ କୋହଲିଙ୍କ ପ୍ରୋଫାଇଲ୍‌ ଛବି, ଡିସପ୍ଲେ ଛବି, କଭର ଛବି ଏବଂ ପୋଷ୍ଟ୍‌ସବୁକୁ ମଧ୍ୟ ହଟାଇ ଦେଇଥିଲା। ଫ୍ରାଞ୍ଚାଇଜ୍‌ ଏହାର ସାମାଜିକ ଗଣମାଧ୍ୟମର ନାମକୁ ମଧ୍ୟ ‘ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌’ରୁ ପରିବର୍ତନ କରି ‘ରୟାଲ୍ ଚାଲେଞ୍ଜର୍ସ’ କରିଦେଇଥିଲା। କୋହ‌ଲିଙ୍କ ବିନା ପରାମର୍ଶରେ ଏହା କରାଯାଇଥିବାରୁ ସେ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ଦଳର ଅନ୍ୟ ଦୁଇ ସଦସ୍ୟ ୟୁଜବେନ୍ଦ୍ର ଚହଲ, ଏବି ଡି’ଭିଲିୟର୍ସ ମଧ୍ୟ ଟ୍ବିଟ୍‌ କରି କୋହଲିଙ୍କୁ ସମର୍ଥନ କରିଥିଲେ। ଆର୍‌ସିବି ପୁଣି ଏକ ଟ୍ବିଟ୍‌ରେ ଲେଖିଛି ‘ଲୋଗୋ କା କାମ ହୈ କେ‌ହନା’। ଲୋଗୋ ଉନ୍ମୋଚନ ଉତ୍ସବରେ ଆରସିବିର ଅଧ୍ୟକ୍ଷ ସଞ୍ଜୀବ ଚୌରାସିଆ କହିଛନ୍ତି, ‘ପ୍ରଶଂସକମାନେ ଦଳର ମୁଖ୍ୟ ଶକ୍ତି, ସାହ‌ସର ସହ ଖେଳିବା ଲାଗି ପରିବର୍ତନର ଆବଶ୍ୟକତା ଥିଲା’।

ସୂଚନାଯୋଗ୍ୟ, ୨୦୦୮ ମସିହାଠାରୁ ଆଇପିଏଲ୍‌ ଆରମ୍ଭ ହୋଇଥିବା ବେଳେ ଆର୍‌ସିବି ଥରେ ବି ବିଜେତା ହୋଇପାରିନାହିଁ। ମାର୍ଚ ୨୯ରୁ ଆରମ୍ଭ ହେଉଥିବା ନୂଆ ଋତୁ ପାଇଁ ଆର୍‌ସିବି ମଧ୍ୟ ମୁଥୁଟ୍ ଫିନକର୍ପକୁ ୩ ବର୍ଷ ଲାଗି ମୁଖ୍ୟପ୍ରା‌ୟୋଜକ କରିଛି।

ସମ୍ବନ୍ଧିତ ଖବର