ସାତ ବର୍ଷ ତଳେ ଏହି କଥାକୁ ଭାବି କାନ୍ଦିଥିଲେ ବିରାଟ କୋହଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଅଧିନାୟକ ତଥା ସଫଳ କ୍ରିକେଟର ବିରାଟ କୋହଲି ୭ ବର୍ଷ ତଳେ ଭୋ ଭୋ ହୋଇ କାନ୍ଦିଥିଲେ | ନିଜକୁ ଏକୁଟିଆ ଅନୁଭବ କରିବା ସହ ଅବସାଦଗ୍ରସ୍ତର ଶିକାର ମଧ୍ୟ ହୋଇଥିଲେ | ଏହି କଥାକୁ ନିଜେ ସ୍ୱୀକାର କରିଛନ୍ତି ବିରାଟ କୋହଲି | ୨୦୧୪ରେ ଇଂଲଣ୍ଡ ଗସ୍ତ କୋହଲିଙ୍କ ପାଇଁ ନିରାଶାଜନକ ଥିଲା। ବିରାଟ ହାରାହାରି ୧୦ଟି ଇନିଂସରେ ୧୩.୪୦ ହାରରେ ୧୩୪ ରନ୍ ସଂଗ୍ରହ କରିଥିଲେ। ବିରାଟଙ୍କ ଏହି ପ୍ରଦର୍ଶନ ପାଇଁ ତାଙ୍କୁ ସମାଲୋଚନା କରାଯାଇଥିଲା। ବର୍ତ୍ତମାନ ପ୍ରାୟ ସାତ ବର୍ଷ ପରେ ବିରାଟ ପୁଣି ଥରେ ସେହି ଭ୍ରମଣର ତିକ୍ତ ଅନୁଭୂତି ବାଣ୍ଟିଛନ୍ତି। ବିରାଟ କହିଛନ୍ତି ଯେ ଏହି ଭ୍ରମଣରେ ବିଫଳ ହେବା ପରେ ସେ ନିଜକୁ ଦୁନିଆର ଏକାକୀ ବ୍ୟକ୍ତି ଅନୁଭବ କରିଥିଲେ ଏବଂ ଅବସାଦଗ୍ରସ୍ତର ଶିକାର ହୋଇଥିଲେ।

କୋହଲି, ଇଂଲଣ୍ଡର ପୂର୍ବତନ ଖେଳାଳି ମାର୍କ ନିକୋଲାସଙ୍କ ସହ ବାର୍ତ୍ତାଳାପରେ ଏହି ଭ୍ରମଣର ଅନୁଭୂତି ବାଣ୍ଟିଥିଲେ ଏବଂ ସେ କିପରି ମାନସିକ ଅବସାଦ ଦେଇ ଗତି କରିଥିଲେ ତାହା ବର୍ଣ୍ଣନା କରିଥିଲେ। ଯେତେବେଳେ କୋହଲିଙ୍କୁ ପଚରାଗଲା ଯେ ସେ କେବେ ଅବସାଦଗ୍ରସ୍ତ ଜୀବନ ବିତାଇଛନ୍ତି କି, ସେତେବେଳେ ସେ କହିଥିଲେ, ‘ହଁ,ଏହା ମୋ ସହ ଘଟିଛି। ସମସ୍ତ ବ୍ୟାଟ୍ସମ୍ୟାନ୍ କେବେକେବେ ଅନୁଭବ କରନ୍ତି ଯେ କିଛି ଜିନିଷ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ନଥାଏ’ | ସେ କହିଛନ୍ତି, ‘ଜଣେ ଏହାକୁ କିପରି ଦୂର କରିବେ ଜାଣନ୍ତି ନାହିଁ। ଏହା ଏମିତି ଏକ ସମୟ ଥିଲା ଯେତେବେଳେ ମୁଁ ନିଜକୁ ବଦଳାଇବା ପାଇଁ କିଛି କରିପାରିଲି ନାହିଁ | ମୋତେ ଲାଗିଲା ଯେମିତି ମୁଁ ଦୁନିଆର ଏକମାତ୍ର ବ୍ୟକ୍ତି। ମୁଁ କହିବି ନାହିଁ ଯେ ମୋ ସହ କଥାବାର୍ତ୍ତା କରିବାକୁ କେହି ନଥିଲେ କିନ୍ତୁ କେଉଁ ପରିସ୍ଥିତିରେ ମୁଁ ଗତି କରୁଥିଲି, ତାହା ବୁଝାଇବା ପାଇଁ କେହି ନଥିଲେ’ |

ତେବେ ବିରାଟ କିନ୍ତୁ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ତାଙ୍କ ଶକ୍ତି ବୋଲି କହିଥିଲେ ଏବଂ କହିଥିଲେ ଯେ ସେ ତାଙ୍କ ସହ ସର୍ବଦା ଦୃଢ ଭାବରେ ଠିଆ ହୋଇଛନ୍ତି। ବିରାଟ କହିଛନ୍ତି ଯେ ନକାରାତ୍ମକତାକୁ ଦୂର କରିବା ପାଇଁ ଆମେ ଦୁହେଁ ଏକାଠି କଥାବାର୍ତ୍ତା କରିଥାଉ |

ସମ୍ବନ୍ଧିତ ଖବର