ବିରାଟଙ୍କୁ ନିଜ ବାଟ ନିଜେ ବାହାର କରିବାକୁ ହେବ: ଗାଙ୍ଗୁଲି

୨୦୨୦ ପରଠୁ କୋହଲିଙ୍କ ଗ୍ରାଫ୍‌ ତଳମୁହାଁ

ନୂଆଦିଲ୍ଲୀ: ଏକଦା ଭାରତୀୟ କ୍ରିକେଟ୍‌ର ଅନ୍ୟତମ ମହାନ ତାରକା ଭାବେ ପରିଗଣିତ ହେଉଥିବା ପୂର୍ବତନ ଅଧିନାୟକ ବିରାଟ କୋହଲି ଏବେ ଫର୍ମ ଫେରି ପାଇବାକୁ ଯୁଝୁଛନ୍ତି। ଗତ ୩ ବର୍ଷ ହେବ ସେ ଗୋଟିଏ ‌ହେଲେ ବି ଶତକ ହାସଲ କରିନଥିଲା ବେଳେ ଚଳିତ ଇଂଲଣ୍ଡ ଗସ୍ତରେ ମଧ୍ୟ ଶୋଚନୀୟ ଭାବେ ବିଫଳ ହୋଇଛନ୍ତି। ତଥାପି ବିସିସିଆଇ ସଭାପତି ତଥା ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ତାଙ୍କୁ ସମର୍ଥନ କରିଛନ୍ତି। ‘‘ ଅନ୍ତର୍ଜାତୀୟ କ୍ରିକେଟ୍‌ରେ କୋହଲି ହାସଲ କରିଥିବା ରନ୍‌ ଉପରେ ଆପଣ ନଜର ପକାନ୍ତୁ, ଏହା କେବେ ବି ଦକ୍ଷତା କିମ୍ବା ଉଚ୍ଚ ରଣ କୌଶଳ ବିନା ଆସିବା ସମ୍ଭବ ନୁହେଁ। ହଁ ସଂପ୍ରତି କୋହଲି ନିଶ୍ଚିତ ଭାବେ ଖରାପ ସମୟ ଦେଇ ଗତି କରୁଛନ୍ତି। ନିଜ ସ୍ତର ମୁତାବକ ପ୍ରଦର୍ଶନ କରି ପାରୁ ନଥିବା କୋହଲି ଭଲ ଭାବରେ ଜାଣିଛନ୍ତି। ଏଥିରୁ ବାହାରିବାର ବାଟ ତାଙ୍କୁ ନିଜେ ହିଁ ଖୋଜିବାକୁ ହେବ। ଗତ ୧୨-୧୩ ବର୍ଷ ଧରି ସେ ଯାହା କରିଛନ୍ତି, ତାହା କେବଳ ‌କୋହଲି ହିଁ କରିପାରିବେ।’’ ‌ବୋଲି ଗାଙ୍ଗୁଲି ମତ ରଖିଛନ୍ତି।

କୋହଲି ନିଜ ଖରାପ ଫର୍ମ ଲାଗି ଚାରିଆଡ଼ୁ ସମାଲୋଚିତ ହୋଇ ଆସୁଥିଲା ବେଳେ କପିଳ ଦେବ ଏବଂ ଭେଙ୍କଟେଶ ପ୍ରସାଦଙ୍କ ଭଳି ପୂର୍ବତନ ଭାରତୀୟ କ୍ରିକେଟର୍‌ ଭାରତୀୟ ଟ୍ବେଣ୍ଟି-୨୦ ଦଳରେ ତାଙ୍କ ସ୍ଥାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏହି ବିଷୟରେ ନିଜ ମତ ରଖିବାକୁ ଯାଇ ଗାଙ୍ଗୁଲି କହିଛନ୍ତି ଯେ ଖେଳାଳି ଜୀବନର ଏହା ଅଂଶବିଶେଷ। ସମସ୍ତଙ୍କ କ୍ଷେତ୍ରରେ ଏଭଳି ଘଟିଛି। ସଚିନଙ୍କ ସହ ଏମିତି ଘଟିଛି, ରାହୁଲ (ଦ୍ରାବିଡ଼) ଆଉ ମୋ ସହ ବି ‌ହୋଇଛି। ଭବିଷ୍ୟତର ଖେଳାଳିଙ୍କ ସହ ବି ଏମିତି ଘଟିବ। ଜଣେ ଖେଳାଳି ଭାବେ ଆପଣଙ୍କୁ ଏକଥା ଶୁଣିବାକୁ ପଡ଼ିବ ବୋଲି ମୁଁ ବିଶ୍ବାସ କରେ। ତେବେ ଏକଥା ଜାଣି ପଡ଼ିଆ ଭିତରକୁ ଯିବା ଏବଂ ଭଲ ଖେଳିବା ହିଁ ଜଣେ ଶ୍ରେଷ୍ଠ ଖେଳାଳିର ଧର୍ମ।

ନୂଆଦିଲ୍ଲୀ: ଅଧୁନିକ ଯୁଗରେ ରନ୍‌ ମେସିନ୍‌ ଭାବେ ପରିଗଣିତ ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ସଂପ୍ରତି ସଂଘର୍ଷ କରୁଛନ୍ତି। ୫୩.୭୨ ହାରରେ ୨୩, ୬୯୩ ଅନ୍ତର୍ଜାତୀୟ ରନ୍‌ ଏବଂ ୭୦ ଶତକ (୪୩ ଦିନିକିଆ, ୨୭ ଟେଷ୍ଟ) ଅର୍ଜନ କରିଥିବା ଏହି ବ୍ୟାଟର୍‌ ୨୦୧୯ ନଭେମ୍ବର ପରଠୁ ଶତକଟିଏ ଅର୍ଜନ କରିନାହାନ୍ତି। ଖାଲି ସେତିକି ନୁହେଁ ତିନିଟି ଯାକ ଫର୍ମାଟରେ ତାଙ୍କ ପ୍ରଦର୍ଶନ ମଧ୍ୟ ନୈରାଶ୍ୟଜନକ ରହିଛି। ଏଥିପାଇଁ ସଂପ୍ରତି ସେ ସମାଲୋଚନାର ଶିକାର ହେଉଛନ୍ତି। ଆଗକୁ ଟି-୨୦ ବିଶ୍ବକପ୍‌ ଥିବାରୁ ତାଙ୍କ ପ୍ରଶଂସକମାନେ ଚିନ୍ତିତ। ଦେଖିବାକୁ ଗଲେ ଟ୍ବେଣ୍ଟି-୨୦ରେ ସେ ଖରାପ ପ୍ରଦର୍ଶନ ଦେଇନଥିଲେ ମଧ୍ୟ ଟେଷ୍ଟ ପ୍ରଦର୍ଶନ ସବୁଠୁ ନିମ୍ନମାନର ରହିଛି।

ଟେଷ୍ଟ ରେକର୍ଡ ଅଧିକ ପ୍ରଭାବିତ
୨୦୨୦ ତାଙ୍କର ସବୁଠୁ ଖରାପ ଋତୁ ରହିଥିଲା। ସେହି ବର୍ଷ ସେ ୬ ପାଳି ଖେଳି ମାତ୍ର ୧୯.୩୩ ହାରରେ ରନ୍‌ କରିଥିଲେ। ୨୦୧୯ ଶେଷ ସୁଦ୍ଧା ସେ ୮୪ ଟେଷ୍ଟ ଖେଳି ୫୪.୯୭ ହାରରେ ୭୨୦୨ ରନ୍‌ କରିଥିଲେ। ଏଥିରେ ୨୭ ଶତକ ଏବଂ ୨୯ ଅର୍ଦ୍ଧଶତକ ରହିଥିଲା। ହେଲେ ନଭେମ୍ବର ୨୦୧୯ରୁ ତାଙ୍କ ବ୍ୟାଟ୍‌ରୁ ଶତକଟିଏ ଦେଖିବାକୁ ମିଳିନି। ୨୦୨୦ ପରଠୁ ଏପର୍ଯ୍ୟନ୍ତ କୋହଲି ୧୮ ଟେଷ୍ଟ ଖେଳି ୬ ଅର୍ଦ୍ଧଶତକ ସହ ୨୭.୨୫ ହାରରେ ୮୭୨ ରନ୍‌ କରିଛନ୍ତି। ଶେଷ ଅଢ଼େଇ ବର୍ଷରେ ତାଙ୍କ ବ୍ୟାଟିଂ ହାର ୨୭.୭୨ ଖସିଛି। ଫଳରେ ତାଙ୍କ ହ‌ାରାହାରି ୫୦ରୁ ତଳକୁ (୪୯.୫୩) ଖସିଆସିଛି।

ସଚିନଙ୍କ ଦିନିକିଆ କୀର୍ତ୍ତିମାନ ଭାଙ୍ଗିବା ଏବେ କଷ୍ଟକର ହେବ
କିଂବଦନ୍ତି ‌ବ୍ୟାଟର୍‌ ସଚିନ ତେନ୍ଦୁଲକରଙ୍କ କୀର୍ତ୍ତିମାନ କୋହଲି ଭାଙ୍ଗିବେ ବୋଲି ବହୁ ବର୍ଷ ହେଲା ଚର୍ଚ୍ଚା ହେଉଥିଲା। ହେଲେ ଏବେ ତାଙ୍କର ଫର୍ମ ଯେପରି ତଳମୁହାଁ ରହିଛି ଏହା କୋହଲିଙ୍କ ପାଇଁ କଷ୍ଟକର ହେବ ବୋଲି ଦେଖାଯାଇଛି। ୨୦୧୯ ପର୍ଯ୍ୟନ୍ତ କୋହଲିଙ୍କ ଦିନିକିଆ ହାର ପ୍ରାୟ ୬୦ ଥିଲା। ସେ ଏହା ଭିତରେ ୨୪୨ ମ୍ୟାଚ୍‌ ଖେଳିଥିଲା ବେଳେ ୪୩ ଶତକ ଓ ୫୫ ଅର୍ଦ୍ଧଶତକ ସହ ୫୯.୮୪ ହାରରେ ୧୧, ୬୦୯ ରନ୍‌ କରିଥିଲେ। ୨୦୨୦ ପରଠୁ ଏପର୍ଯ୍ୟନ୍ତ ସେ ୧୮ ଦିନିକିଆ ଖେଳି ୬ ଅର୍ଦ୍ଧଶତକ ସହ ୩୯.୦୦ ହାରରେ ମୋଟ ରନ୍‌ରେ ମାତ୍ର ୭୦୨ ରନ୍‌ ଯୋଡ଼ିଛନ୍ତି। ଫଳରେ ତାଙ୍କ ହାରାହାରି ୧.୭୭ ପଏଣ୍ଟ୍‌ ଖସିଛି।

ଟ୍ବେଣ୍ଟି-୨୦ ରେକର୍ଡ ସାମାନ୍ୟ ଉନ୍ନତ
ଅନ୍ୟ ଦୁଇ ଫର୍ମାଟ ଅପେକ୍ଷା ୨୦୨୦ ପରଠୁ ଟ୍ବେଣ୍ଟି-୨୦ରେ ତାଙ୍କ ପ୍ରଦର୍ଶନ ସାମାନ୍ୟ ଉନ୍ନତ ରହିଛି। ୨୦୨୦ ପରଠୁ ସେ ୨୪ ଟ୍ବେଣ୍ଟି-୨୦ ଖେଳି ୪୨.୧୮ ହାରାହାରି ଓ ୧୩୬ ଷ୍ଟ୍ରାଇକ୍‌ରେଟ୍‌‌ରେ ୬୭୫ ରନ୍‌ କରିଛନ୍ତି। ଏଥିରେ ୬ ଅର୍ଦ୍ଧଶତକ ରହିଛି। ଯାହା ଏହି ଫର୍ମାଟ୍‌‌ରେ ବହୁତ ଭଲ। ତଥାପି ଏହା ପୂର୍ବ ଅପେକ୍ଷା ତାଙ୍କ ହାରଠୁ ୧୦ ପଏଣ୍ଟ କମ୍‌। ୨୦୧୯ ଶେଷ ସୁଦ୍ଧା ସେ ୭୫ ମ୍ୟାଚ୍‌ ଖେଳି ୨୪ ଅର୍ଦ୍ଧଶତକ ସହ ୫୨.୬୬ ହାରରେ ୨୬୩୩ ରନ୍‌ ସଂଗ୍ରହ କରିଥିଲେ। ଏହା ମଧ୍ୟରେ ତାଙ୍କ ମୋଟ ହାର ୨.୫ ପଏଣ୍ଟ୍‌ କମି ୫୦.୧୨ରେ ରହିଛି। ମୋଟ ଉପରେ କୋହଲି ୯୯ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳି ୩୦ ଅର୍ଦ୍ଧଶତକ ସହ ୩୩୦୮ ରନ୍‌ କରିଛନ୍ତି।

ସମ୍ବନ୍ଧିତ ଖବର