ସେଞ୍ଚୁରିଅନ ଟେଷ୍ଟ : ବିରାଟ କୋହଲିଙ୍କ ଲଢୁଆ ଶତକ, ଭାରତ ୩୦୭ ରନରେ ଅଲଆଉଟ୍‌

ସେଞ୍ଚୁରିଅନ: ଅଧିନାୟକ ବିରାଟ କୋହଲୀଙ୍କ ଲଢୁଆ ଶତକ ଫଳରେ ସେଞ୍ଚୁରିଆନ ଟେଷ୍ଟରେ ଭାରତ ଘରୋଇ ଦକ୍ଷିଣ ଆଫ୍ରିକାକୁ କଡ଼ା ଟକ୍କର ଦେଇଛି । ସ୍ଥାନୀୟ ସୁପରସ୍ପୋର୍ଟ୍ସ ପାର୍କରେ ଚାଲିଥିବା ୨ୟ ଟେଷ୍ଟର ୩ୟ ଦିନରେ ଭାରତ ୩୦୭ ରନରେ ଅଲଆଉଟ ହୋଇଯାଇଛି । ଏହା ସହିତ ଭାରତ ଘରୋଇ ଦକ୍ଷିଣ ଆଫ୍ରିକାର ପ୍ରଥମ ପାଳି ୩୩୫ ରନଠାରୁ ୨୮ ରନ ପଛରେ ରହିଛି ।

ଆଜି ଭାରତ ଗତ କାଲିର ଅସମାପ୍ତ ୫ ଓ୍ଵିକେଟ୍‌ରେ ୧୮୩ ରନରୁ ଖେଳିବାକୁ ଆରମ୍ଭ କରିଥିଲା । ଅଧିନାୟକ କୋହଲି ଗତ କାଲିର ନିଜ ବ୍ୟକ୍ତିଗତ ୮୩ ରନରୁ ଆଗକୁ ଖେଳିବା ସହ ନିଜ କ୍ୟାରିୟରର ୨୧ତମ ଶତକ ପୂରଣ କରିଥିଲେ । ଏହା ଦକ୍ଷିଣ ଆଫ୍ରିକାରେ ତାଙ୍କର ୨ୟ ଶତକ । ପୂର୍ବରୁ ଗତ ୨୦୧୩ରେ ସେ ଜୋହାନ୍ସବର୍ଗଠାରେ ୧୧୯ ରନ ସ୍କୋର କରିଥିଲେ । ଅନ୍ୟପଟେ ଖେଳୁଥିବା ହାର୍ଦ୍ଦିକ ପାଣ୍ଡ୍ୟା ଦୂର୍ଭାଗ୍ୟଜନକଭାବେ ରନ ଆଉଟ୍‌ ହୋଇ ପାଭିଲିୟନ ଫେରିବା ପରେ ଭାରତ ପାଇଁ ପୁଣି ସଂକଟ ସୃଷ୍ଟି ହୋଇଥିଲା । ପାଣ୍ଡ୍ୟା ୪୫ ବଲ ଖୋଳି ୧୫ ରନ କରିଥିଲେ । ଗୋଟିଏ ପଟେ କୋହଲି ଖେଳୁଥିବାବେଳେ ଅନ୍ୟପଟେ ଭାରତର ଗୋଟିକ ପରେ ଗୋଟିଏ ଓ୍ଵିକେଟ୍‌ ପଡ଼ି ଚାଲିଥିଲା । ତେବେ ଆର. ଅଶ୍ୱିନ କିଛି ସମୟ କ୍ରିଜରେ ତିଷ୍ଠିବାକୁ ସକ୍ଷମ ହୋଇଥିଲେ । ଶେଷଓ୍ଵିକେଟ ଭାବେ ବିରାଟ କୋହଲି ୧୫୩ ରନରେ ଆଉଟ୍‌ ହେବା ପରେ ଭାରତୀୟ ଇନିଂସର ପରିସମାପ୍ତି ହୋଇଥିଲା । ଦକ୍ଷିଣ ଅଫ୍ରିକା ତରଫରୁ ମର୍ନି ମର୍କେଲ ୬୦ ରନ ଦେଇ ସର୍ବାଧିକ ୪ଟି ଓ୍ଵିକେଟ ନେଇଥିବାବେଳେ କାଗିସୋ ରାବାଡ଼ା ୭୪ ରନ ଦେଇ ୧ ଓ୍ଵିକେଟ୍‌ ନେଇଥିଲେ । ଘରୋଇ ଦକ୍ଷିଣ ଆଫ୍ରିକା ନିଜର ପ୍ରଥମ ଇନିଂସରେ ୩୩୫ ରନ କରିଛି ।

ସମ୍ବନ୍ଧିତ ଖବର