କୋଲକାତା: ପ୍ରଶ୍ନପତ୍ର କ୍ୱଚିତ ଛାତ୍ରଛାତ୍ରୀଙ୍କୁ ଆନନ୍ଦିତ କରିଥାଏ। ହେଲେ ପ୍ରଶ୍ନ ଯଦି ଭାରତୀୟ କ୍ରିକେଟ୍ ଦଳର ଚର୍ଚିତ ଅଧିନାୟକ ବିରାଟ କୋହଲିଙ୍କ ଉପରେ ହୋଇଥାଏ, ତାହାଲେ ଏଭଳି ବିରଳ ସ୍ଥିତି ନିଶ୍ଚିତ ଭାବେ ଦେଖିବାକୁ ମିଳି ଯାଇଥାଏ। ଯାହା ପଶ୍ଚିମବଙ୍ଗ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ଭାଗ୍ୟରେ ଜୁଟିଛି। ପଶ୍ଚିମବଙ୍ଗ ମାଧ୍ୟମିକ ବୋର୍ଡ ପରୀକ୍ଷାରେ ବିରାଟଙ୍କ କ୍ରିକେଟ୍ ଏବଂ ବ୍ୟକ୍ତିଗତ ଜୀବନ ଉପରେ ୧୦୦ ଶବ୍ଦରେ ଏକ ଲେଖା ଲେଖିବାର ପ୍ରଶ୍ନ ଆସିଥିଲା। ଯାହା ପରୀକ୍ଷାର୍ଥୀଙ୍କୁ ଉଲ୍ଲସିତ କରିଥିଲା। ପ୍ରଶ୍ନପତ୍ରରେ ବିରାଟଙ୍କ ଖେଳ ଜୀବନକୁ ନେଇ ସମ୍ୟକ ସୂଚନା ମଧ୍ୟ ଦିଆ ଯାଇଥିଲା। ତେବେ ଏହି ସୂଚନା ଦିଆ ଯାଇ ନଥିଲେ ମଧ୍ୟ ଆମେ ବିରାଟଙ୍କ ଉପରେ ଅନେକ କିଛି ଲେଖି ପାରି ଥାଆନ୍ତୁ ବୋଲି ପରୀକ୍ଷାର୍ଥୀମାନେ କହିଛନ୍ତି। ପଶ୍ଚିମବଙ୍ଗ ମାଧ୍ୟମିକ ବୋର୍ଡର ଏହି ନିଷ୍ପତ୍ତିକୁ କ୍ରିକେଟରରୁ ରାଜନେତା ପାଲଟିଥିବା ଲକ୍ଷ୍ମୀ ରତନ ଶୁକ୍ଳା ସ୍ୱାଗତ କରିଛନ୍ତି। ବିରାଟଙ୍କ ଭଳି ଭାରତର ଅନ୍ୟ କ୍ରୀଡ଼ା କିମ୍ବଦନ୍ତୀଙ୍କ ଉପରେ ମଧ୍ୟ ପ୍ରଶ୍ନ ଆସିବା ଦରକାର। ପିଲାମାନେ ଆମ ମହାନ କ୍ରୀଡ଼ା ବ୍ୟକ୍ତିତ୍ୱଙ୍କ ବିଷୟରେ ଜାଣିବା ଉଚିତ ବୋଲି ସେ କହିଛନ୍ତି।
ବିରାଟ-ଅନୁଷ୍କାଙ୍କ ସମାନ ଟି ସାର୍ଟ
ଚେନ୍ନାଇ: ଶ୍ରୀଲଙ୍କା ଶୃଙ୍ଖଳାରୁ ବିଶ୍ରାମ ନେଇଥିବା ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଏବେ ଅଧିକାଂଶ ସମୟ ପତ୍ନୀ ଅନୁଷ୍କାଙ୍କ ସହ କଟାଉଛନ୍ତି। ଅନୁଷ୍କା ମଧ୍ୟ ତାଙ୍କ ଚଳଚ୍ଚିତ୍ର ‘ପରି’ର ମୁକ୍ତିଲାଭ ପରେ ବିରାଟଙ୍କ ସହ ସମୟ କଟାଇବାକୁ ତାଙ୍କ ପାଖକୁ ଚାଲି ଯାଇଛନ୍ତି। ଏହି ଅବସରରେ ଉଭୟ ପ୍ରଶଂସକଙ୍କ ମନୋରଞ୍ଜନ ପାଇଁ ସାମାଜିକ ଗଣାମଧ୍ୟମରେ ଅନେକ ଆକର୍ଷଣୀୟ ଫଟୋ ପ୍ରକାଶ କରିଛନ୍ତି। ନିକଟରେ ଅନୁଷ୍କା ଭିନ୍ନ ଶୈଳୀରେ ବିରାଟଙ୍କୁ ଚୁମ୍ବନ ଦେଉଥିବାର ଫଟୋ ବେଶ୍ ଲୋକପ୍ରିୟ ହୋଇ ଯାଇଥିଲା। ଏବେ ଏକାଭଳିଆ ଏବଂ ସମାନ ଲେଖା ଥିବା ଟି-ସାର୍ଟ ପିନ୍ଧି ବିରୁଷ୍କା ପୁଣି ଥରେ ଚର୍ଚାକୁ ଆସିଛନ୍ତି। ବିରାଟ ୨୦୧୬ ମସିହାରେ ପିନ୍ଧିଥିବା ଟି ସାର୍ଟର ଅବିକଳ ନକଲକୁ ଅନୁଷ୍କା ପିନ୍ଧି ବାହାରକୁ ଆସିଥିଲେ। କେହି ଜଣେ ପ୍ରଶଂସକ ତାଙ୍କ ଫଟୋକୁ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିବା ପରେ ଏହି ଫଟୋ ଏବେ ପ୍ରଶଂସକଙ୍କ ପସନ୍ଦର ଫଟୋ ପାଲଟି ଯାଇଛି।