ନୂଆଦିଲ୍ଲୀ: ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍ସ ଫାଇନାଲ୍ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। କୋହଲି ଏହି ଫଟୋରେ ଲମ୍ବା ଚୁଟି ଏବଂ ଦାଢ଼ି ସହ ଏକ ଷ୍ଟାଇଲିସ ଚଷମା ପିନ୍ଧିଥିବା ଦେଖାଯାଇଛନ୍ତି। ଅତି ଆକର୍ଷଣୀୟ ଫଟୋଟି ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍ ହେବା ପରେ ତାଙ୍କ ସମର୍ଥକଙ୍କୁ ଦୁଃଖ ଲାଘବ କରିବାର ଭଲ ସୁଯୋଗ ମିଳି ଯାଇଛି। କରୋନା ଲକ୍ଡାଉନ୍ ସମୟରେ ଫଟୋଟି ସେମାନଙ୍କ ମୁହଁରେ ସାମାନ୍ୟ ଖୁସି ଭରି ଦେଇଛି।
ସେ ୱେବ୍ସିରିଜ୍ 'ମନି ହିଷ୍ଟ୍' ପ୍ରଫେସର ପରି ଦେଖାଯାଉଥିବା କିଛି ପ୍ରଶଂସକ କହିଛନ୍ତି। କିଛି ପ୍ରଶଂସକ ମଧ୍ୟ 'ମନି ହିଷ୍ଟ୍' ପ୍ରଫେସର ଚରିତ୍ରରେ ଅଭିନୟ କରୁଥିବା ଅଭିନେତାଙ୍କ ଫଟୋ ସହ ବିରାଟଙ୍କ ଏହି ଫଟୋ ଯୋଡ଼ି ତୁଳନା କରିବାକୁ ଚେଷ୍ଟା କରିଛନ୍ତି। ସୂଚନାଯୋଗ୍ୟ ଯେ ସ୍ପେନ୍ର ସବୁଠୁ ସଫଳ 'ମନି ହିଷ୍ଟ୍' ୱେବସିରିଜ୍ର ଫାଇନାଲ୍ ସିଜିନ୍ ୨ଟି ଭାଗରେ ପ୍ରସାରିତ ହେବ। ପ୍ରଥମଟି ସେପ୍ଟେମ୍ବର ୩ରେ ଏବଂ ଦ୍ବିତୀୟଟି ଡିସେମ୍ବର ୩ ୨୦୨୧ରେ ରିଲିଜ୍ ହେବ। ଏହାର ଫାଇନାଲ୍ ସୁଟିଂରେ ମେ ୧୫ରେ ଶେଷ ହୋଇଛି।