ରେକର୍ଡ ବହିରେ ବିରାଟ : ଅନ୍ତର୍ଜାତୀୟ ଟି୨୦ କ୍ରିକେଟରେ ୩୫୦୦ ରନ ପୂରଣ କରିବାରେ ୨ୟ ବ୍ୟାଟ୍ସମ୍ୟାନ

ମୁମ୍ବାଇ : ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଧୂଆଁଧାର ଶତକ ଅର୍ଜନ କରି ବିରାଟ କୋହଲି ନିଜ ସମାଲୋଚକମାନଙ୍କ ମୁହଁ ବନ୍ଦ କରିବା ସହ ପ୍ରସଶଂସକମାନଙ୍କୁ ଖୁସି କରିଦେଇଛନ୍ତି । ଏହି ଶତକ ସହ ସେ ରେକର୍ଡ ବହିରେ ନିଜ ନାଁ ଲେଖାଇଛନ୍ତି ।  ଟି୨୦ କ୍ରିକେଟରେ ୩୫୦୦ ରନ କରିବାରେ ସେ ୨ୟ ଖେଳାଳି ପାଲଟିଛନ୍ତି । ପୂର୍ବରୁ କେବଳ ରୋହିତ ଶର୍ମାଙ୍କ ନାଁରେ ଏହି ସଫଳତା ଥିଲା ।

ଏହି ଶତକ ସହିତ ଚଳିତ ଏସିଆ କପରେ ସେ ପ୍ରଥମ ବ୍ୟାଟ୍ୟମ୍ୟାନଭାବେ ୨୦୦ ରନ ପୂରଣ କରିଛନ୍ତି ।

ଗୁରୁବାର ଅନୁଷ୍ଠିତ ମ୍ୟାଚରେ ଭାରତୀୟ ଇନିଂସର ମୁଖ୍ୟ ଆକର୍ଷଣ ଥିଲା ବିରାଟ କୋହଲିଙ୍କ ଶତକ । ସେ ମାତ୍ର ୬୦ ବଲରେ ୧୨୨ ରନ କରିଥିଲେ । ଗତ ବର୍ଷଠାରୁ ଫର୍ମରେ ନଥିବା ବିରାଟ ଚଳିତ ଏସିଆ କପରେ ଉନ୍ନତ ପ୍ରଦର୍ଶନ କରି ଫର୍ମକୁ ଫେରିବାର ସଂକେତ ଦେଇଛନ୍ତି । ବିରାଟ ଫର୍ମକୁ ଫେରିବା ଓ ତାଙ୍କର ଆତ୍ମବିଶ୍ବାସ ଫେରିବା ଆସନ୍ତା ଟି-୨୦ ବିଶ୍ବକପ ପୂର୍ବରୁ ଭାରତୀୟ ଦଳ ପାଇଁ ଏକ ଶୁଭ ସଂକେତ ବୋଲି କୁହାଯାଉଛି । ଏହି ବିଶ୍ବକପ୍ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବ ।

ସୂଚନାଯୋଗ୍ୟ ଯେ, ଉଭୟ ଭାରତ ଓ ଆଫଗାନିସ୍ତାନ ଏସିଆ କପ ଦୌଡ଼ରୁ ବାଦ ପଡ଼ିଛନ୍ତି । ପାକିସ୍ତାନ ଓ ଶ୍ରୀଲଙ୍କା ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ଫାଇନାଲ ମ୍ୟାଚ ଆସନ୍ତା ରବିବାର ଦିନ ଦୁବାଇଠାରେ ଖେଳାଯିବ ।

 

ସମ୍ବନ୍ଧିତ ଖବର