ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ ତାଲାବନ୍ଦ ଚାଲିଥିଲା ବେଳେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ନିଜକୁ ଭାରୋତ୍ତୋଳନ ପ୍ରଶିକ୍ଷଣରେ ବ୍ୟସ୍ତ ରଖୁଛନ୍ତି। ମଙ୍ଗଳବାର ଭାରୋତ୍ତୋଳନ ବ୍ୟାୟାମ କରୁଥିବା ବେଳର ଏକ ଭିଡିଓକୁ ସେ ଇନ୍ଷ୍ଟାଗ୍ରାମରେ ଛାଡ଼ିଥିଲା ବେଳେ ପ୍ରଶ˚ସକମାନେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଉକ୍ତ ଭିଡିଓକୁ ଅନେକ ପ୍ରଶ˚ସକ ଦେଖିଥିଲା ବେଳେ ଦକ୍ଷିଣ ଆଫ୍ରିକା କ୍ରିକେଟର ଏବି ଡିଭିଲିୟର୍ସ ମଧ୍ୟ ତାଙ୍କ ପ୍ରତିକ୍ରିୟା ରଖିଥିଲେ।
ଆଶ୍ଚର୍ଯ୍ୟ ହେବାର ଇମୋଜି ସହ ଥମ୍ସ ଅପ୍ ଓ ବାଇସେପ୍ ଇମୋଜି ପୋଷ୍ଟ କରିଥିଲେ। ଉଭୟ କୋହଲି ଓ ଡିଭିଲିୟର୍ସ ଆଇପିଏଲ୍ରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଏକାଠି ଖେଳିଆସୁଛନ୍ତି। ଏହି ଦୁଇଜଣ ଉତ୍ତମ ବନ୍ଧୁ ହୋଇଥିଲା ବେଳେ ଦୁହେଁ ପରସ୍ପରକୁ ବହୁତ ଭଲ ପାଆନ୍ତି। ଡିଭିଲିୟର୍ସ ନିକଟରେ କୋହଲିଙ୍କୁ କିମ୍ବଦନ୍ତୀ ଟେନିସ ଖେଳାଳି ରୋଜର ଫେଡେରର୍ଙ୍କ ସହ ଓ ଷ୍ଟିଭ୍ ସ୍ମିଥ୍ଙ୍କୁ ରାଫେଲ ନାଡାଲଙ୍କ ସହ ତୁଳନା କରିଥିଲେ।