ଆଡିଲେଡ୍: ଅଷ୍ଟ୍ରେଲିଆ ବିପକ୍ଷ ପିଙ୍କ୍ ବଲ୍ ଟେଷ୍ଟ୍ ଲାଗି ଆଡିଲେଡ୍ରେ ଭାରତୀୟ ଦଳ ପ୍ରସ୍ତୁତି ଚଳାଇଛି। ଏହି ଟେଷ୍ଟ୍ରେ ଭାରତୀୟ ତାରକା ବ୍ୟାଟର୍ ବିରାଟ କୋହଲି ଓ ଓପନର୍ ଯଶସ୍ବୀ ଜୟସ୍ବାଲ ନୂଆ ରେକର୍ଡ ଲକ୍ଷ୍ୟରେ ରହିଛନ୍ତି। ପର୍ଥରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ୍ରେ ୩୬ ବର୍ଷୀୟ କୋହଲି ୧୬ ମାସର ଟେଷ୍ଟ୍ ଶତକ ମରୁଡ଼ିର ଅନ୍ତ ଘଟାଇଥିଲେ। ଦ୍ବିତୀୟ ପାଳିରେ ଅପରାଜିତ ୧୦୦ ରନ୍ର ପାଳି ଖେଳିଥିଲେ। ଅଷ୍ଟ୍ରେଲିଆରେ ସେ ୧୫ ଟେଷ୍ଟ୍ ଖେଳି ୫୬ ହାର, ୭ ଶତକ ଓ ୪ ଅର୍ଦ୍ଧଶତକ ବଳରେ ୧୪୫୭ ରନ୍ କରିଛନ୍ତି। ମୋଟ ଉପରେ ଅଷ୍ଟ୍ରେଲିଆ ବିପକ୍ଷରେ ସେ ୧୦ ଅନ୍ତର୍ଜାତୀୟ ଶତକ ଅର୍ଜନ କରିଛନ୍ତି। ଯଦି ସେ ଶୁକ୍ରବାରଠୁ ଆରମ୍ଭ ହୋଇଥିବା ଦ୍ବିତୀୟ ଟେଷ୍ଟ୍ରେ ୨ଟି ଶତକ ଅର୍ଜନ କରିବେ ତେବେ ଗୋଟିଏ ଦେଶ ବିପକ୍ଷରେ ତା’ମାଟିରେ ୧୨ ଶତକ ଅର୍ଜନ କରିବାର ରେକର୍ଡ କରିବେ। ଏହି ରେକର୍ଡ କିଂବଦନ୍ତି ସାର୍ ଡନ୍ ବ୍ରାଡ୍ମ୍ୟାନ୍ (୧୧)ଙ୍କ ନାମରେ ରହିଛି। ସେ ୧୯୩୦ରୁ ୧୯୪୮ ମଧ୍ୟରେ ଇଂଲଣ୍ଡ ବିପକ୍ଷରେ ୧୧ ଟେଷ୍ଟ୍ ଶତକ ଅର୍ଜନ କରିଥିଲେ। କୋହଲି ନିଜର ଓ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଟେଷ୍ଟ୍ ଶତକ ୨୦୧୨ରେ କରିଥିଲେ। ଏହାପରେ ଅଷ୍ଟ୍ରେଲିଆ ଗସ୍ତ (୨୦୧୪-୧୫)ରେ ଲଗାତାର ୪ ଟେଷ୍ଟ୍ରେ ୪ ଏବଂ ୨୦୧୮-୧୯ (ପର୍ଥ ଟେଷ୍ଟ୍)ରେ ଗୋଟିଏ ଶତକ ମାରିଥିଲେ। ଏଥିସହ ଅଷ୍ଟ୍ରେଲିଆରେ ସେ ଦିନିକିଆରେ ୩ ଶତକ କରିଛନ୍ତି। ଏହି ଦୁଇଙ୍କ ପଛକୁ ସଚିନ ତେନ୍ଦୁଲକର (୯, ଶ୍ରୀଲଙ୍କା) ଏବଂ ଇଂଲଣ୍ଡର ଜ୍ୟାକ୍ ହବ୍ସ (୯, ଅଷ୍ଟ୍ରେଲିଆ) ରହିଛନ୍ତି।
ଜୁରେଲ-ଜୟସ୍ବାଲ-ୱାସିଂଟନ୍ଙ୍କ କଫି ବ୍ରେକ୍
ଗୋଲାପି ବଲ୍ ଟେଷ୍ଟ୍ ପାଇଁ ଅଷ୍ଟ୍ରେଲିଆରେ ଥିବା ଭାରତୀୟ କ୍ରିକେଟ୍ ଦଳର ତିନି ଯୁବବୀର ଧ୍ରୁବ ଜୁରେଲ, ଯଶସ୍ବୀ ଜୟସ୍ବାଲ ଓ ୱାସିଂଟନ୍ ସୁନ୍ଦର ସେଠାକାର ଲୋକପ୍ରିୟ ପିଟର୍ ରୢାବିଟ୍ କ୍ୟାଫେରେ ଏକ ସୁନ୍ଦର ସଂଧ୍ୟା କଟାଇବାର ଫଟୋ ନିଜ ନିଜ ଇନ୍ଷ୍ଟାଗ୍ରାମ୍ ପୃଷ୍ଠାରେ ପ୍ରକାଶ କରିଛନ୍ତି। ତିନିଜଣ ଯାକଙ୍କ ମିଜାଜ ବେଶ୍ ଖୁସି ଥିବା ଏହି ଫଟୋରୁ ସ୍ପଷ୍ଟ ବାରି ହେଉଛି। ଜୟସ୍ବାଲ ନିଜ ଇନ୍ଷ୍ଟାଗ୍ରାମ ପୃଷ୍ଠାରେ ଛାଡ଼ିଥିବା ଫଟୋ ତଳେ ଲେଖିଥିବା କ୍ୟାପ୍ସନ୍ରେ ଅଷ୍ଟ୍ରେଲୀୟ ଅଧିବାସୀଙ୍କ ଭଳି କହିବା ଓ ଲେଖିବା ଚେଷ୍ଟା କରି ପ୍ରଶଂସକଙ୍କ ମନ ଜିତି ନେଇଛନ୍ତି।
ଅନ୍ୟପକ୍ଷରେ ପର୍ଥରେ ୧୬୧ ରନ୍ର ପାଳି ଖେଳିଥିବା ୨୨ ବର୍ଷୀୟ ଜୟସ୍ବାଲ ଚଳିତ ବର୍ଷ ୧୨୮୦ ରନ୍ କରି ସାରିଲେଣି। ସେ ୫୮.୧୮ ହାର ଏବଂ ୭୨.୫୨ ଷ୍ଟ୍ରାଇକ୍ରେଟ୍ରେ ଏହି ରନ୍ କରିଛନ୍ତି। ଏଥିରେ ୩ ଶତକ, ୭ ଅର୍ଦ୍ଧଶତକ ରହିଛି। ସେ ଆଉ ୨୮୨ ରନ୍ କଲେ ଭାରତୀୟ ଭାବେ ସଚିନଙ୍କ ନାମରେ ଗୋଟିଏ କ୍ୟାଲେଣ୍ଡର ବର୍ଷର ସର୍ବାଧିକ ରନ୍ ରେକର୍ଡ ଭାଙ୍ଗିବେ। ସଚିନ ୨୦୧୦ରେ ୧୪ ଟେଷ୍ଟ୍ ଓ ୨୩ ପାଳିରେ ୭୮.୧୦ ହାର ଏବଂ ୭ ଶତକ ଓ ୫ ଅର୍ଦ୍ଧଶତକ ସହାୟତାରେ ୧୫୬୨ ରନ୍ କରିଥିଲେ। ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଟେଷ୍ଟ୍ ରନ୍ ରେକର୍ଡ ପାକିସ୍ତାନର ମହମ୍ମଦ ୟୁସୁଫ (୧୭୮୮ ରନ୍)ଙ୍କ ନାଁରେ ରହିଛି। ସେ ୨୦୦୬ରେ ୯୯.୩୩ ହାରରେ ଏହି ରନ୍ କରିଥିଲେ।
ରୋହିତଙ୍କ ପିଙ୍କ୍ ବଲ୍ ଅଭ୍ୟାସ ଆରମ୍ଭ
ବର୍ଡର ଗାଭାସ୍କର ଟ୍ରଫି ଲାଗି ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତ ଦ୍ବିତୀୟ ତଥା ଏକମାତ୍ର ପିଙ୍କ୍ ବଲ୍ (ଦିବାରାତ୍ର) ଟେଷ୍ଟ୍ ୬ ତାରିଖରୁ ଖେଳିବ। ଏଥିଲାଗି ସଂପ୍ରତି ଭାରତୀୟ ଦଳ ଆଡିଲେଡ୍ରେ ରହିଛି। ପୁତ୍ର ସନ୍ତାନ ଲାଗି ପ୍ରଥମ ଟେଷ୍ଟ୍ରେ ଖେଳି ନଥିବା ଭାରତୀୟ ଅଧିନାୟକ ରୋହିତ ଶର୍ମା ପିଏମ୍ ଏକାଦଶ ବିପକ୍ଷରେ ଅଭ୍ୟାସ ମ୍ୟାଚ୍ ଖେଳିଥିଲେ। ହେଲେ ଏହି ମ୍ୟାଚ୍ରେ ସେ ୪ ନମ୍ବର ସ୍ଥାନରେ ଆସିଥିଲା ବେଳେ ୧୧ ବଲ୍ରୁ ମାତ୍ର ୩ ରନ୍ କରିଥିଲେ। ଏହି ବିଫଳତା ପରେ ସଂପ୍ରତି ସମୟ ଅପଚୟ ନ କରି ଆଡିଲେଡ୍ରେ ବ୍ୟାଟିଂ ଅଭ୍ୟାସ ଆରମ୍ଭ କରି ଦେଇଛନ୍ତି। ସେ ନେଟ୍ସରେ ପିଙ୍କ୍ ବଲ୍ ସମ୍ମୁଖରେ ବ୍ୟାଟିଂ କରୁଥିବା ଦେଖିବାକୁ ମିଳିଛି। ପ୍ରଥମ ଟେଷ୍ଟ୍କୁ ଯଶ୍ପ୍ରୀତ ବୁମ୍ରାଙ୍କ ନେତୃତ୍ବରେ ଭାରତ ୨୯୫ ରନ୍ରେ ଜିତିଥିଲା। ରୋହିତ ଫେରିବା ପରେ ଏବେ ଆଡିଲେଡ୍ରେ ଦଳର ନେତୃତ୍ବ ନେବେ। ପ୍ରଥମ ଟେଷ୍ଟ୍ରେ ଓପନିଂ କରିଥିବା କେଏଲ୍ ରାହୁଲ ଓ ଯଶସ୍ବୀ ଜୟସ୍ବାଲ ଭଲ କରିଥିବାରୁ ଏହି ଯୋଡ଼ି ନ ଭାଙ୍ଗି ରୋହିତ ମଧ୍ୟକ୍ରମରେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ସ୍ମିଥ୍ଙ୍କ ଆଙ୍ଗୁଠିରେ ଆଘାତ
ଆଡିଲେଡ୍ ଟେଷ୍ଟ୍ ପୂର୍ବରୁ ଅଷ୍ଟ୍ରେଲିଆ ଦଳର ପ୍ରମୁଖ ସଦସ୍ୟ ତଥା ପୂର୍ବତନ ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ ଆହତ ହୋଇଛନ୍ତି। ବ୍ୟାଟିଂ ଅଭ୍ୟାସ ବେଳେ ସାଥୀ କ୍ରିକେଟ୍ର ମାର୍ନସ ଲବୁସାନ୍ ତାଙ୍କୁ ବଲ୍ ପକାଉଥିଲା ବେଳେ ଏଭଳି ଅଘଟଣ ଘଟିଛି। ଲବୁସାନଙ୍କ ସେହି ବଲ୍କୁ ସ୍ମିଥ୍ ମିସ୍ କରିବା ପରେ ଏହା ସିଧା ଯାଇ ତାଙ୍କ ଡାହାଣ ହାତ ବୁଢ଼ା ଆଙ୍ଗୁଠିରେ ବାଜିଥିଲା। ଯନ୍ତ୍ରଣାରେ ଛଟପଟ ସ୍ମିଥ୍ ତୁରନ୍ତ ଅଭ୍ୟାସ ଛାଡ଼ି ଡ୍ରେସିଂ ରୁମ୍କୁ ଚାଲି ଯାଇଥିଲେ। ଫିଜିଓ ତାଙ୍କର ଚିକିତ୍ସା କରିଥିଲେ ମଧ୍ୟ ସ୍ମିଥ୍ ଆଉ ବ୍ୟାଟିଂ କରି ନଥିଲେ। ତେବେ ଘଣ୍ଟାଏ ବ୍ୟବଧାନ ପରେ ତାଙ୍କୁ ପୁଣି ନେଟ୍ସରେ ଦେଖିବାକୁ ମିଳିଥିଲା। ପର୍ଥ ଟେଷ୍ଟ୍ର ଉଭୟ ପାଳିରେ ୩୭ ବର୍ଷୀୟ ସ୍ମିଥ୍ ମୋଟ୍ ମାତ୍ର ୧୭ ରନ୍ କରିଥିଲା ବେଳେ ଆଡିଲେଡ୍ର ଗୋଲାପି ବଲ୍ ଟେଷ୍ଟ୍ରେ ଫର୍ମକୁ ଫେରିବାକୁ ଲକ୍ଷ୍ୟ ରଖିଛନ୍ତି।