କୋହଲିଙ୍କୁ ପ୍ରଶଂସାରେ ପୋତି‌ଲେ ଆଫ୍ରିଦି

ଲାହୋର: ପାକିସ୍ତାନ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସାହିଦ ଆଫ୍ରିଦି ଭାରତ ବିରୋଧୀ ମନ୍ତବ୍ୟ ପାଇଁ ପରିଚିତ। ନିକଟରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସହ ପାକ୍ ଅଧିକୃତ କଶ୍ମୀର ଆସି ଭାରତ ବିରୋଧରେ ସେ ବି‌ଷୋଦଗାର କରିଥି‌ଲେ। ଏହି କାରଣରୁ ପୂର୍ବତନ ଭାରତୀୟ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀର ତାଙ୍କୁ ତୀବ୍ର ସମାଲୋଚନା କରି ଆସୁଛନ୍ତି। ଭାରତ ବିରୋଧୀ ଆଫ୍ରିଦି କିନ୍ତୁ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କ ପ୍ରେମରେ ପଡ଼ି ଯାଇଛନ୍ତି। କୋହଲି ବୁଧବାର ୭୨ ରନ୍‌ର ଅପରାଜିତ ପାଳି ଖେଳି ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ବିତୀୟ ଟ୍ବେଣ୍ଟି-୨୦ରେ ଭାରତକୁ ସହଜ ବିଜୟ ଉପହାର ଦେବା ପରେ ଆଫ୍ରିଦି ତାଙ୍କୁ ପ୍ରଶଂସାରେ ପୋତି ଦେଇଛନ୍ତି। ୩୦ ବର୍ଷୀୟ କୋହଲିଙ୍କୁ ସେ ଜଣେ ମହାନ ଖେଳାଳି ଭାବେ ବର୍ଣ୍ଣନା କରିଛନ୍ତି। କୋହଲିଙ୍କ ବ୍ୟାଟିଂ ଦକ୍ଷତା ନେଇ ଆଇସିସି କରିଥିବା ଟ୍ବିଟକୁ ପୁନଃ ଟ୍ବିଟ୍ କରି ଆଫ୍ରିଦି ଲେଖିଛନ୍ତି ଯେ ବିରାଟ ତୁମକୁ ଅଶେଷ ଅଶେଷ ଅଭିନନ୍ଦନ। ସତରେ ତୁମେ ଜଣେ ମହାନ ଖେଳାଳି। ତୁମେ ଏହି ଭଳି ଭାବେ ସଫଳ ହୋଇ ଚାଲିଥାଅ, ସାରା ବିଶ୍ବର କ୍ରିକେଟ୍ ପ୍ରେମୀଙ୍କୁ ଏହିଭଳି ଭାବେ ମନୋରଞ୍ଜନର ଖୋରାକ ଦେଇ ଚାଲୁଥାଅ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ‌କୋହଲି ନିଜ ଦଳର ଉପଅଧିନାୟକ ରୋହିତ ଶର୍ମାଙ୍କୁ ଟପି ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ସର୍ବାଧିକ ରନ୍ ସଂଗ୍ରହକାରୀ ହୋଇଥିଲେ। ସାଂପ୍ରତିକ କ୍ରିକେଟ୍‌ର ତିନିଟି ଯାକ ଫର୍ମାଟ୍‌ରେ ୫୦ରୁ ଅଧିକ ହାରରେ ରନ୍ କରିବାରେ ସେ ହେଉଛନ୍ତି ବିଶ୍ବର ଏକମାତ୍ର ଖେଳାଳି। ଏଥିନେଇ ଆଇସିସି ତାଙ୍କୁ ଅଭିନନ୍ଦନ ଜଣାଇଥିଲା। ଆଇସିସି ନିଜ ଟ୍ବିଟର ପୃଷ୍ଠାରେ ଲେଖିଥିଲା ଯେ ଟେଷ୍ଟରେ ୫୩.୧୪, ଦିନିକିଆରେ ୬୦.୩୧ ଏବଂ ଟ୍ବେଣ୍ଟି-୨୦ରେ ୫୦.୮୫, ବିରାଟ କୋହଲି ପୁଣି ଥରେ ସମସ୍ତ ତିନିଟି ଯାକ ଫର୍ମାଟ୍‌ରେ ୫୦ରୁ ଅଧିକ ହାରରେ ରନ୍ କଲେ। କୋହଲି ମଧ୍ୟ ବୁଧବାର ଟ୍ବେଣ୍ଟି-୨୦ରେ ଏକାଦଶ ଥର ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ। ଏହାକରି ସେ ଆଫ୍ରିଦିଙ୍କ ସମକକ୍ଷ ହୋଇଥିଲେ। ଏହି କ୍ଷେତ୍ରରେ ଆଫଗାନିସ୍ତାନର ମହମ୍ମଦ ନବି (୧୨) ପ୍ରଥମ ସ୍ଥାନରେ ରହିଛନ୍ତି।

ସ୍ମିଥ୍‌ଙ୍କୁ କୋହଲିଙ୍କ ଉପରେ ରଖିଲେ ପାନେସାର
ଲଣ୍ଡନ: ବିରାଟ କୋହଲି ଏବଂ ଷ୍ଟିଭେନ୍ ସ୍ମିଥଙ୍କ ମଧ୍ୟରୁ କିଏ ଶ୍ରେଷ୍ଠ? କ୍ରିକେଟ୍ ଦୁନିଆରେ ଏହି ବିତର୍କ ଢେର କିଛି ଦିନ ହେବ ଚାଲିଛି। କିଛି କୋହଲିଙ୍କ ସପକ୍ଷରେ ମତ ରଖିଥିଲା ବେଳେ ଆଉ କେତେକ ପୂର୍ବତନ କ୍ରିକେଟର ଅଷ୍ଟ୍ରେଲୀୟ କ୍ରିକେଟର ସ୍ମିଥଙ୍କୁ ପସନ୍ଦ କରୁଛନ୍ତି। ଏହି ଚର୍ଚାରେ ଗୁରୁବାର ଇଂଲଣ୍ଡର ପୂର୍ବତନ ସ୍ପିନର ମଣ୍ଟି ପାନେସାର ଝାସ ଦେଇଛନ୍ତି। ନିଜ ମନ କଥାକୁ ଖୋଲା ଖୋଲି ଭାବେ ପ୍ରକାଶ କରିଛନ୍ତି ପାନେସାର। ସେ କହିଛନ୍ତି ଟେଷ୍ଟ୍‌ କ୍ରିକେଟ୍‌ କଥା ଆସିଲେ ସ୍ମିଥ୍ ପ୍ରଥମ ସ୍ଥାନରେ ରହିବେ। ତିନିଟି ଯାକ ଫର୍ମାଟ (ଟେଷ୍ଟ, ଦିନିକିଆ ଓ ଟ୍ବେଣ୍ଟି-୨୦)କୁ ମିଶାଇ ଦେଖିଲେ କିନ୍ତୁ ‌କୋହଲି ଢେର ଆଗରେ ରହିବେ। କୋହଲି ବିଶ୍ବର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍, ସ୍ମିଥ୍ ବିଶ୍ବର ‌ଶ୍ରେଷ୍ଠ ଟେଷ୍ଟ ବ୍ୟାଟ୍ସମ୍ୟାନ୍। ଉଭୟ ବିଶ୍ବସ୍ତରୀୟ ଖେଳାଳି।

ସମ୍ବନ୍ଧିତ ଖବର