କୋହଲିଙ୍କ ଚାରିପଟେ ଭାରତ

୨୦୧୮ରେ ଭାରତୀୟ କ୍ରିକେଟ୍ ଦଳର ପ୍ରଦର୍ଶନ, ସଫଳତା, ବାଦବିବାଦ ସବୁକିଛି ଯେମିତି ଅଧିନାୟକ ବିରାଟ କୋହଲିଙ୍କ ଚାରିପଟେ ଘୂରିଥିଲା। ଦଳଗତ ଭାବେ ଭାରତ ଯେତିକି ଚର୍ଚାରେ ରହି ନଥିଲା ବ୍ୟକ୍ତିଗତ ଭାବେ କୋହଲିଙ୍କୁ ନେଇ ତା’ଠାରୁ ଅଧିକ ତର୍କ-ବିତର୍କ ହୋଇଥିଲା। ଇଲଣ୍ଡ, ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆରେ ରନ୍ କରି କୋହଲି ନିନ୍ଦୁକଙ୍କ ମୁହଁ ବନ୍ଦ କରିଥିଲେ। ତାଙ୍କ ପଡ଼ିଆ ଭିତର ବ୍ୟବହାରକୁ କିନ୍ତୁ ଅନେକ ପସନ୍ଦ କରି ନଥିଲେ। ବର୍ଷ ଆରମ୍ଭରୁ ଭାରତ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇ ଲଢ଼ୁଆ କ୍ରିକେଟ୍ ଖେଳିଥିଲା ହେଲେ ଟେଷ୍ଟ ଶୃଙ୍ଖଳାକୁ ୧-୨ରେ ହାରି ଯାଇଥିଲା। ଜୁନରେ ଆଫଗାନିସ୍ତାନ ବିପକ୍ଷ ଐତିହାସିକ ଟେଷ୍ଟକୁ ଜିତିବା ପରେ ଜୁଲାଇ-ଅଗଷ୍ଟରେ ଇଂଲଣ୍ଡ ଯାଇ ୧-୪ରେ ଶୃଙ୍ଖଳା ହାରିଥିଲା। ଶ୍ରୀଲଙ୍କାକୁ ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୧-୦ରେ ହରାଇଥିଲା। ତୁଳନାତ୍ମକ ଭାବେ ଦିନିକିଆରେ ଅଧିକ ସଫଳତା ପାଇଥିଲା ଟିମ୍ ଇଣ୍ଡିଆ। ଶ୍ରୀଲଙ୍କାକୁ ୨-୧, ୱେଷ୍ଟଇଣ୍ଡିଜକୁ ୩-୧ରେ ହରାଇଥିଲା ବେଳେ ଇଂଲଣ୍ଡରେ ୧-୨ରେ ହାରିଥିଲା। ଦକ୍ଷିଣ ଆଫ୍ରିକାରେ ୬ ମ୍ୟାଚ୍ ଶୃଙ୍ଖଳାକୁ ୫-୧ ଓ ଟ୍ବେଣ୍ଟି-୨୦କୁ ୨-୧ରେ ଜିତିବା ଭାରତୀୟ ଦଳର ଅନ୍ୟତମ ବଡ଼ ସଫଳତା ଥିଲା। ଭାରତର ଟ୍ବେଣ୍ଟି-୨୦ ପ୍ରଦର୍ଶନ ମଧ୍ୟ ବହୁତ ଭଲ ଥିଲା। ୨୦୧୮ରେ ଭାରତ ୧୧ ଟ୍ବେଣ୍ଟି-୨୦ ଖେଳି ୮ଟିରେ ବିଜୟୀ ହୋଇଥିଲା। ୨ଟି ହାରିବା ସହ ଗୋଟିଏ ମ୍ୟାଚ୍ ବାତିଲ ହୋଇ ଯାଇଥିଲା। ମିଶ୍ରିତ ସଫଳତା ସହ ଭାରତ ଟେଷ୍ଟ ମାନ୍ୟତାରେ ୧ ଏବଂ ଦିନିକିଆ ଓ ଟ୍ବେଣ୍ଟି-୨୦ରେ ୨ୟ ସ୍ଥାନରେ ରହି ବର୍ଷ ଶେଷ କରିଥିଲା। କୋହଲି ବ୍ୟକ୍ତିଗତ ଭାବେ ୨୦୧୮ରେ ୧୪ ଦିନିକିଆ ଖେଳି ୧୩୩.୫୫ ହାରରେ ୧୨୦୨ ରନ୍ କରିଥିଲେ। ସେଥିମଧ୍ୟରେ ଥିଲା ୬ ଶତକ ଓ ୩ ଅର୍ଧଶତକ। ଟେଷ୍ଟରେ ଆଡିଲେଡ ବିୟର ଐତିହାସିକ ସଫଳତାରୁ ଆରମ୍ଭ କରି ପର୍ଥରେ ଶତକ ହାସଲ କରିଥିଲେ କୋହଲି। ସେହିଭଳି ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ ଓ ଅଷ୍ଟ୍ରେଲିଆରେ ଟେଷ୍ଟ ଜିତିବାରେ ସେ ହୋଇଥିଲେ ଏସିଆର ପ୍ରଥମ ଅଧିନାୟକ। ଟେଷ୍ଟ କ୍ରିକେଟରେ ମଧ୍ୟ ସେ ଚଳିତ ବର୍ଶ ୧୧୦୦ରୁ ଅଧିକ ରନ୍ କରିଥିଲେ। ଦ୍ବିତୀୟ ଦ୍ରୁତତମ ୨୫ ଟେଷ୍ଟ ଶତକ ସହ ଅଷ୍ଟ୍ରେଲିଆରେ ୬ ଶତକ ହାସଲ କରିବାର ସଚିନ ତେନ୍ଦୁଲକରଙ୍କ ଅନନ୍ୟ କୀର୍ତ୍ତିମାନର ସମକକ୍ଷ ‌ହୋଇଥିଲେ କୋହଲି।

ସମ୍ବନ୍ଧିତ ଖବର