ଅଷ୍ଟ୍ରେଲିଆ ଠାରୁ ପରାଜିତ ହେବା ପରେ ବିଶେଷଜ୍ଞଙ୍କ ମତ: କୋହଲି ତିନି ନମ୍ବରରେ ଖେଳନ୍ତୁ

ମୁମ୍ବାଇ : ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ଖେଳିଥିବା ଜୁଆ ଭାରତ ପାଇଁ ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଶକ୍ତିଶାଳୀ ବ୍ୟାଟିଂ ବା‌ହିନୀ ଥିବା ସତ୍ତ୍ବେ କୋହଲିଙ୍କ ଦଳ ମୁମ୍ବାଇରେ ମାତ୍ର ୨୫୫ ରନ୍ କରି ପାରିଥିଲା। ବ୍ୟାଟିଂ କ୍ରମରେ ଅଦଳବଦଳ ଏହାର ମୁଖ୍ୟ କାରଣ ବୋଲି ଏବେ ଚର୍ଚା ହେଉଛି। ବିଶେଷ କରି ଅଧିନାୟକ ବିରାଟ ‌କୋହଲି ନିଜ ପ୍ରିୟ ତୃତୀୟ ସ୍ଥାନ ଛାଡ଼ି ଚତୁର୍ଥରେ ବ୍ୟାଟିଂ କରିବାକୁ ଆସିବା ଭାରତ ପରାଜୟର ପ୍ରମୁଖ କାରଣ ବୋଲି କୁହାଯାଉଛି। ମଙ୍ଗଳବାର ତିନି ବିଶେଷଜ୍ଞ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା, ଶିଖର ଧାୱନ ଓ ଲୋକେଶ ରାହୁଲଙ୍କୁ ଚୂଡ଼ାନ୍ତ ଦଳରେ ନେବା ପାଇଁ କୋହଲି ଏଭଳି କରିଥିଲେ। ଏହି କାରଣରୁ ମଧ୍ୟ ସେ ଟିକିଏ ବିଳମ୍ବରେ ଅର୍ଥାତ୍ ୨୮ତମ ଓଭରରେ ବ୍ୟାଟିଂ କରିବାକୁ ଆସିଥିଲେ। ତେବେ କେବଳ ୧୬ ରନ୍‌ରେ ଆଦାମ ଜାମ୍ପାଙ୍କ ଶିକାର ହୋଇଥିଲେ। କୋହଲି ତାଙ୍କ ବ୍ୟାଟିଂକ୍ରମ ପରିବର୍ତନ କରିବା ଏବେ ଜାତୀୟ ବିତର୍କରେ ପରିଣତ ହୋଇଛି। ବିଶେଷଜ୍ଞମାନେ ଏହାକୁ ନାପସନ୍ଦ କରିଛନ୍ତି। କୋହଲି ତୃତୀୟ ସ୍ଥାନରେ ଖେଳିଥିଲେ ଭାରତ ହୁଏତ ଏକ ବଡ଼ ସ୍କୋର କରିପାରିଥାଆନ୍ତା ବୋଲି ସେମାନେ ମତ ରଖିଛନ୍ତି। ଭିଭିଏସ୍ ଲକ୍ଷ୍ମଣଙ୍କ ଭଳି ପୂର୍ବତନ କ୍ରିକେଟର୍‌ ଖୋଲାଖୋଲି ଭାବେ ଏହି ନୂଆ ଯୋଜନାକୁ ବିରୋଧ କରିଛନ୍ତି।

‘ଲଗାତାର ଚାରିଟି ୱିକେଟ୍ ପରାଜୟର ପ୍ରମୁଖ କାରଣ’
ମୁମ୍ବାଇରେ ଭାରତୀୟ କ୍ରିକେଟ୍ ଦଳର ଲଜ୍ଜାଜନକ ପରାଜୟର ପ୍ରମୁଖ କାରଣ ଦର୍ଶାଇଛନ୍ତି ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ। ଲଗାତର ଚାରିଟି ୱିକେଟ୍‌ର ପତନ ପାଇଁ ଭାରତ ହାରିଲା ବୋଲି ସେ ମତ ରଖିଛନ୍ତି। ଧ୍ବାୱନ କହିଛନ୍ତି, ପ୍ରଥମ ୧୦-୧୫ ଓଭର ଆମେ ଭଲ ଖେଳିଥିଲୁ। ଏହା ପରେ କିନ୍ତୁ କିଛି ରନ୍ ଭିତରେ ଚାରିଟି ୱିକେଟ୍ ହରାଇଥିଲୁ। ସେହିଠାରେ ହିଁ ଖେଳ ବଦଳି ଯାଇଥିଲା‌। ଆମେ ଯେତିକି ରନ୍‌ କରିବାକୁ ଲକ୍ଷ୍ୟ ରଖିଥିଲୁ, ସେତିକି କରିପାରିନଥିଲୁ। ଶେଷ ୯୧ ବଲ୍‌ରୁ ଆମେ ମାତ୍ର ୭୪ ରନ୍ କରିବାକୁ ସକ୍ଷମ ହୋଇଥିଲୁ। ଲୋକେଶ ରାହୁଲଙ୍କୁ ସେ ଏହି ଅବସରରେ ପ୍ରଶଂସା କରିଥିଲେ। ଗତବର୍ଷ ଭାରତ ଗସ୍ତରେ ଆସିଥିବା ଅଷ୍ଟ୍ରେଲିଆ ଦଳଠାରୁ ଏବେକାର ଦଳ ଢେର ଶକ୍ତିଶାଳୀ ବୋଲି ଧାୱନ ସ୍ବୀକାର କରିଛନ୍ତି।

ଏ ଯୋଜନା କାମ ଦେବନି: ଲକ୍ଷ୍ମଣ
ମୁମ୍ବାଇରେ କୋହଲି ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବା ନେଇ ପୂର୍ବତନ କ୍ରିକେଟର ଲକ୍ଷ୍ମଣ ଘୋର ଅସନ୍ତୋଷ ଜାହିର କରିଛନ୍ତି। ଏଭଳି ଯୋଜନା କୌଣସି ପରିସ୍ଥିତିରେ କାମ ଦେବନି ବୋଲି ସେ ସଫା ସଫା କହିଛନ୍ତି। ଲକ୍ଷ୍ମଣ କହିଛନ୍ତି ଯେ ଦଳର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ହୋଇଥିବାରୁ କୋହଲି ଯେତେ‌ ଅଧିକ ବଲ୍ ଖେଳିବେ, ସେତେ ଭଲ। ବିଶେଷ କରି ୩ ମ୍ୟାଚ୍ ବିଶି‌ଷ୍ଟ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ଶ୍ରେଷ୍ଠ ଯୋଜନା ଏବଂ ସୁଚିନ୍ତିତ ରଣନୀତି ନେଇ ପଡ଼ିଆକୁ ଓହ୍ଲାଇବା ଉଚିତ। ହେଲେ ଭାରତ ଏହା କରି ନଥିଲା। ମହାନ ଖେଳାଳି ସଚିନ ତେନ୍ଦୁଲକର ମଧ୍ୟ କେବେ ବି ଚତୁର୍ଥ ସ୍ଥାନରେ ଖେଳି ସଫଳ ହୋଇନଥିଲେ। ଏଣୁ କୋହଲି ତୃତୀୟ ସ୍ଥାନରେ ଖେଳିବା ଜାରି ରଖନ୍ତୁ। ଅଷ୍ଟ୍ରେଲିଆ ପାଖରେ ଥିବା ବୋଲିଂ ବାହିନୀ ସମ୍ମୁଖରେ କୌଣସି ପରୀକ୍ଷା ନିରୀକ୍ଷା କରିବା ବୋକାମିର ପରିଚୟ।

ଏକଥା ଭାବିବା ପାଗଳାମି: ହେଡେନ୍
କୋହଲି ଭାରତୀୟ ବ୍ୟାଟିଂକ୍ରମର ତୃତୀୟରୁ ଚତୁର୍ଥ ସ୍ଥାନକୁ ଖସିବାକୁ ଅଷ୍ଟ୍ରେଲିଆର ପୂର୍ବତନ ଦୁର୍ଦ୍ଧର୍ଷ ବ୍ୟାଟ୍ସମ୍ୟାନ୍ ମାଥ୍ୟୁ ହେ‌ଡେନ୍ ମଧ୍ୟ ସହଜରେ ଗ୍ରହଣ କରିନାହାନ୍ତି। କୋହଲି ଅଧିକାଂଶ ସମୟ ତୃତୀୟ ସ୍ଥାନରେ ଖେଳିଛନ୍ତି। ଏହି ସ୍ଥାନରେ ସେ ୧୦,୦୦୦ରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି। ସେ ଚାରି ନମ୍ବରରେ ଖେଳିବା କଥା ଭାବିବା ମଧ୍ୟ ପାଗଳାମିଠାରୁ କିଛି କମ୍ ନୁହେଁ। ଯେତେବେଳେ ଆପଣ ବିଶ୍ବର ଶ୍ରେଷ୍ଠ ଦଳ ସମ୍ମୁଖରେ ଖେଳୁଛନ୍ତି, ସେତେବେଳେ ଛୋଟଛୋଟ କଥାର ବି ଢେର ମହତ୍ବ ରହିଥାଏ।

କୋହଲି ଆଗରେ ଖେଳନ୍ତୁ: ଅଖତାର
ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତର ମଧ୍ୟ ଭାରତର ରଣନୀତିକୁ ସମାଲୋଚନା କରିଛନ୍ତି। କୋହଲିଙ୍କ ଭଳି ଖେଳାଳି କେମିତି ୨୮ତମ ଓଭରରେ ବ୍ୟାଟିଂ କରିବାକୁ ଆସିବେ ବୋଲି ସେ ପ୍ରଶ୍ନ କରିଛନ୍ତି। ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ ଉପରେ ପ୍ରତିକ୍ରିୟା ପ୍ରକାଶ କରି ସେ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ପ୍ରକାଶ କରିଥିବା ଭିଡିଓରେ କହିଛନ୍ତି ‌ଯେ ଭାରତକୁ ତା’ ରଣନୀତିର ସମୀକ୍ଷା କରିବାକୁ ପଡ଼ିବ। କୋହଲି କୌଣସି ପରିସ୍ଥିତିରେ ୨୮ତମ ଓଭରରେ ବ୍ୟାଟିଂ କରିବାକୁ ଆସିବା ଠିକ୍ ନୁହେଁ। ସେ ଆଗରୁ ଆସିଲେ ଭଲ। ଅଷ୍ଟ୍ରେଲିଆ ଭାରତକୁ ସବୁ କ୍ଷେତ୍ରରେ ପଛରେ ପକାଇଲା। ଅଷ୍ଟ୍ରେଲିଆ ପ୍ରାରମ୍ଭିକ ଯୋଡ଼ି ଆଗରେ ଭାରତୀୟ ବୋଲିଂ ବାହିନୀ ପୂରା ଅସହାୟ ହୋଇଗଲା।

ଯେ କୌଣସି ସ୍ଥାନରେ ବ୍ୟାଟିଂ କରିବାକୁ ପ୍ରସ୍ତୁତ: ଧାୱନ
କୋହଲି ତୃତୀୟ ସ୍ଥାନରେ ବ୍ୟାଟିଂ କରିବା ନେଇ ସୃଷ୍ଟି ହୋଇଥିବା ବିବାଦରେ ମୁହଁ ଖୋଲିଛନ୍ତି ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ। ସେ କହିଛନ୍ତି ଯେ ମୁଁ ଯେ କୌଣସି ସ୍ଥାନରେ ବ୍ୟାଟିଂ କରିବାକୁ ପ୍ରସ୍ତୁତ ଅଛି। ଏପରିକି ତିନି ନମ୍ବରରେ ଖେଳିବାରେ ମଧ୍ୟ ଅସୁବିଧା ନାହିଁ। ଦେଶ ପାଇଁ ମୁଁ କିଛି ବି କରିପାରେ। କୋହଲି କେଉଁ ସ୍ଥାନରେ ବ୍ୟାଟିଂ କରିବେ ତାଙ୍କ ଉପରେ ନିର୍ଭର କରିବ। ଏହା ଅଧିନାୟକଙ୍କ ବ୍ୟକ୍ତିଗତ ପସନ୍ଦ। ତିନି ନମ୍ବରରେ ସେ ଶ୍ରେଷ୍ଠ ପ୍ରଦର୍ଶନ ଦେଇ ଆସୁଛନ୍ତି। ଆଗାମୀ ମ୍ୟାଚ୍‌ଗୁଡ଼ିକରେ ସେ ହୁଏତ ପୁରୁଣା ସ୍ଥାନକୁ ଫେରିପାରନ୍ତି।

ସମ୍ବନ୍ଧିତ ଖବର