କୋହଲି ଶୀର୍ଷରେ ସ୍ଥିର; ବୁମ୍‌ରା ପ୍ରଥମ ସ୍ଥାନ ହରାଇଲେ

ଦୁବାଇ : ନ୍ୟୁଜିଲାଣ୍ଡ ବିପକ୍ଷ ଶୃଙ୍ଖଳାରେ ନୈରାଶ୍ୟଜନକ ପ୍ରଦର୍ଶନ ସତ୍ତ୍ବେ ଭାରତୀୟ ଅଧିନାୟକ ବିରାଟ କୋହଲି ଆଇସିସି ଦିନିକିଆ ମାନ୍ୟତାରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ନ୍ୟୁଜିଲାଣ୍ଡ ଶୃଙ୍ଖଳାରେ କୋହଲି ୩ ମ୍ୟାଚ୍‌ରେ ମୋଟ ୭୫ ରନ୍‌ କରିଥିଲେ। ତଥାପି ପ୍ରଥମ ସ୍ଥାନରେ ଅପରିବର୍ତିତ ରହିଛନ୍ତି। ତାଙ୍କ ପଛକୁ ଆହତ ଯୋଗୁ ନ୍ୟୁଜିଲାଣ୍ଡ୍‌ ଶୃଙ୍ଖଳାରୁ ବିଶ୍ରାମ ପାଇଥିବା ରୋହିତ ଶର୍ମା ଦ୍ବିତୀୟ ସ୍ଥାନରେ ସ୍ଥିର ରହିଥିଲା ବେଳେ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିବା ନ୍ୟୁଜିଲାଣ୍ଡ ତାରକା ରସ୍‌ ଟେଲର ଗୋଟିଏ ସ୍ଥାନ ଉଠି ସଦ୍ୟ ପ୍ରକାଶିତ ମାନ୍ୟତା ତାଲିକାର ଚତୁର୍ଥରେ ପହଞ୍ଚିଛନ୍ତି।

କିନ୍ତୁ ନ୍ୟୁଜିଲାଣ୍ଡ୍‌ ଶୃଙ୍ଖଳାରେ ୱିକେଟ୍‌ ଶୂନ୍ୟ ରହିଥିବା ଭାରତୀୟ ଦ୍ରୁତ ବୋଲର ଯଶ୍‌ପ୍ରୀତ୍‌ ବୁମ୍‌ରା ବୋଲରଙ୍କ ମାନ୍ୟତା ତାଲିକାର ଶୀର୍ଷ ସ୍ଥାନ ହରାଇଛନ୍ତି। ବୁମ୍‌ରା ୩ ମ୍ୟାଚ୍‌ରେ ୩୦ ଓଭର ବୋଲିଂ କରିଥିଲା ବେଳେ ୧୬୭ ରନ୍‌ ବ୍ୟୟ କରିଥିଲେ। ହେଲେ ପ୍ରଥମ ଥର ଲାଗି କୌଣସି ଦ୍ବିପାକ୍ଷିକ ଶୃଙ୍ଖଳାରେ ଗୋଟିଏ ବି ୱିକେଟ୍‌ ପାଇନଥିଲେ। ତାଙ୍କୁ ହଟାଇ ନ୍ୟୁଜିଲାଣ୍ଡ ଦ୍ରୁତ ବୋଲର ଟ୍ରେଣ୍ଟ୍‌ ବୋଲ୍‌ଟ ଶୀର୍ଷ ସ୍ଥାନ ଅକ୍ତିଆର କରିଛନ୍ତି। ବୁମ୍‌ରାଙ୍କ ପଛକୁ ଆଫ୍‌ଗାନିସ୍ତାନର ମୁଜୀବୁର୍‌ ରହମନ୍‌ ଓ ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର କାଗିସୋ ରବାଦା ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି।

ଅଲ୍‌ରାଉଣ୍ଡର ମାନ୍ୟତା ତାଲିକାରେ ରବୀନ୍ଦ୍ର ଜାଦେଜା ତିନି ସ୍ଥାନ ଉଠି ସପ୍ତମରେ ପହଞ୍ଚିଛନ୍ତି। ସେ ନ୍ୟୁଜିଲାଣ୍ଡ ବିପକ୍ଷ ଶୃଙ୍ଖଳାରେ ଦୁଇଟି ପାଳିରେ ୬୩ ରନ୍‌ କରିଥିଲା ବେଳେ ୨ ୱିକେଟ୍‌ ମଧ୍ୟ ଦଖଲ କରିଥିଲେ। ଆଫ୍‌ଗାନିସ୍ତାନର ମହମ୍ମଦ ନବି ଶୀର୍ଷ ସ୍ଥାନକୁ ଲମ୍ଫ ମାରିଥିଲା ବେଳେ ଇଂଲଣ୍ଡର ବେନ୍‌ ‌‌ଷ୍ଟୋକ୍ସ ଦ୍ବିତୀୟ ସ୍ଥାନ ପାଇଛନ୍ତି।

ସମ୍ବନ୍ଧିତ ଖବର