ଆଗକୁ କ’ଣ ଘଟିବ କହିହେବ ନାହିଁ: କୋହଲି

ନୂଆଦିଲ୍ଲୀ : କରୋନା ଯୋଗୁଁ ହୋଇଥିବା ବିରତି ପରେ କ୍ରିକେଟ ଆରମ୍ଭ ହେଲେ ଏଥିରେ କିଛି ପରିବର୍ତ୍ତନ ହୋଇଥିବ କି ନାହିଁ ତାହା ସେ ଜାଣିନଥିବା ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି କହିଛନ୍ତି। ରବିଚନ୍ଦ୍ରନ ଅଶ୍ବିନିଙ୍କ ସହ ହୋଇଥିବା ଇନ୍‌ଷ୍ଟାଗ୍ରାମ ଲାଇଭ୍‌ କାର୍ଯ୍ୟକ୍ରମରେ ସେ ଏହି ମତ ରଖିଥିଲା ବେଳେ ଆଗକୁ କ’ଣ ହେବ ତାହା କହିବା ଅସମ୍ଭବ। ଦୀର୍ଘଦିନ ପରେ ସମସ୍ତେ ଏକାଠି ହେବାକୁ ଥିବାରୁ ଆଉ ହାତକୁ ହାତ ମିଶାଇ ହେବନି। ପରସ୍ପରଠୁ ଦୂରେଇ ରହିବାକୁ ପଡ଼ିପାରେ ବୋଲି କୋହଲି ପ୍ରତିକ୍ରିୟା ରଖିଛନ୍ତି।

ଯଦିଓ ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଛି, କିନ୍ତୁ ଯେପର୍ଯ୍ୟନ୍ତ କୌଣସି ଟୀକା କିମ୍ବା ଔଷଧ ବାହାରିନାହିଁ, ସେପର୍ଯ୍ୟନ୍ତ ଏଭଳି ଆଚରଣ ଲାଗୁ ରହିବ। କିନ୍ତୁ ନୂଆ ବ୍ୟବହାର ଖେଳାଳିମାନଙ୍କ ଜୀବନରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି କୋହଲି କହିଛନ୍ତି।

ସୁରକ୍ଷିତ ଭାବେ କ୍ରିକେଟକୁ ଫେରିବା ପାଇଁ ମେ’ ୨୨ ତାରିଖରେ ଆଇସିସି କ୍ରିକେଟ ନିୟମାବଳୀକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଘୋଷଣା କରିଥିଲା। ପ୍ରଶିକ୍ଷଣ ବେଳେ ଜଣେ ଚିକିତ୍ସା ଅଧିକାରୀ କିମ୍ବା ଜୈବ ସୁରକ୍ଷା ଅଧିକାରୀଙ୍କୁ ନିଯୁକ୍ତ କରାଯିବ ବୋଲି କୁହାଯାଇଛି। ଏଥିସହ ଶିବିର ପୂର୍ବରୁ ଶରୀର ଉତ୍ତାପ ମପାଯିବା ସହ କରୋନା ପରୀକ୍ଷା କରାଯିବା ପରେ ୧୪ ଦିନିଆ ଏକାନ୍ତବାସରେ ଖେଳାଳିମାନେ ରହିବେ।

ଅନ୍ୟପକ୍ଷରେ ବ୍ୟବହାର ପୂର୍ବରୁ ଓ ପରେ ବ୍ୟକ୍ତିଗତ ଉପକରଣଗୁଡ଼ିକୁ ବିଶୋଧନ କରାଯିବ। ସାମାଜିକ ଦୂରତାକୁ ମଧ୍ୟ ନିୟମାବଳୀରେ ସ୍ଥାନ ଦିଆଯାଇଛି। ଟୋପି, ଟାୱେଲ, ସନ୍‌ଗ୍ଲାସ, ଜମ୍ପର୍ସ ଇତ୍ୟାଦିକୁ ଖେଳାଳିମାନେ ପରସ୍ପରକୁ ହସ୍ତାନ୍ତର କରିପାରିବେନି। ବୋଲରଙ୍କୁ ତାଙ୍କ ସାମଗ୍ରୀ ବ୍ୟବହାର କରିବାରେ ସହାୟତା କରିବା ପାଇଁ ଜଣେ ସହକାରୀଙ୍କୁ ରଖିବା ପାଇଁ ଏବେ ବିଚାର କରାଯାଉଛି। ସେହିପରି ଅମ୍ପାୟାରମାନେ ମଧ୍ୟ ବଲ୍‌ ଧରିବାକୁ ଥିବାରୁ ସେମାନେ ଗ୍ଲୋଭ୍ସ ବ୍ୟବହାର କରିବାକୁ ଆଇସିସି ପରାମର୍ଶ ଦେଇଛି। ବଲ୍‌ ସହିତ ସମ୍ପର୍କରେ ଆସୁଥିବାରୁ ନିୟମିତ ଭାବେ ହାତ ବିଶୋଧନ କରିବାକୁ ହେବ। ବଲ୍‌ ଧରିବା ପରେ ହାତକୁ ଆଖି, ନାକ, ପାଟିରେ ମାରିବାକୁ ବାରଣ କରାଯାଇଛି। କେବଳ ଏତିକି ନୁହେଁ, ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଯାତ୍ରା କରୁଥିଲା ବେଳେ ସ୍ବତନ୍ତ୍ର ବିମାନ ବ୍ୟବହାର କରାଯିବ ଓ ବସିବା ସ୍ଥାନ ମଧ୍ୟରେ ଦୂରତା ରଖାଯିବାକୁ ନିୟମାବଳୀରେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର