ଦୁବାଇ: ଗୋଟିଏ ଓଭରରେ ଦୁଇଟି ୱିକେଟ୍ ନେବା ସହ ମଙ୍ଗଳବାରର ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଓ ସନ୍ରାଇଜର୍ସ ହାଇଦ୍ରାବାଦ ମ୍ୟାଚ୍ର ମୋଡ଼ ବଦଳାଇ ଦେଇଥିବା ଯୁବ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ଅଧିନାୟକ ବିରାଟ କୋହଲି ଭୂୟଶୀ ପ୍ରଶଂସା କରିଛନ୍ତି। ଦୃଢ଼ ସ୍ଥିତିରେ ଥିବା ହାଇଦ୍ରାବାଦ ପଞ୍ଝାରୁ ମ୍ୟାଚ୍ ଛଡ଼ାଇ ଆଣିଥିବା ଚହଲଙ୍କ ଦକ୍ଷତା ଉପରେ ପୂର୍ଣ୍ଣ ଆସ୍ଥା ପ୍ରକଟ କରି କୋହଲି କହିଛନ୍ତି ଯେ ୟୁଜି (ଚହଲ) ଆସିଲେ ଏବଂ ଆମ ପାଇଁ ମ୍ୟାଚ୍ ପୂରା ବଦଳାଇ ଦେଲେ। ୟୁଏଇ ପିଚ୍ରୁ ଅନ୍ୟ ସ୍ପିନରମାନେ ବିଶେଷ କିଛି ଫାଇଦା ଉଠାଇ ପାରୁନାହାନ୍ତି। ହେଲେ ସେ ପ୍ରମାଣ କରିଦେଲେ ଯେ ସ୍ପିନ୍ ପାଇଁ ପିଚ୍ ନୁହେଁ, ମଣିବନ୍ଧ ହିଁ ପ୍ରମୁଖ ଭୂମିକା ତୁଲାଇଥାଏ। ଦେଖାଇ ଦେଲେ ଯେ ଯେକୌଣସି ପିଚ୍ରେ ବଲ୍କୁ ସେ ଘୂରାଇ ପାରିବେ। ଚହଲଙ୍କ ଆକ୍ରମଣାତ୍ମକ ବୋଲିଂ ହିଁ ନାଟକୀୟ ଭାବେ ମ୍ୟାଚ୍ର ମୋଡ଼ ବଦଳାଇ ଦେଲା।
ନିଜ ଦଳର ବ୍ୟାଟିଂ ବିଷୟରେ ମତ ରଖିବାକୁ ଯାଇ କୋହଲି କହିଥିଲେ ଯେ ଆମ ଆରମ୍ଭ ଭଲ ଥିଲା। ପଦାର୍ପଣରେ ଦେବଦତ୍ତ ଚମତ୍କାର ଖେଳ ଖେଳିଲେ। ଫିଞ୍ଚ୍ ମଧ୍ୟ ଭଲ ବ୍ୟାଟିଂ କରିଥିଲେ। ଶେଷ ତିନି ଓଭରରେ ଏବି (ଡି'ଭିଲିୟର୍ସ)ଙ୍କ ବିସ୍ଫୋରକ ବ୍ୟାଟିଂ ପାଇଁ ହିଁ ଆମେ ୧୬୦ ରନ୍ ଟପି ପାରିଥିଲୁ। ବୋର୍ଡରେ ଆଉ ୧୦ରୁ ୨୦ ରନ୍ ଥିଲେ ବହୁତ ଭଲ ହୋଇଥା'ନ୍ତା ବୋଲି ମଧ୍ୟ ସେ ସ୍ବୀକାର କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/Yuzvendra-Chahal-AB-de-Villiers.jpg)