କୋହଲି ଭାରତୀୟ କ୍ରିକେଟ୍‌ର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତି

ନୂଆଦିଲ୍ଲୀ : ବିସିସିଆଇର ୩୯ତମ ସଭାପତି ଭାବେ ବୁଧବାର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଦାୟିତ୍ବ ଗ୍ରହଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ବିରାଟ କୋହଲିଙ୍କୁ ଭାରତୀୟ କ୍ରିକେଟ୍‌ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତି ବୋଲି କହିଛନ୍ତି ଗାଙ୍ଗୁଲି। ବୁଧବାର ସାମ୍ବାଦିକ ସମ୍ମିଳନୀରେ ଗାଙ୍ଗୁଲି କହିଥିଲେ, ବିରାଟ କୋହଲି ଭାରତୀୟ ଦଳକୁ ନୂଆ ସ୍ତରରେ ପହଞ୍ଚାଇଛନ୍ତି। ଆମେ ତାଙ୍କ ସହିତ ଅଛୁ ଏବଂ ଆଗକୁ ମଧ୍ୟ ରହିବୁ। କୋହଲି ହିଁ ଭାରତୀୟ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ। ଆସନ୍ତାକାଲି ମୁଁ ବିରାଟଙ୍କ ସହିତ କଥା ହେବି ଓ ତାଙ୍କୁ ଯଥା ସମ୍ଭବ ସହଯୋଗ କରିବି। ମୁଁ ଏଠି କୋହଲିଙ୍କ କାମ ସହଜ କରିବାକୁ ଆସିଛି, କଷ୍ଟକର ନୁହେଁ। ବେଙ୍ଗଲ କ୍ରିକେଟ୍‌ ସଂଘର ସଭାପତି ରହିସାରିଥିବା ଗାଙ୍ଗୁଲି ବିସିସିଆଇର ବିଶ୍ବସନୀୟତା ଉପରେ କୌଣସି ପ୍ରକାର ସାଲିସ୍ ନକରି, ଟିମ୍ ଇଣ୍ଡିଆର ନେତୃତ୍ବ ନେଲା ଭଳି ପରିଚାଳନା କରିବେ ବୋଲି କହିଛନ୍ତି। ମହାରାଜା କୁମାରଙ୍କ(୧୯୫୪-୫୬) ପରେ ବିସିସିଆଇର ସଭାପତି ହେବାରେ ସୌରଭ ଗାଙ୍ଗୁଲି ହେଉଛନ୍ତି ଦ୍ବିତୀୟ ଭାରତୀୟ ଅଧିନାୟକ ।

ବିରାଟ କୋହଲିଙ୍କ ନେତୃତ୍ବରେ ଭାରତୀୟ ଦଳ ଦମ୍‌ଦାର ପ୍ରଦର୍ଶନ ଜାରି ରଖିଛି। ରାଞ୍ଚି ଟେଷ୍ଟରେ ପାଳି ଓ ୨୦୨ ରନ୍‌ରେ ବଡ଼ ବିଜୟ ହାସଲ କରିବା ସହିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ଶୃଙ୍ଖଳାକୁ ୩-୦ରେ ମୂଳପୋଛ କରିଥିଲା ବିରାଟ ବାହିନୀ। ଏହା ସହିତ ଲଗାତାର ଭାବେ ୧୧ ଘରୋଇ ଟେଷ୍ଟ ଶୃଙ୍ଖଳା ବିଜୟର ବିଶ୍ବ କିର୍ତ୍ତୀମାନ ମଧ୍ୟ ସ୍ଥାପନ କରିଛି ଭାରତୀୟ ଦଳ।

ସମ୍ବନ୍ଧିତ ଖବର