ଦୁବାଇ: ଜିତିଲା ଦେଶ, ଝୁମିଲେ ଦେଶବାସୀ । ଦୀପାବଳୀ ପରି ବାଣ ବି ଫୁଟିଲା, ରାସ୍ତାରେ ଫରଫର ହୋଇ ତ୍ରିରଙ୍ଗା ବି ଉଡ଼ିଲା । କାଶ୍ମୀରଠୁ ନେଇ କନ୍ୟାକୁମାରୀ ଯାଏଁ ଉତ୍ସବର ମାହୋଲ । ଭାରତ ବିଜୟର ଖୁସି । ଏ ଖୁସି ଚାମ୍ପିଅନ୍ସ ଟ୍ରଫି ଜିତିବା ଠାରୁ ବି କିଛି କମ ନୁହେଁ । କାହିଁକି ନା ଚୀର ପ୍ରତିଦ୍ବନ୍ଦି ପାକିସ୍ତାନକୁ ଧୂଳି ଚଟାଇଛି ଭାରତ ।
ଯେତେବେଳେ ବି କୌଣସି ଟୁର୍ଣ୍ଣାମେଣ୍ଟରେ ଭାରତ-ପାକିସ୍ତାନ ମୁହାଁମୁହିଁ ହୋଇଥାନ୍ତି ସେହି ମ୍ୟାଚ୍ ଫାଇନାଲ ଠାରୁ ବି ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇଥାଏ । କାରଣ ଏହି ମ୍ୟାଚ୍ ସହ ପ୍ରତି ଦେଶବାସୀଙ୍କ ଭାବନା ଯୋଡ଼ି ହୋଇ ରହିଥାଏ । ଚାମ୍ପିଅନ୍ସ ଟ୍ରଫିରେ ଭାରତର ବଡ଼ ବିଜୟ ପରେ ଦେଶର କୋଣ ଅନୁକୋଣରୁ ଉତ୍ସବର ମାହୋଲ । କେଉଁଠି ରାସ୍ତାରେ ଲୋକମାନେ ତ୍ରିରଙ୍ଗା ଧରି ଭାରତ ମାତାର ଜୟଗାନ କରିଥିଲେ ତ ତ ଆଉ କେଉଁଠି ଇଣ୍ଡିଆ... ଇଣ୍ଡିଆ... ନାରା ଦେଇ ନାଚଗୀତରେ ମୁସଗୁଲ ହୋଇଥିଲେ କ୍ରିକେଟ୍ ଫ୍ୟାନ୍ସ । ବାଣ ଫୁଟାଇ, ବାଜା ବଜାଇ ଟିମ୍ ଇଣ୍ଡିଆ ବିଜୟ ହେବା ଖୁସିର ମଜା ନେଇଛନ୍ତି ଦେଶବାସୀ ଆଉ ସୋସିଆଲ ମିଡିଆ ସାରା କୋହଲିଙ୍କୁ ପ୍ରଶଂସା କରିଛନ୍ତି ।
ଗତ କିଛି ମ୍ୟାଚରେ କୋହଲିଙ୍କ ଠାରୁ ଆଶାଜନକ ପ୍ରଦର୍ଶନ ପାଉନଥିଲେ ପ୍ରଶଂସକ । କୋହଲି ବାରମ୍ବାର କ୍ରିକେଟ ପ୍ରେମୀଙ୍କ ନିରାଶ କରୁଥିବା ବେଳେ ଗତକାତି ଦୁବାଇରେ ଦମଦାର ପ୍ରଦର୍ଶନ କରିଛନ୍ତି । ପାକିସ୍ତାନ ବିପକ୍ଷରେ ଏକ ଶକ୍ତିଶାଳୀ ଇନିଂସ ଖେଳିଛନ୍ତି । ତାସହ ଶତକ ରଚି ନିଜ କ୍ୟାରିୟରେ ରେକର୍ଡ ରଚିଛନ୍ତି ।
ରୋହିତଙ୍କ ଠାରୁ ଗତକାଲି ଲୋକେ ରନ ବର୍ଷାର ଆଶା ରଖିଥିବା ବେଳେ ସେ ପ୍ରଥମରୁ ହିଁ ନିରାଶ କରିଥିଲେ ଆଉ ସେହି ଆଶାକୁ ପଡିଆରେ କୋହଲି ପୂରଣ କରିଥିଲେ । ଚୌକା ମାରି ନିଜ ସିଂହ ରୂପ ପାକିସ୍ତାନକୁ ଦେଖାଇଥିଲେ । ଏମିତି ଲାଗୁଥିଲା ବିପକ୍ଷରେ ପାକିସ୍ତାନ ଟିମକୁ ଦେଖି କୋହଲିଙ୍କ ଭିତରେ ଶତ ସିଂହର ବଳ ବୋଧେ ଭରିଗଲା ଆଉ ସେ ନିଜ ଫର୍ମକୁ ଫେରି ଆସିଲେ ।
ଦୁବାଇ ଶତକ ସହ ଦିନିକିଆରେ କୋହଲିଙ୍କ ଏହା ୫୧ତମ ଶତକ । ୧୧୧ଟି ବଲରେ ଶତକ ରଚିଲେ ବିରାଟ । ୭ଟି ଦମଦାର ଚୌକା ସହ ୧୪ ହଜାର ରନ କ୍ଲବରେ ସାମିଲ ହେଲେ କୋହଲି । ଦିନିକିଆରେ ଦ୍ରୁତତମ ବ୍ୟାଟର ଭାବେ ତେନ୍ଦୁଲକରଙ୍କ ପରେ ନାଁ ଯୋଡିଛନ୍ତି ବିରାଟ ।