କୋହଲି ଓ ସଚିନଙ୍କଠୁ ଧୋନି ଅଧିକ ଲୋକପ୍ରିୟ

ନୂଆଦିଲ୍ଲୀ : ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ସଂପ୍ରତି କ୍ରିକେଟ୍‌ରୁ ନଭେମ୍ବର ପର୍ଯ୍ୟନ୍ତ ବିରତି ନେଇଛନ୍ତି। ତାଙ୍କ ଅବସର ନେଇ ଚର୍ଚ୍ଚା ମଧ୍ୟ ଚାଲିଛି। ତଥାପି ଧୋନି ଭାରତର ସବୁଠୁ ଲୋକପ୍ରିୟ କୀଡ଼ାବିତ୍‌ ହୋଇ ରହିଛନ୍ତି। ସାରା ବିଶ୍ବରୁ ୪୨,୦୦୦ରୁ ଅଧିକ ବ୍ୟକ୍ତିଙ୍କୁ କରାଯାଇଥିବା ସର୍ଭେରେ ଧୋନି ପୁରୁଷଙ୍କ ମଧ୍ୟରେ ଦ୍ବିତୀୟ ସର୍ବାଧିକ ଲୋକପ୍ରିୟ ବୋଲି ଜଣାପଡ଼ିଛି। ଏପରିକି ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର ଓ ଏବର ଅଧିନାୟକ ବିରାଟ କୋହଲିଙ୍କ ତୁଳନାରେ ଧୋନି ଲୋକପ୍ରିୟତାର ଯଥେଷ୍ଟ ଉପରେ ରହିଛନ୍ତି। ଏହି ବିଶ୍ବ ବିଜେତା ଅଧିନାୟକ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (୧୫.୬୬%)ଙ୍କ ପରେ ଦ୍ବିତୀୟ ସର୍ବାଧିକ ପ୍ରଶଂସନୀୟ ବ୍ୟକ୍ତି। ଏହି ତାଲିକାରେ ଧୋନି (୮.୫୮%) ମଧ୍ୟ ବିଶ୍ବର ପ୍ରଭାବଶାଳୀ ବ୍ୟକ୍ତିତ୍ବ ଭାବେ ପରିଗଣିତ ରତନ ଟାଟା (୮.୦୨%), ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା (୭.୩୬%), ବିଲ୍‌ ଗେଟ୍‌ସ (୬.୯୬%) ଏବଂ ଅଭିତାଭ ବଚ୍ଚନ (୬.୫୫%)ଙ୍କଠୁ ବି ଉପରେ ରହିଛନ୍ତି। ଅନ୍ୟପକ୍ଷରେ ମହିଳା କ୍ରୀଡ଼ାବିତ୍‌ ଭାବେ ଏମ୍‌ସି ମେରିକମ୍‌ (୧୦.୩୬%) ଶୀର୍ଷରେ ତଥା ଧୋନିଙ୍କ ଉପରେ ରହିଛନ୍ତି।

ସମ୍ବନ୍ଧିତ ଖବର