ଅଷ୍ଟ୍ରେଲୀୟ କିମ୍ବଦନ୍ତୀ ବ୍ୟାଟ୍‌ସମ୍ୟାନ୍‌ ସାର୍ ଡନ୍‌ ବ୍ରାଡମ୍ୟାନ୍‌ଙ୍କୁ ଟପିଲେ କୋହଲି

ପୁନେ : ଅଷ୍ଟ୍ରେଲୀୟ କିମ୍ବଦନ୍ତୀ ବ୍ୟାଟ୍‌ସମ୍ୟାନ୍‌ ସାର୍ ଡନ୍‌ ବ୍ରାଡ୍‌ମ୍ୟାନଙ୍କୁ ମହାନ ଭାରତୀୟ କ୍ରିକେଟର୍‌ ସଚିନ ତେନ୍ଦୁଲକର ତାଙ୍କ ୨୩ ବର୍ଷର ଖେଳ ଜୀବନରେ ଅତିକ୍ରମ କରିପାରିନଥିଲେ। ଏବର ଭାରତୀୟ ଅଧିନାୟକ ବିରାଟ କୋହଲି କିନ୍ତୁ ଗୋଟିଏ ପାଳିରେ ଉଭୟଙ୍କୁ ଟପି ଯାଇଛନ୍ତି। ଶୁକ୍ରବାର ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ର ଦ୍ବିତୀୟ ଦିବସରେ ୨୫୪* ରନ୍‌ର ଶ୍ରେଷ୍ଠ ପାଳି ଖେଳିଥିବା କୋହଲି କେବଳ ଭାରତୀୟ କୀର୍ତ୍ତିମାନ ନୁହେଁ, ବିଶ୍ବ କୀର୍ତ୍ତିମାନକୁ ନିଜ ନାମରେ କରି ନେଇଛନ୍ତି।

କୋହଲିଙ୍କ ଏହା ଥିଲା ୨୬ତମ ଟେଷ୍ଟ୍ ଶତକ ଏବଂ ସପ୍ତମ ଦ୍ବିଶତକ। ଏହି ପାଳି ଅବସରରେ କୋହଲି ଏକାଧିକ କୀର୍ତିମାନକୁ କାଟିଛନ୍ତି। କିନ୍ତୁ ସର୍ବାଧିକ ଦ୍ବିଶତକ ହାସଲରେ ସେ ସଚିନ ତେନ୍ଦୁଲକର ଏବଂ ବୀରେନ୍ଦ୍ର ସେହବାଗ (ଉଭୟ ୬ ଲେଖାଏଁ ଦ୍ବିଶତକ)ଙ୍କୁ ପଛରେ ପକାଇ ଦେଇଥିଲେ। ଦୁଇ ଭାରତୀୟଙ୍କୁ ଅତିକ୍ରମ କରିବା ପୂର୍ବରୁ କୋହଲି କିନ୍ତୁ ୧୫୦ ରନ୍‌ ଅତିକ୍ରମ କରିବାବେଳେ ଡନ୍ ବ୍ରାଡ୍‌ମ୍ୟାନ୍‌ଙ୍କୁ ଟପିଯାଇଥିଲେ। ଅଧିନାୟକ ଭାବେ ଟେଷ୍ଟ୍ କ୍ରିକେଟ୍‌ରେ ବ୍ରାଡ୍‌ମ୍ୟାନ୍‌ ୮ ଥର ୧୫୦ ରନ୍ ଟପିଥିଲେ, ହେଲେ କୋହଲି ଶୁକ୍ରବାର ନବମ ଥର ପାଇଁ ଦେଢ଼ ଶହ ରନ୍‌ ଅତିକ୍ରମ କରିଥିଲେ। ୧୫୦ରୁ ୧୯୯ ରନ୍‌ ଭିତରେ ‌ବ୍ରାଡମ୍ୟାନ୍‌ ୮ ଥର ପହଞ୍ଚିଥିଲେ। କିନ୍ତୁ ନିଜ ନାମରେ ଥିବା ୧୨ ଦ୍ବିଶତକକୁ ଏବେ ବି ବ୍ରାଡ୍‌ମ୍ୟାନ ଅତୁଟ ରଖିଛନ୍ତି।

କୋହଲିଙ୍କ ୨୫୪* ରନ୍‌ ମଧ୍ୟ ତାଙ୍କ ସର୍ବୋଚ୍ଚ ଟେଷ୍ଟ୍ ପାଳି। ପୂର୍ବରୁ ସେ କେବେ ବି ୨୫୦ ଟପି ନଥିଲେ। ୨୦୧୭ରେ ଶ୍ରୀଲଙ୍କା ବିପକ୍ଷରେ ଦିଲ୍ଲୀ‌ରେ କୋହଲି କରିଥିବା ୨୪୩ ରନ୍ ତାଙ୍କର ସର୍ବାଧିକ ବ୍ୟକ୍ତିଗତ ଟେଷ୍ଟ୍ ସ୍କୋର ଥିଲା। ଏହା କୋହଲିଙ୍କ ୬୯ତମ ଅନ୍ତର୍ଜାତୀୟ ଶତକ। ତାଙ୍କ ନାମରେ ୪୩ ଦିନିକିଆ ଶତକ ରହିଛି। ସେହିଭଳି ଟେଷ୍ଟ୍ ଅଧିନାୟକ ଭାବେ କୋହଲି ମଧ୍ୟ ୧୯ ଶତକ ସହିତ ଅଷ୍ଟ୍ରେଲିଆର ରିକି ପଣ୍ଟିଂଙ୍କ ସମକକ୍ଷ ହୋଇଛନ୍ତି। ଉଭୟ ମିଳିତ ଭାବେ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ପୂର୍ବତନ ଦକ୍ଷିଣ ଆଫ୍ରିକା ଅଧିନାୟକ ଗ୍ରେମ୍ ସ୍ମିଥ୍ ୨୫ ଶତକ ସହ ଶୀର୍ଷରେ ରହିଛନ୍ତି। ଚଳିତବର୍ଷ କୋହଲି ନିଜର ପ୍ରଥମ ଟେଷ୍ଟ୍‌ ଶତକ ହାସଲ କରିବା ସହିତ ଶୁକ୍ରବାର ପାଳି ଅବସରରେ ମଧ୍ୟ ୭,୦୦୦ ରନ୍ ଅତିକ୍ରମ କରିଥିଲେ।

ସମ୍ବନ୍ଧିତ ଖବର